ଚାଷୀଙ୍କୁ ୫ ବର୍ଷ ବର୍ଦ୍ଧିତ ପ୍ରୋତ୍ସାହନ

୧ଠରେ ପ୍ରଥମ ମାଣ୍ଡିଆ ଦିବସ ପାଳିବ ଓଡ଼ିଶା
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ୧୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପାଳନ ହେବ “ମାଣ୍ଡିଆ ଦିବସ’ । ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ରାଜ୍ୟରେ ମାଣ୍ଡିଆ ଦିବସ’ ଆୟୋଜନ ହେବ । କାର୍ଯ୍ୟକ୍ରମ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବ ବୋଲି ପ୍ରସ୍ତୁତିର ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କୃଷି ଭବନରେ ଆୟୋଜିତ ମାଣ୍ଡିଆ ଦିବସ ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି, ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ୧୧ ଜିଲ୍ଲାର ୩୪ ବ୍ଲକକୁ ଓଡ଼ିଶା ମିଲେଟ ମିଶନକୁ ସମ୍ପ୍ରସାରିତ କରାଯାଇଛି । ଫଳରେ ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକର ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟ କରୁଛି । ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ବର୍ଷା ପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନିଆଯାଇଛି । ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ।
ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମିଲେଟ ଦିବସ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରିବ । ଏଥି ସହିତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ୍ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ଥିର ହୋଇଛି । ଏହାର କାର୍ଯ୍ୟକାରିତା ପାଇଁ ଏକ ଆନିମେସନ୍ କ୍ୟାରେକ୍ଟର ମିଲିକୁ ଆଗକୁ ଅଣାଯାଇଛି । ଏହାର ଆକର୍ଷଣୀୟ ହୋଡ଼ିଂ ବିଭିନ୍ନ ସ୍ଥାନରେ ଲଗାଯିବ ।
ରାଜ୍ୟର ସମସ୍ତ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ କୁଇଜ୍ ପ୍ରତିଯୋଗିତା, ଫୁଡ଼୍ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ । କୃଷି ଭବନରେ ମଧ୍ୟ ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ । ଏଥି ସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମ୍ପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରା ଆସୋସିଏସନ୍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସା ଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଚଳିତ ବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟରେ ମିଲେଟ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମାଣ୍ଡିଆ ଦିବସ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହା ସହ ବିଭିନ୍ନ ବିଭାଗର ସହଭାଗିତାରେ ମାଣ୍ଡିଆର ପ୍ରସାର କରାଯାଉଛି ବୋଲି ସେ କହିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *