ଫାଇନାଲ୍ରେ ଭାରତ
ଜୋହର କପ୍ କନିଷ୍ଠ ହକି
ଜୋହର (ମାଲେସିଆ), ୨୮ା୧୦ (ଏଜେନ୍ସି): ଭାରତୀୟ କନିଷ୍ଠ ପୁରୁଷ ହକି ଟିମ୍ ସୁଲ୍ତାନ ଅଫ୍ ଜୋହର କପ୍ର ରାଉଣ୍ଡ ରବିନ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ଶନିବାର ହେବାକୁ ଥିବା ମୁକୁଟ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ।
ଭାରତୀୟ ଟିମ୍ ଶୁକ୍ରବାର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ନିଜ ଶେଷ ଲିଗ୍ ମ୍ୟାଚ୍କୁ ୫-୫ରେ ଡ୍ର ରଖିଥିଲା । ଭାରତ ପାଞ୍ଚ ମ୍ୟାଚ୍ରୁ ଦୁଇ ବିଜୟ, ଦୁଇ ଡ୍ର’ ଓ ଗୋଟିଏ ପରାଜୟ ସହ ମୋଟ୍ ଆଠ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ଭାରତୀୟ ଟିମ୍ ପ୍ରଥମ ମ୍ୟାଚ୍ରେ ମାଲେସିଆକୁ ୫-୨ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଠାରୁ ୪-୫ରେ ହାରି ଯାଇଥିଲା । ଏହା ପର ମ୍ୟାଚ୍ରେ ଭାରତୀୟ ଟିମ୍ ଜାପାନକୁ ୫-୧ରେ ପରାଜିତ କରିଥିଲା । ଏହାପରେ ଅଷ୍ଟ୍ରେଲିଆ ଓ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍କୁ ଭାରତ ଅମୀମାଂସିତ ରଖିଥିଲା ।
ଅନ୍ୟପଟେ, ଅଷ୍ଟ୍ରେଲିଆ ନିଜ ଶେଷ ରାଉଣ୍ଡ ରବିନ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬-୧ରେ ପରାଜିତ କରି ସର୍ବାଧିକ ୧୩ ପଏଣ୍ଟ ପାଇଛି । ଗ୍ରେଟ୍ ବ୍ରିଟେନ୍ ଓ ଜାପାନ ସାତ ପଏଣ୍ଟ ଲେଖାଏଁ, ଦକ୍ଷିଣ ଆଫ୍ରିକା ଛଅ ପଏଣ୍ଟ ଏବଂ ଆୟୋଜକ ମାଲେସିଆ ୧ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି । ଅଷ୍ଟ୍ରେଲିଆକୁ ହରାଇଥିଲେ ଦକ୍ଷିଣ ଆଫ୍ରିକା ଫାଇନାଲ୍କୁ ଯାଇପାରିଥାନ୍ତା, କିନ୍ତୁ ଅଷ୍ଟ୍ରେଲିଆ ଆଗରେ ଏହି ଟିମ୍ ପ୍ରଭାବଶୂନ୍ୟ ପ୍ରଦର୍ଶନ କରିଥିଲା ।
ଶୁକ୍ରବାର ମ୍ୟାଚ୍ରେ ଭାରତ ପକ୍ଷରୁ ସିବି ପୂଭନ୍ନା (୭ମ), ଅମନଦୀପ (୫୦ତମ), ଅରାଇଜିତ୍ ସିଂହ ହୁଣ୍ଡାଇ (୫୩ତମ) ଓ ଶାରଦା ନନ୍ଦ ତିୱାରୀ (୫୬ତମ, ୫୮ତମ) ସ୍କୋର୍ କରିଥିଲେ । ଜବାବରେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ମ୍ୟାକ୍ସ ଆଣ୍ଡରସନ୍ (ପ୍ରଥମ, ୪୦ତମ), ହାରିସନ୍ ଷ୍ଟୋନ୍ (୪୨ତମ) ଓ ଜାମି ଗୋଲ୍ଡେନ୍ (୫୪ତମ, ୫୬ତମ) ଗୋଲ୍ ଦେଇଥିଲେ । ମ୍ୟାଚ୍ର ପ୍ରଥମ ମିନିଟ୍ରେ ହିଁ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ହାସଲ କରିଥିଲା । ଆଣ୍ଡରସନ୍ ଏହି ସ୍କୋର୍ କରିଥିଲେ । ଏହାର ଛଅ ମିନିଟ୍ ପରେ ଭାରତୀୟ ମିଡ୍ଫିଲ୍ଡର୍ ପୂଭନ୍ନା ଗୋଲ୍ ପରିଶୋଧ କରିଥିଲେ । ପ୍ରଥମ କ୍ୱାର୍ଟର୍ ସୁଦ୍ଧା ସ୍କୋର୍ ୧-୧ ସ୍ଥିତିରେ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଟିମ୍ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ କେହି କାହା ବିପକ୍ଷରେ ଗୋଲ୍ କରିପାରି ନ ଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ରହିଥିଲା ।
ତୃତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟ୍ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ହେଲେ ଏହା କାମରେ ଆସି ନ ଥିଲା । କ୍ୱାର୍ଟର ଶେଷ ହେବାକୁ ପାଞ୍ଚ ମିନିଟ୍ ଥିବା ବେଳେ ଆଣ୍ଡରସନ୍ ବ୍ରିଟେନ୍ ପକ୍ଷରୁ ଦ୍ୱିତୀୟ ଗୋଲ୍ କରିଥିଲେ । ଏହାର ଦୁଇ ମିନିଟ୍ ପରେ ହାରିସନ୍ ଆଉ ଏକ ଗୋଲ୍ ଦେବା ଫଳରେ ବ୍ରିଟେନ୍ ୩-୧ରେ ଅଗ୍ରଣୀ ହୋଇଥିଲା । ଶେଷ କ୍ୱାର୍ଟରରେ ଭାରତୀୟ ଟିମ୍ ଫ୍ରଣ୍ଟ ଫୁଟ୍ରେ ଖେଳିଥିଲା । ୫ମ ମିନିଟ୍ରେ ଅମନଦୀପ ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ଏହାର ତିନି ମିନିଟ୍ ପରେ ଅରାଇଜିତ୍ ଗୋଲ୍ କରି ସ୍କୋର୍କୁ ୩-୩ ସ୍ଥିତିରେ ଆଣିଥିଲେ । ଶେଷ ସାତ ମିନିଟ୍ରେ ଚାରିଟି ଗୋଲ୍ ହୋଇଥିଲା । ଶାରଦା ଭାରତ ପକ୍ଷରୁ ପେନାଲ୍ଟି କର୍ଣ୍ଣରରୁ ଦୁଇଟି ଗୋଲ୍ ଦେଇଥିବା ବେଳେ ଗୋଲ୍ଡେନ୍ ବ୍ରିଟେନ୍ ପକ୍ଷରୁ ଗୋଲ୍ଡେନ୍ ଦୁଇଟି ସ୍କୋର୍ କରିଥିଲେ ।