କଂଗ୍ରେସରେ ଖଡ଼ଗେ ଯୁଗ
ନୂଆଦିଲ୍ଲୀ, ୨୬ା୧ଠ: କଂଗ୍ରେସରେ ବୁଧବାର ଠାରୁ ଆରମ୍ଭ ହୋଇଛି ମଲିକାର୍ଜ୍ଜୁନ ଖଡ଼ଗେ ଯୁଗ । ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଖଡ଼ଗେଙ୍କୁ ନିର୍ବାଚନ ସାର୍ଟିଫିକେଟ ଦିଆଯାଇଥିଲା । ଏହା ପରେ ସେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଭୃତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟଭାର ଗ୍ରହଣ ପରେ ସେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ସହ ପ୍ରଥମ ବୈଠକ କରିଥିଲେ । ଏହି ଅବସରରେ ଖଡ଼ଗେ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଖୁବଶୀଘ୍ର ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଥିଲେ । ୮ଠ ବର୍ଷୀୟ ନୂଆ ଅଧ୍ୟକ୍ଷ କହିଥିଲେ ଯେ ଉଦୟପୁର ଘୋଷଣା ଅନୁଯାୟୀ କଂଗ୍ରେସରେ ୫ଠ ବର୍ଷରୁ କମ୍ ବୟସର କାର୍ଯ୍ୟକର୍ତ୍ତାଙ୍କୁ ନୂଆ ପଦରେ ନିଯୁକ୍ତି ସୁଯୋଗ ମିଳିବ ।
ଖଡ଼ଗେ ଦଳର ସର୍ବୋଚ୍ଚ ପଦ ଭାର ଗ୍ରହଣ କରିବା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁ୍ୟସି) ସ୍ଥାନରେ ଷ୍ଟିଅରିଂ (ସଂଚାଳନ) କମିଟି ଗଠନ କରିଛନ୍ତି । ତା’ ପୂର୍ବରୁ ଦଳର ପରମ୍ପରା ଅନୁଯାୟୀ ସିଡବ୍ଲୁ୍ୟସିର ସମସ୍ତ ମହାସଚିବ, ପ୍ରଭାରୀ ଓ ସଦସ୍ୟଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥିଲା । ନବଗଠିତ ଷ୍ଟିଅରିଂ କମିଟିରେ ସୋନିଆ ଗାନ୍ଧୀ, ମନମୋହନ ସିଂହ, ରାହୁଳ ଗାନ୍ଧୀଙ୍କ ସମେତ ୪୭ ନେତାଙ୍କ ନାମ ଅଛି । ଓଡ଼ିଶାର ଭକ୍ତଚରଣ ଦାସଙ୍କୁ ଏଥିରେ ସାମିଲ କରାଯାଇଛି ।
ଦଳୀୟ ସୂତ୍ର ଅନୁଯାୟୀ ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଠାରୁ ଆରମ୍ଭ କରି ପ୍ରଦେଶ ଓ ଜିଲ୍ଲା କାର୍ଯ୍ୟକାରିଣୀରେ ନିଷ୍କ୍ରିୟ ନେତାମାନଙ୍କୁ ଛୁଟି ଦିଆଯିବ । ତା’ ସହିତ ଦଳରୁ ଗୋଷ୍ଠୀବାଦକୁ ମୂଳପୋଛ କରାଯିବ ।
ବୁଧବାର ଖଡ଼ଗେ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳୀୟ ନେତାମାନଙ୍କୁ ଉଦବୋଧନ ଦେଇଥିଲେ । ତାଙ୍କ ପରେ ଖଡ଼ଗେ ୨୧ ମିନିଟ୍ ୩୬ ସେକେଣ୍ଡ ଭାଷଣ ଦେଇଥିଲେ । ସେଥିରେ ସେ ୧ଠ ଥର ସୋନିଆ ଓ ରାହୁଳଙ୍କ ନାମ ଉଲ୍ଲେଖ ପୂର୍ବକ ଦୁହିଁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପଦ ଭାର ଗ୍ରହଣ ସମାରୋହ ପାଇଁ ନିର୍ମିତ ମଞ୍ଚରେ କେବଳ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, କେ.ସି. ବେଣୁଗୋପାଳ ଓ ମଧୁସୂଦନ ମିସ୍ତ୍ରୀଙ୍କ ଛଡ଼ା ଅନ୍ୟ କୌଣସି ନେତାଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇ ନ ଥିଲା ।
ଅଧ୍ୟକ୍ଷ ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରୀ ଖଡ଼ଗେଙ୍କୁ ବିଜୟ ପ୍ରମାଣପତ୍ର ଦେବାପରେ କହିଥିଲେ, କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଛି । ଦଳରେ ୬ କୋଟିରୁ ଅଧିକ ନୂଆ ସଦସ୍ୟ ଯୋଗ ଦେଇଛନ୍ତି । ସେଥିରୁ ୨.୫ କୋଟି ଲୋକ ଡିଜିଟାଲ ମେମ୍ବରସିପ୍ ନେଇଛନ୍ତି ।