ବିଶ୍ୱଶାନ୍ତିର ବିକଳ୍ପ ନାହିଁ

୫୧ ବର୍ଷରେ ପାଦ ଦେଲା ଶାନ୍ତିସ୍ତୂପ ଧଉଳି
ଭୁବନେଶ୍ୱର, ୨୮ା୧୦ (ବୁ୍ୟରୋ): ଧଉଳି ଶାନ୍ତିସ୍ତୁପକୁ ୫୦ବର୍ଷ ପୂରିଛି । ରାଜଧାନୀର ବିଶ୍ୱପ୍ରସିଦ୍ଧ ଐତିହାସିକ ସ୍ଥଳୀ ଧଉଳି ଶାନ୍ତିସ୍ତୂପକୁ ଶୁକ୍ରବାର ୫୦ ବର୍ଷ ପୂରିଥିବାବେଳେ ଏହି ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀ ଧଉଳି ପରିସରରେ ଯଜ୍ଞ ସହ ମନ୍ତ୍ରପାଠ କରିଛନ୍ତି । ଏଠାରେ ଶାନ୍ତିର ବାତାବରଣ ଖେଳି ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଆଗାମୀ ପୀଢି ପାଇଁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ବିଶ୍ୱ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ଗୁରୁତ୍ୱାରୋପ କରିବା ସହ ସମାଜକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶାନ୍ତି ଓ ସୁରକ୍ଷିତ ବିଶ୍ୱର ନିର୍ମାଣ ଦିଗରେ ସମାଜକୁ ବାର୍ତ୍ତା ଦେବା ଲାଗି ଆସନ୍ତୁ ମିଳିମିଶି କାମ କରିବା । ଏହାଦ୍ୱାରା ଆମର ଆଗାମୀ ପୀଢି ଶାନ୍ତିପୂର୍ଣ୍ଣ ବିଶ୍ୱରେ ବସବାସ କରିବେ । ଧଉଳିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି । ଧଉଳି ଅହିଂସା, ଶାନ୍ତି ଓ ମାନବତାବାଦର ବିଜୟର ଏକ ବଡ଼ ପ୍ରତୀକ । ବିଶ୍ୱରେ ଶାନ୍ତିର ବିକଳ୍ପ ନାହିଁ । ତେଣୁ ଆସନ୍ତୁ ଆମେ ହାତ ମିଳାଇ ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଧଉଳି ଶାନ୍ତିସ୍ତୁପ ସହିତ ଜଡ଼ିତ ଓଡ଼ିଶାର ଐତିହାସିକ କିମ୍ବଦନ୍ତୀକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଧଉଳି ଓ କଳିଙ୍ଗ ଯୁଦ୍ଧରୁ ଓଡ଼ିଶା ଇତିହାସର ପୃଷ୍ଠା ଆରମ୍ଭ ହୋଇଛି । ଯଦିଓ ଏଠାରେ ଯୁଦ୍ଧ ବ୍ୟାପକ ରକ୍ତପାତ ସହିତ ସମାପ୍ତ ହୋଇଥିଲା ତଥାପି ଧଉଳି ସମଗ୍ର
ମାନବିକତାର ନୈତିକ ବିଜୟ ଗାନ ଜାରି ରଖିଛି । ଏଠାରେ ହିଁ ରାଜା ଅଶୋକ ଯୁଦ୍ଧର ଅସାରତାକୁ ଅନୁଭବ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ରାଜା ଅଶୋକ ଏଠାରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ । ଧଉଳି ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ବିଶ୍ୱ ଇତିହାସର ଗତି ବଦଳାଇ ଦେଇଥିବା କହିଛନ୍ତି । ଏହି ସୁବର୍ଣ୍ଣ ଜୟନ୍ତୀ ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ ଆଣିଦେଇଛି । ଏହା ସହ କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି । ଯାହା ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛି । ଏଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୧୦୦ରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇଛନ୍ତି । ଏଥିରେ ଜାପାାନ, ଆମେରିକା, ୟୁକ୍ରେନ, କାଜାଖସ୍ତାନରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀ ସାମିଲ ହୋଇ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହୋଇଛନ୍ତି । ଧଉଳିରେ ଏହି ବୌଦ୍ଧ ଧର୍ମାବଲମ୍ବୀ ପହଞ୍ଚିବା ବେଳେ ସେମାନଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ସ୍ୱାଗତ କରାଯାଇଥିଲା । ବୌଦ୍ଧ ଧର୍ମର ସମସ୍ଥ ସାଧୁସନ୍ଥ ଏକ ସ୍ୱରରେ ବିଶ୍ୱଶାନ୍ତି ଉଦେ୍ଦଶ୍ୟରେ ଶାନ୍ତିମନ୍ତ୍ର ଗାନ କରିଥିଲେ । ରାଜ୍ୟର ଏହି ଐତିହାସିକ ସ୍ଥଳୀକୁ ୫୦ ବର୍ଷ ପୂରଣ କରିବା ପରେ ରାଜ୍ୟ ସରକାର ଏହାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ବସନ୍ତପୁର ଦୟା ନଦୀ ଉପରେ ଏକ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ନିର୍ମାଣ କରିବା ଲାଗି ୯୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଧଉଳି ଆଧୁନିକ ସ୍ଥାପତ୍ୟର ବଡ଼ କୀର୍ତ୍ତିରାଜି ହୋଇଥିବାବେଳେ ଏହି ଶାନ୍ତିସ୍ତୂପର ସେନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଆଯାଇ ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ୨କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସେନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଗୁରୁଜୀ ଫୁଜୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଏଥିପାଇଁ ୧ କୋଟି ଓ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଧଉଳିରେ ହୋଇଥିବା ଲିଫ୍ଟ ବ୍ୟବସ୍ଥା ସବୁଦିନ ରହିବ । ଖୁବଶୀଘ୍ର ଏଠାରେ ଭେଣ୍ଡିଂ ଜୋନ ବ୍ୟବସ୍ଥା ହେବ । ଧଉଳିର ପାଦ ଦେଶରୁ ଏକ ରୋପ ୱେ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ ଦେଇସାରିଛନ୍ତି । ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ବେଦ୍ଧ ସନ୍ନ୍ୟାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଅଶ୍ୱିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି କେ ପାଣ୍ଡିଆନ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱର ମେୟର ପ୍ରମୁଖ ଯୋଗ ଦେଇଥିଲେ । ସେପଟେ ଧଉଳିର ସୌନ୍ଦର୍ଯ୍ୟକରଣକୁ ନେଇ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *