ଖୋଲିଲା ପାକିସ୍ତାନର ଅସଲ ମୁଖା

ହୋଟେଲ୍ ତାଜ୍ରେ ୟୁଏନ୍ଏସ୍ସି ବୈଠକ
ମୁମ୍ବାଇ(ଏଜେନ୍ସି): ଅନ୍ତର୍ଜାତୀୟସ୍ତରରେ ଭାରତ ଲଗାତାର ପାକିସ୍ତାନର ଆତଙ୍କବାଦ ସମର୍ଥକ ଚେହେରାକୁ ପଦାରେ ପକାଇଆସୁଛି । କିନ୍ତୁ ଲାଜ ସରମ୍ ନଥିବା ପାକିସ୍ତାନ ଏହାକୁ ସ୍ୱୀକାର କରୁନାହିଁ । ତେବେ ଭାରତ ଏବେ ପୁଣିଥରେ ପାକିସ୍ତାନର ଅସଲ ଚେହେରାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଉଦ୍ୟମ କରିଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁୂଏନ୍ଏସ୍ସି) ବୈଠକରେ ଭାରତ, ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅନେକ ପ୍ରମାଣକୁ ଉପସ୍ଥାପିତ କରିଛି । କେବଳ ସେତିକି ନୁହେଁ, ପାକିସ୍ତାନୀ ଆତଙ୍କବାଦୀ ସାଜିଦ୍ ମିର୍ର ଏକ ରେକର୍ଡେଡ୍ ଅଡିଓକୁ ମଧ୍ୟ ପ୍ଲେ କରିଛି । ଏଥିରେ ଆତଙ୍କବାଦୀ ସାଜିଦ୍ ମିର୍ ଭାରତକୁ ଆସିଥିବା ଏବଂ ଚବାଡ୍ ହାଉସ୍ରେ ଥିବା ନିଜ ଆତଙ୍କୀଙ୍କୁ ଜନବହୁଳ ଅଞ୍ଚଳରେ ଲୋକଙ୍କ ଉପରେ ଗୁୂଳିମାଡ଼ କରିବାକୁ ନିଦେ୍ର୍ଦଶ ଦେଉଥିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ତାଜ୍ ହୋଟେଲ୍ରେ ହିଁ ଚଳିତ ବର୍ଷ ୟୁଏନ୍ଏସ୍ସି ବୈଠକ ଅନୁଷ୍ଠିତ ହେଉଛି । ସାଜିଦ୍ ମିର୍ର ଅଡିଓ’ ଶେଷ ହେବା ପରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ପାକିସ୍ତାନ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଜୟଶଙ୍କର କହିଛନ୍ତି, ପାକିସ୍ତାନ ପ୍ରଥମରୁ ହିଁ ଡିଏନ୍ଏ ଟେଷ୍ଟ ଆଳରେ ସାଜିଦ୍ ମିର୍ ମୃତ ବୋଲି ଘୋଷଣା କରିଥିଲା । କିନ୍ତୁ ଏହି ଅଡିଓରୁ ସାଜିଦ୍ ମିର୍ ହିଁ ମୁମ୍ବାଇ ଆକ୍ରମଣ ପଛରେ ରହିଥିବା ପ୍ରମାଣ ମିଳୁଛି । ସାଜିଦ୍ ମିର୍ ପୂର୍ବରୁ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍ଆଇରେ ଜଣେ ଅଧିକାରୀ ଭାବେ କାମ କରିସାରିଛି । କେବଳ ମୁମ୍ବାଇ ଆକ୍ରମଣ ପାଇଁ ନୁହେଁ ବରଂ ଅନେକ ଅନ୍ତର୍ଜାତୀୟ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ମଧ୍ୟ ସାଜିଦ୍ ମିର୍ ହିଁ ମୁଖ୍ୟ ଅଭିଯୁକ୍ତ । ସାଜିଦ୍ ମିର୍, ଲସ୍କର-ଏ-ତୋଇବାର ଡେନ୍ମାର୍କ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ । ଜୟଶଙ୍କରଙ୍କ କହିବାନୁସାରେ ପାକିସ୍ତାନ କେବଳ ବିଶ୍ୱକୁ ଅନ୍ଧାରରେ ରଖିବା ପାଇଁ ଏପ୍ରକାର ଅପପ୍ରଚାର କରିଥିଲା । ପରେ ଯେତେବେଳେ ବିଶ୍ୱସ୍ତରରେ ଚାପ ପ୍ରୟୋଗ କରାଗଲା ସେତେବେଳେ ପାକିସ୍ତାନ ସରକାର ତା’କୁ ଗିରଫ କରାଯାଇଥିବା ଦର୍ଶାଇଥିଲେ । କିନ୍ତୁ ଏବେ ସେ କେଉଁଠି ସେସମ୍ପର୍କରେ କାହାକୁ କୌଣସି ସୂଚନା ନାହିଁ । ମିଳିତ ଜାତିସଂଘରେ ସାଜିଦ୍ ମିର୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ପ୍ରକ୍ରିୟା ମଧ୍ୟ ବିଳମ୍ବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୬/୧୧ ଆକ୍ରମଣ କେବଳ ଭାରତ ଉପରେ ନୁହେଁ ବରଂ ସମଗ୍ର ବିଶ୍ୱ ଉପରେ ଥିଲା ବୋଲି ଜୟଶଙ୍କର କହିଛନ୍ତି । ୨୬/୧୧ ଆକ୍ରମଣ ହେଉ କିମ୍ବା ଅନ୍ୟ ଯେକୌଣସି ଆତଙ୍କୀ ହମ୍ଲା ହେଉ, ଏଥିରେ ପୀଡ଼ିତଙ୍କ ଦୁଃଖ କେବଳ ଆମେ ଶୁଣିପାରିବା, ସେମାନଙ୍କ କ୍ଷତିର ଭରଣା କଦାପି କରାଯାଇପାରିବନି । ଆତଙ୍କବାଦ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ବୃହତ୍ ବିପଦ । ୨ଠଠ୮, ୨୬/୧୧ ଆକ୍ରମଣରେ ମୁମ୍ବାଇର ତାଜ୍ ହୋଟେଲ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ଅନ୍ୟପକ୍ଷେ ଭାରତ ମଧ୍ୟ ଏହି ବୈଠକରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଠାଇଛି । ପ୍ରକାଶଯୋଗ୍ୟ, ୨୬ ନଭେମ୍ବର ୨ଠଠ୮ରେ ଲସ୍କର-ଏ-ତୋଇବାର ପ୍ରାୟ ୧ଠ ଆତଙ୍କବାଦୀ ସମୁଦ୍ରପଥ ଦେଇ ଭାରତରେ ପ୍ରବେଶ କରିଥିଲେ । ସେମାନଙ୍କୁ ହାଇଦ୍ରାବାଦ୍ର କୌଣସି ଏକ ଶିକ୍ଷାନୁଷ୍ଠାନର ଛାତ୍ର ଦର୍ଶାଇବା ପାଇଁ ଜାଲ୍ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏମାନେ ମୁମ୍ବାଇର ୪ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୨୬ ବିଦେଶୀ ନାଗରିକଙ୍କୁ ମିଶାଇ ପ୍ରାୟ ୧୬ଠରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିଲା । ପରେ ଦେଶର ସୁରକ୍ଷା ବଳ ଏବଂ ମୁମ୍ବାଇ ପୁଲିସ୍ ମିଳିତ ଭାବେ ୯ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ନିପାତ କରିଥିବା ବେଳେ ଅଜମଲ୍ କସବ୍ ନାମକ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଥିଲେ । ପରେ କସବ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *