ଚୀନ୍କୁ ଭାରତର ଚେକ୍ମେଟ୍
ନୂଆଦିଲ୍ଲୀ/ ବେଜିଂ (ଏଜେନ୍ସି): ଭାରତ-ଚୀନ୍ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ କେତେକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ବିଶେଷକରି ଭାରତ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଏସବୁ କାର୍ଯ୍ୟକ୍ରମ ଭାରତ-ଚୀନ୍ ବାସ୍ତବିକ ନିୟନ୍ତ୍ରଣ ସୀମାରେଖା (ଏଲଏସି)ରେ ହିଁ ସଂଘଠିତ ହେବ । ଏହାକୁ ନେଇ ଚୀନ୍ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇପଡିଥିବା ଅନେକ ଜାତୀୟ ଅର୍ନ୍ତଜାତୀୟ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ ପ୍ରକାଶ କରୁଥିଲେ ହେଁ, ଭାରତ ଉପରେ ଏସବୁର କୌଣସି ପ୍ରଭାବ ପଡୁନଥିବା ପ୍ରତୀତ ହେଉଛି ।
ଭାରତ ପକ୍ଷରୁ ପ୍ରଥମ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଉଥିବା ପଦକ୍ଷେପ ମଧ୍ୟରେ ଏଲ୍ଏସି ସଂଲଗ୍ନ ଭୂଭାଗରେ ଭାରତୀୟ ସେନା ଏବଂ ଆମେରିକୀୟ ସେନା ମିଳିତ ସମରାଭ୍ୟାସ କରିବେ । ବର୍ଷ ଶେଷ ସୁଦ୍ଧା ଭାରତ ଏଲ୍ଏସି ଅଞ୍ଚଳରେ ପ୍ରାୟ ୩ଟି ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯୋଜନା କରିଛି । ପ୍ରାପ୍ତ ସୂଚନାନୁସାରେ ଏସମସ୍ତ ସାମରିକ ଅଭ୍ୟାସ ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହେବ ଏବଂ ୧୧ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି । ଭାରତ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି ମାଲାବାର ନୌସମରାଭ୍ୟାସ କରିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ସହ ଇନ୍ଫ୍ୟାଣ୍ଟ୍ରି (ସ୍ଥଳଭାଗ)ରେ ଯୁଦ୍ଧାଭ୍ୟାସ କରିବ ।
ସେହିପରି ଭାରତୀୟ ସ୍ଥଳସେନା ଏବଂ ୟୁଏସ୍ ସ୍ଥଳସେନା ଆସନ୍ତା ୧୫ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଏଲଏସି ନିକଟରେ ଯୁଦ୍ଧାଭ୍ୟାସ କରିବେ । ଉତ୍ତରାଖଣ୍ଡର ଓଲି ଅଞ୍ଚଳରେ ଏହି ସମରାଭ୍ୟାସ କରାଯିବ । ଏଲ୍ଏସି ଠାରୁ ଏହି ଅଞ୍ଚଳ ମାତ୍ର ୧ଠଠ କିମି ଦୂରତାରେ ରହିଛି । ଭାରତ-ଆମେରିକା ସମରାଭ୍ୟାସରେ ଉଭୟ ଦେଶ ପକ୍ଷରୁ ୩୫ଠ ସୈନିକ ଅଂଶଗ୍ରହଣ କରିବେ । ଉତ୍ତରାଖଣ୍ଡ ସହ ସଂଲଗ୍ନ ଥିବା ଚୀନ୍ ସୀମାରେଖା ଭାରତୀୟ ସେନାର ସେଣ୍ଟ୍ରାଲ ସେକ୍ଟରର ଅଂଶବିଶେଷ । ସୁତରାଂ ଭାରତ-ଚୀନ୍ ମଧ୍ୟରେ ଏହି ଅଞ୍ଚଳକୁ ନେଇ ଦୀର୍ଘ ସମୟ ଧରି ବିବାଦ ରହିଆସିଛି । ବିଶେଷକରି ଗଲୱାନ୍ ଘାଟିରେ ଉଭୟ ଭାରତ ଏବଂ ଚୀନ୍ର ସେନାବାହିନୀଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏପରିସ୍ଥିତିରେ ଚୀନ୍ର ଅନ୍ୟତମ ଶତ୍ରୁ ରାଷ୍ଟ୍ର ଭାବେ ବିବେଚିତ ହେଉଥିବା ଆମେରିକା ସହ ଭାରତ ଏହି ଅଞ୍ଚଳରେ ସମରାଭ୍ୟାସ କରିବାକୁ ନେଇ ଚୀନ୍ ଉତ୍କ୍ଷିପ୍ତ ହୋଇପଡିଛି । ତେବେ ଭାରତ ପାଇଁ ଏହି ସମରାଭ୍ୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ।