ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆସିଆନ ପ୍ରତିନିଧି
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ନିମନ୍ତ୍ରଣ
ଭୁବନେଶ୍ୱର, ୨୮ା୧୦ (ବୁ୍ୟରୋ): ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ଆସିଆନ ହେଡ୍ସ ଅଫ ମିଶନର ପ୍ରତିନିଧି । ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ମେଗା ବିଜନେସ ସମିଟରେ ଆସିଆନର ପ୍ରତିନିଧିମାନେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଭେଟିଛନ୍ତି । ଓଡ଼ିଶାରେ ଭୌଗୋଳିକତା ବୃଦ୍ଧି ପାଇଛି ଏବଂ ଉପସାଗରରେ ପ୍ରାକୃତିକ ସମ୍ପଦ ଏବଂ ପ୍ରମୁଖ ବନ୍ଦର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି । ମୁଁ ଆଶା କରୁଛି ଯେ ଆମେ ଆମର ଦୁଇ ଅଞ୍ଚଳ ମଧ୍ୟରେ ଦୃଢ଼ ସମ୍ପର୍କକୁ ନବୀକରଣ କରିପାରିବା । ଆଗାମୀ ବର୍ଷରେ ଆମେ ଆମର ବାଣିଜି୍ୟକ ସମ୍ପର୍କକୁ ଆହୁରି ମଜବୁତ କରିପାରିବା । କେବଳ ସେତିକି ନୁହେଁ, ମୁଁ ମଧ୍ୟ ଆଶା କରୁଛି ଯେ ଆମେ ଆମର ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିପାରିବା ଏବଂ ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତି ସମସ୍ତ ପ୍ରତିନିଧିଙ୍କୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲେ । ଓଡ଼ିଶା ଓ ଏସିଆନ୍ ଦେଶଗୁଡ଼ିକର ସମ୍ପର୍କ ଆହୁରି ମଝବୁତ କରିବା ପାଇଁ ମେକ୍ ଇନ୍ ଓଡ଼ିଶା-୨୨ ଏକ ଉତ୍ତମ ମାଧ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସୂଚନାଥାଉ କି, ଗତ ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା ରୋଡ଼ ସୋ’ରେ ୨୩ ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ଦକ୍ଷିଣ-ପୂର୍ବ ବା ଏସିଆନ ସମୂହର ରାଷ୍ଟ୍ରଦୂତ ଓଡ଼ିଶା ଆସିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ ଦେଇଥିଲେ । ପୂର୍ବରୁ କଳିଙ୍ଗ ବା ଏବର ଓଡ଼ିଶା ସହ ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଥିବା ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଜବୁତ ହେବ ।
ଏସିଆନ ସମୂହର ୬ ରାଷ୍ଟ୍ରଦୂତ ଓଡ଼ିଶା ଗସ୍ତରେ ଆସିଛନ୍ତି । ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଲାଓସ୍, ମିଆଁମାର, ବୃନାଇ ପ୍ରଭୃତି ଦେଶର ରାଷ୍ଟ୍ରଦୂତ ଆସିଛନ୍ତି । ପ୍ରତିନିଧି ମଣ୍ଡଳ ପୁରୀ, କୋଣାର୍କ ଓ ରାଜାରାଣୀ ମନ୍ଦିର ସମେତ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ବିଭିନ୍ନ ବେଳାଭୂମି ବୁଲିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବ୍ୟବସାୟୀକ ନୁହେଁ ସଂସ୍କୃତିକ ସମ୍ପର୍କ ବଢିବ ସେ ନେଇ ଆଲୋଚନା ହୋଇଛି । ଓଡ଼ିଶାରୁ ସିଧାସଳଖ କିପରି ବିମାନସେବା ମିଳିପାରିବ ସେ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ବାଣିଜ୍ୟ କ୍ଷେତ୍ରରେ କଣ ସୁବିଧା ମିଳିପାରିବ ସେ ସଂକ୍ରାନ୍ତରେ ଦ୍ୱିପାକ୍ଷିକ ଆଲୋଚନା ସଫଳ ହୋଇଥିବା ପ୍ରକାଶ ପାଇଛି । ଏସିଆନ ଦେଶର ରାଷ୍ଟ୍ରଦୂତମାନେ ହସ୍ତତନ୍ତ ଓ ବୟନ ଶିଳ୍ପ ଉପରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ।
ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସ୍ଆର୍ସି ପି.କେ ଜେନା, ସିଏମ୍ (୫ ଟି) ସଚିବ ଭି.କେ ପାଣ୍ଡିଆନ୍ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଶିଳ୍ପ ବିଭାଗର ମୁଖ୍ୟ ସଚିବ ହେମନ୍ତ ଶର୍ମା ଅତିଥିଙ୍କୁ ସ୍ୱାଗତ କରିଥିଲେ ।