ଦେଶ ସାରା ଗୋଟିଏ ପୁଲିସ୍ ୟୁନିଫର୍ମ
ରାଜ୍ୟ ଗୃହମନ୍ତ୍ରୀ ଚିନ୍ତନ ଶିବିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ, ୨୮ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ପୁଲିସ କର୍ମଚାରୀଙ୍କ ପାଇଁ ‘ୱାନ୍ ନେସନ୍, ୱାନ୍ ୟୁନିଫର୍ମ’ ପଲିସି ପ୍ରସ୍ତାବ ଦେଇଛନ୍ତି । ହରିଆନାର ସୁରଜକୁଣ୍ଡଠାରେ ୨ ଦିନିଆ ରାଜ୍ୟ ଗୃହମନ୍ତ୍ରୀ ଚିନ୍ତନ ଶିବିରର ଉଦ୍ୟାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କହିଛନ୍ତି ଏଭଳି ପ୍ରସ୍ତାବ ଏକ ପରିକଳ୍ପନା ମାତ୍ର । କୌଣସି ରାଜ୍ୟ ଉପରେ ସେ ଏହାକୁ ଲଦି ଦେବାକୁ ଚାହୁଁନାହାନ୍ତି । ଯେମିତି ଦେଶ ସାରା ଏକା ପ୍ରକାର ରାସନକାର୍ଡ ବ୍ୟବସ୍ଥା ହେଉଛି, ପୁଲିସ ୟୁନିଫର୍ମରେ ସେହିଭଳି ନୀତି ଅବଲମ୍ବନ କରାଯିବା ଉଚିତ୍ । ଏହା ଉପରେ ସବୁ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀମାନେ ଚିନ୍ତା କରିବା ଆବଶ୍ୟକ । ଏ ପ୍ରସ୍ତାବ କାର୍ଯ୍ୟକାରୀ ହେବାକୁ ହୁଏତ ୫ ବର୍ଷ ବା ୫୦-୧୦୦ ବର୍ଷ ଲାଗିପାରେ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ପାଇଁ ଆୟୋଜିତ ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆହୁରି ଅନେକପ୍ରସ୍ତାବ ଦେଇଛନ୍ତି । ପୁଲିସ ଥାନାଗୁଡିକର ଆଧୁନିକୀକରଣ ଉପରେ ସେ ଜୋର ଦେଇଛନ୍ତି । ତାଙ୍କ ମତରେ ପ୍ରତି ସହରରେ ୨୦-୨୫ ଥାନା ଏପରି ହେବା ଉଚିତ୍ ଯାହା ଉପରେ ୨୦ ମହଲା କୋଠା ଥିବ । ତଦ୍ୱାରା କୌଣସି ପୁଲିସ କର୍ମଚାରୀଙ୍କୁ ୨୦-୨୫ କିମି ଦୂର ଅତିକ୍ରମ କରି ଘରକୁ ଯିବାକୁ ପଡିବ ନାହିଁ ।
ଶିବିରରେ ପ୍ରଧାନମନ୍ତ୍ରୀ ଫେକ୍ ନୁ୍ୟଜ୍ ଉପରେ ମତ ରଖିଥିଲେ । ସେ କହିଲେ, ଆଜି ସୋସାଲ୍ ମିଡିଆ ଦୁନିଆର ସବୁଠାରୁ ବଡ ଶକ୍ତି । କିନ୍ତୁ ଏହାର ଉପଯୋଗରେ ସାବଧାନତା ଜରୁରୀ । ଗୋଟିଏ ଛୋଟ ଫେକ୍ ଦେଶ ସାରା ପ୍ରଭଞ୍ଜନ ଆଣିପାରେ । ଲୋକଙ୍କୁ ଏ ବିଷୟରେ ସଚେତନ କରିବାକୁ ହେବ । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସ୍ମାର୍ଟ କରାଯିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ପ୍ରଯୁକ୍ତିର ଉପଯୋଗ କରାଯାଉ । ସାଇବର କ୍ରାଇମ୍, ଡ୍ରଗ୍ସ ଚୋରାଚାଲାଣ ରୋକିବାରେ ପ୍ରଯୁକ୍ତିର ସହାୟତା ଆବଶ୍ୟକ । କୌଣସି ରାଜ୍ୟରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କିଛି ନୂଆ ତଥା ଉପଯୋଗୀ ପଦକ୍ଷେପ ନିଆଗଲେ, ତାହାକୁ ସବୁ ରାଜ୍ୟ ଆପଣାଇବା ଦରକାର ।