ରାଜସ୍ଥାନରେ ସର୍ବୋଚ୍ଚ ଶିବ ପ୍ରତିମା

ଜୟପୁର (ଏଜେନ୍ସି): ରାଜସ୍ଥାନରେ ନିର୍ମିତ ଶିବ ପ୍ରତିମା, ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତିର ମାନ୍ୟତା ହାସଲ କରିବାକୁ ଯାଉଛି । ରାଜସ୍ଥାନର ରାଜସମାନ ଜିଲ୍ଲାର ନାଥୱାରା ସହରରେ ସ୍ଥାପିତ ଏହି ଶିବ ପ୍ରତିମାର ଉଚ୍ଚତା ୩୬୯ ଫୁଟ୍ ରହିଛି । ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି ପ୍ରାନ୍ତରେ ମଧ୍ୟ ଏତେ ଉଚ୍ଚର କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇନାହିଁ । ଏହାକୁ ‘ବିଶ୍ୱ ସ୍ୱରୁପମ୍’ ଭାବେ ଆଖ୍ୟାୟିତ କରାଯାଉଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ଶନିବାର ଏହି ବିଶାଳ ଶିବ ପ୍ରତିମାର ଉଦ୍ଘାଟନ କରାଯିବ । ଏହି ଅବସରରେ ଦୀଘ ୯ ଦିନ ବ୍ୟାପୀ ଏଠାରେ ରାମ କଥା ପାଠ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସମାରୋହ ମଧ୍ୟ ଆୟାଜିତ ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ସମାରୋହକୁ ଉଦ୍ଘାଟନ କରିବେ । ୭ରୁ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ, ପ୍ରଖ୍ୟାତ ଧର୍ମ ପ୍ରଚାରକ ମୋରାରି ବାପୁ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ଏହି ପ୍ରତିମାର ଶିଳାନ୍ୟାସ କରିଥିଲେ । ଉଦୟପୁର ଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିବା ପାଇଁ ପ୍ରାୟ ୧ଠ ବର୍ଷ ସମୟ ଲାଗିଥିବା ବେଳେ ୩ଠଠଠ ଟନ୍ ଓଜନର ଷ୍ଟିଲ ଲାଗିଥିବା ବେଳେ ୨୬ଠଠ ଟନ୍ ଲୁହା ଏବଂ ୨୬୬୧୮ କୁ୍ୟବିକ୍ ମିଟର ସିମେଣ୍ଟ-କଂକ୍ରିଟ୍ର ବ୍ୟବହାର କରାଯାଇଛି । ୨୫ଠ ବର୍ଷ ପର୍ଯ୍ୟନ୍ତ ଏହି ପ୍ରତିମୂର୍ତ୍ତିରେ ଜଙ୍ଗ୍ ମଧ୍ୟ ଲାଗିବ ନାହିଁ । ଏତଦ୍ବ୍ୟତୀତ ପବନର ବେଗ ଘଣ୍ଟା ପ୍ରତି ୨୫ଠ କିମି ପର୍ଯ୍ୟନ୍ତ ସହ୍ୟ କରିବାର ସାମର୍ଥ୍ୟ ଏହି ପ୍ରତିମୂର୍ତ୍ତିର ରହିଛି । ଏହି ଚମକ୍ରାର ପ୍ରତିମୂର୍ତ୍ତି ଆଧ୍ୟାତ୍ମିକ ପର୍ଯ୍ୟଟକକୁ ବେଶ ଆକୃଷ୍ଟ କରିବ । ପାହାଡ଼ ଉପରେ ର୍ନିମିତ ଏହି ଶିବମୂର୍ତ୍ତି ୨୦ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ ବୋଲି କୁହାଯାଇଛି । ସ୍ୱତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା ସହ ଭକ୍ତମାନଙ୍କ ପାଇଁ ଲିଫ୍ଟ, ସିଡ଼ି ଏବଂ ଏକ ହଲ୍ ନିର୍ମାଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *