ବନ୍ଦ ହେବ ସୋସାଲ୍ ମିଡିଆର ମନମାନି
ଆଇଟି ନିୟମରେ ସଂଶୋଧନ ଅଧିସୂଚନା ଜାରି
ନୂଆଦିଲ୍ଲୀ, ୨୮ା୧୦: ଫେସ୍ବୁକ୍, ଟ୍ୱିଟର, ଇନ୍ଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍ ଆଦି ସୋସାଲ୍ ମିଡିଆ ଓ ମେସେଜିଙ୍ଗ୍ ପ୍ଲାଟ୍ଫର୍ମଗୁଡିକର ମନମାନି ରୋକିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଏହି ଉଦେ୍ଦଶ୍ୟରେ ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀ ୨୦୨୧ରେ ବ୍ୟାପକ ପରିବର୍ତ୍ତନ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୁବ୍ଶୀଘ୍ର ଆଇଟି ରୁଲ୍ସ୍ ୨୦୨୨ ଲାଗୁ ହେବ । ସେଥିରେ ସୋସାଲ୍ ମିଡିଆ ୟୁଜରମାନଙ୍କ ଅଭିଯୋଗ ଶୁଣାଣି ପାଇଁ ୩ଜଣିଆ ଅପିଲୀୟ ପ୍ୟାନେଲ୍ ବା କମିଟି ଗଠନ ବ୍ୟବସ୍ଥା ହେଉଛି । ଏକାଧିକ ପ୍ୟାନେଲ୍ ମଧ୍ୟ ଗଢ଼ାଯାଇପାରେ । ଏହି କମିଟି ୟୁଜରଙ୍କ କଣ୍ଟେଣ୍ଟ୍ ସମେତ ଅନ୍ୟ ପ୍ରସଙ୍ଗଗୁଡିକ ସମ୍ପର୍କରେ ହେଉଥିବା ସବୁ ଅଭିଯୋଗର ସମାଧାନ କରିବେ । ଗତବର୍ଷ ଲାଗୁ ହୋଇଥିବା ଆଇଟି ରୁଲ୍ସ୍ ଅନୁଯାୟୀ ମେଟା (ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ହ୍ୱାଟ୍ସଆପ ଓ ଟ୍ୱିଟରକୁ) ୟୁଜରଙ୍କ ଅଭିଯୋଗର ସମାଧାନ ପାଇଁ ସେଲ୍ଫ୍ ରେଗୁଲେଟେଡ୍ ଗ୍ରିଭାନ୍ସ ଅପିଲିଏଟ୍ ଫ୍ରେମ୍ ୱାର୍କ ପ୍ରସ୍ତୁତ କରାଯାଇଥିଲା । ଏବେ ସେଥିରେ ପରିବର୍ତ୍ତନ ପୂର୍ବକ ୩ ସଦସ୍ୟ ବିଶିଷ୍ଟ ଅଭିଯୋଗ ଶୁଣାଣି ପ୍ୟାନେଲ୍ ଗଢ଼ାଯିବ । ଗତବର୍ଷ ଜାରି ହୋଇଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ (ଆଇଟି ରୁଲ୍ସ ୨୦୨୧) ବଦଳି ଯିବାପରେ ସୋସାଲ୍ ମିଡିଆ ପ୍ଲାଟଫର୍ମ ୟୁଜରମାନେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ତାହାର ପ୍ରାପ୍ତି ସ୍ୱୀକାର କରିବାକୁ ହେବ ଏବଂ ୧୫ ଦିନ ଭିତରେ ସେ ସବୁର ସମାଧାନ କରାଯିବ । କିନ୍ତୁ ଗୁରୁତର ଅଭିଯୋଗର ସମାଧାନ ୭୨ ଘଣ୍ଟା ଭିତରେ କରିବାକୁ ହେବ ।
ସୋସାଲ୍ ମିଡିଆ ପ୍ଲାଟ୍ଫର୍ମରେ ଶିଶୁ ଯୌନଶୋଷଣ ସମ୍ବନ୍ଧୀୟ ବିଷୟଠାରୁ ଆରମ୍ଭ କରି ନଗ୍ନତା, ଟ୍ରେଡ୍ମାର୍କ, କପିରାଇଟ୍ ଉଲଂ୍ଲଘନ, ଗୁଜବ କିମ୍ବା ବିଭ୍ରାନ୍ତିକର ତଥ୍ୟ, କଣ୍ଟେଣ୍ଟ୍ ମାଧ୍ୟମରେ ଧମକ, ଦେଶର ଏକତା ଓ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ପ୍ରଭୃତି ପୋଷ୍ଟ୍ ବିରୋଧରେ ୟୁଜରମାନେ ଅଭିଯୋଗ କରିପାରିବେ । ଅଭିଯୋଗ ମିଳିବା ମାତ୍ରେ ସମ୍ପୃକ୍ତ କଣ୍ଟେଣ୍ଟକୁ ତତ୍କାଳ ବା ଅତିବେଶୀରେ ୭୨ ଘଣ୍ଟା ଭିତରେ ହଟାଇବାକୁ ପଡିବ ଏବଂ ତା’ସହିତ ଏହି ପ୍ରକାର କଣ୍ଟେଣ୍ଟ୍ ଭବିଷ୍ୟତରେ ପ୍ଲାଟଫର୍ମରେ ସ୍ଥାନ ନ ପାଇବା ସୁନିଶ୍ଚିତ କରିବାକୁ ହେବ । ସବୁଠୁ ବଡ଼ କଥା ହେଲା ନୂଆ ନିୟମ ଅନୁଯାୟୀ ଇଣ୍ଟରମିଡିଏରିଜ୍ଙ୍କୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀ ଅନ୍ତର୍ଭୁକ୍ତ ଭାଷାରେ ନିଜ ନିୟମାବଳୀ ସମ୍ପର୍କରେ ସୂଚନା ଦେବାକୁ ପଡିବ । ବର୍ଷରେ ଅତିକମ୍ରେ ଥରେ ୟୁଜରମାନଙ୍କୁ ଇଂରାଜୀ ବା ସେମାନଙ୍କ ପସନ୍ଦର ଭାଷାରେ ନିୟମାବଳୀ ଓ ଅନ୍ୟ ଗୋପନୀୟତା ନୀତି ସୂଚାଇବାକୁ ପଡିବ । ତା’ଉପରେ ସୋସାଲ୍ ମିଡିଆ କମ୍ପାନୀର ଗ୍ରିଭାନ୍ସ ଅଫିସର ନେଇଥିବା କାର୍ଯ୍ୟାନୁଷ୍ଠାନରେ କୌଣସି ୟୁଜର ସନ୍ତୁଷ୍ଟ ନ ହେଲେ ଅପିଲୀୟ କମିଟିଙ୍କ ସମକ୍ଷରେ ୩୦ ଦିନ ଭିତରେ ଆପତ୍ତି କରିପାରିବେ ।
ପ୍ୟାନେଲ୍ ଅନ୍ଲାଇନ୍ ବିବାଦ ସମାଧାନ ପ୍ରଣାଳୀ ଆପଣାଇବେ ଶୁଣାଣିର ପୂରା ପ୍ରକ୍ରିୟା ଡିଜିଟାଲ୍ ମୋଡ୍ରେ ପରିଚାଳିତ ହେବ ।