ଭୁଲ୍ ରିପୋର୍ଟ ଦେଇ ତଣ୍ଡ ଗଣିବେ ଡାକ୍ତର

ମା’ ପେଟରେ ଛୁଆ ସୁସ୍ଥ, ଜନ୍ମ ପରେ ଦିବ୍ୟାଙ୍ଗ
ଝଙ୍କଡ଼ (ଆପ୍ର): ଭୁଲ ରିପୋର୍ଟ ଦେଇ ଡାକ୍ତର ଗଣିବେ ଜରିମାନା । ଦିବ୍ୟାଙ୍ଗ ଶିଶୁ ଜନ୍ମ ପାଇଁ ଡାକ୍ତରଙ୍କୁ ଜରିମାନା କରିଛନ୍ତି ଜଗତସିଂହପୁରର ଖାଉଟି ଅଦାଲତ । ଜରିମାନା ସ୍ୱରୂପ ଅଭିଯୋଗକାରୀଙ୍କୁ ଡାକ୍ତର ୧୦ ଲକ୍ଷ ୪୫ ହଜାର ଟଙ୍କା ଦେବାକୁ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ସୂଚନାନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନିକଟ କୋଲର ଜୟପୁର ନିବାସୀ ମନୋରଞ୍ଜନ ଚୁଳିଙ୍କ ପତ୍ନୀ ବନ୍ଦନା ଦାସ ଗର୍ଭବତୀ ଥିବା ବେଳେ ଏଲ୍ ଆଣ୍ଡ ପି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ପ୍ରତାପ କେଶରୀ ଦାସ ତାଙ୍କର ଚିକିତ୍ସା କରୁଥିବା ବେଳେ ଗର୍ଭଧାରଣ ସମୟରେ ୩ ଥର ଅଲଟ୍ରାସାଉଣ୍ଡ ମଧ୍ୟ କରିଥିଲେ ବନ୍ଦନା । ଅଲଟ୍ରାସାଉଣ୍ଡ ରିପୋର୍ଟରେ ପିଲା ସୁସ୍ଥ ଥିବା ଡାକ୍ତର କହିଥିବା ବେଳେ ଜନ୍ମପରେ ଶିଶୁଟି ଦିବ୍ୟାଙ୍ଗ ବୋଲି ଜଣାପଡ଼ିଛି । ପରେ ଡାକ୍ତରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ଏଭଳି ବେଳେ ବେଳେ ହୁଏ ବୋଲି ଖିଆଲି ଢଙ୍ଗରେ କହିଥିଲେ । ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସହାୟତାରେ ବନ୍ଦନା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଖାଉଟି ଅଦାଲତ ଏହାର ଶୁଣାଣି କରି ଡାକ୍ତରଙ୍କୁ ଶିଶୁର ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା, ପିତାମାତାଙ୍କ ମାନସିକ ଚାପ ପାଇଁ ୪୦ ହଜାର, ଏବଂ ମୋକଦ୍ଦମା ପରିଚାଳନା ପାଇଁ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଅପରପକ୍ଷେ ଡାକ୍ତରଙ୍କ ମତାମତ ନେବାକୁ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *