ଜୀବନ ନେଉଛି ଜୀବାଶ୍ମ ଇନ୍ଧନ

ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଦ୍ୱାରା ପ୍ରତି ୨ ମିନିଟ୍ରେ ଜଣେ କିମ୍ବା ତତୋଧିକ ପ୍ରାଣହାନୀ ହେବାରେ ଲାଗିଛି । ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଲାନ୍ସେଟ୍ ଅଧ୍ୟୟନ ରିପୋର୍ଟରୁ ଏପ୍ରକାର ଚାଞ୍ଚଲ୍ୟକର ତଥ୍ୟ ସମ୍ପର୍କରେ ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ ବିଶ୍ୱ ମୌସୁମୀ ବିଜ୍ଞାନ ସଂଗଠନ ସମେତ ୫ଠରୁ ଅଧିକ ସଂଗଠନ ପକ୍ଷରୁ ପ୍ରାୟ ୯୯ ବିଶେଷଜ୍ଞ ମିଳିତ ଭାବେ ଏହି ପ୍ରସଙ୍ଗ ଉପରେ ଗବେଷଣା କରିଥିବା ବେଳେ ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି । କେବଳ ସେତିକି ନୁହେଁ ରିପୋର୍ଟରେ ବିଶ୍ୱସ୍ତରୀୟ ନେତାମାନେ ବର୍ତ୍ତମାନ ସମୟରୁ ହିଁ ନିଜ ନିଜ ସ୍ୱାସ୍ଥ୍ୟ କେନ୍ଦ୍ରିତ ଦୃଷ୍ଟିକୋଣକୁ ବ୍ୟାପକ କରିବା ସହ ଏଦିଗରେ ପର୍ଯ୍ୟାପ୍ତ ବିନିଯୋଗ ପୂର୍ବକ ସମସ୍ୟାର ସମାଧାନ ଦିଗରେ ତତ୍ପର ହେବା ଉଚିତ୍ । ନଚେତ୍ ଆଗାମୀ ଭବିଷ୍ୟତ ଅଧିକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ରିପୋର୍ଟ ଦର୍ଶାଇଛି ।
ଦ୍ଭ ୨ଠ୨ଠରେ ପ୍ରାୟ ୩,୩ଠ,ଠଠଠ ଭାରତୀୟଙ୍କ ମୃତୁ୍ୟ
ଲାନ୍ସେଟ୍ ରିପୋର୍ଟ ରିପୋର୍ଟ ଅନୁସାରେ କେବଳ ୨ଠ୨ଠ ବର୍ଷରେ ଜୀବାଶ୍ମ ଇନ୍ଧନ କଣିକା ସଂସ୍ପର୍ଶରେ ଆସିବା ଯୋଗୁ ପ୍ରାୟ ୩,୩ଠ,ଠଠଠ ଭାରତୀୟ ପ୍ରାଣ ହରାଇଛନ୍ତି । ସେହିପରି ୨ଠଠଠରୁ ୨ଠଠ୪ ଏବଂ ୨ଠ୧୭ରୁ ୨ଠ୨୧ ମଧ୍ୟରେ ମାତ୍ରାଧିକ ଉତ୍ତାପ, ଅସହ୍ୟ ଗୁଳଗୁଳି କାରଣରୁ ଭାରତରେ ମୃତୁ୍ୟ ହାର ପ୍ରାୟ ୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଇଛି । ସେହିପରି ଯଦି ଚୀନ୍, ଆମେରିକା କିମ୍ବା ୟୁରୋପୀ ଦେଶଗୁଡ଼ିକରେ ଜୀବାଶ୍ମ ଇନ୍ଧନ ପାଇଁ ହେଉଥିବା ଅସ୍ୱାଭାବିକ ମୃତୁ୍ୟ ଲେଖ ଉପରେ ନଜର ପକାଇବା ତେବେ ଏସବୁ ଦେଶରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ପ୍ରମାଣ ମିଳୁଛି । ୨ଠ୨ଠରେ କେବଳ ଚୀନ୍ରେ ପ୍ରାୟ ୩,୮ଠ,ଠଠଠ ମୃତୁ୍ୟ ହୋଇଥିବା ୟୁୂରୋପରେ ୧,୧୭,ଠଠଠ ଏବଂ ଆମେରିକାରେ ୩୨ହଜାର ଲୋକ ପ୍ରାଣ ହରାଇଛନ୍ତି । ତେବେ ଏସବୁ ପାଇଁ ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ରିପୋର୍ଟରୁ ସ୍ପଷ୍ଟ ହେଉଛି । କୋଭିଡ୍ ମହାମାରୀ ଯେତେ ଯେତେ ହ୍ରାସ ପାଇବାରେ ଲାଗିଛି, ବିଶ୍ୱସ୍ତରରେ ଏକ ଅର୍ଥନୈତିକ ସଙ୍କଟ, ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ ଏବଂ ସର୍ବୋପରି ବାୟୁପ୍ରଦୂଷଣ ଭଳି ନୂଆ ସମସ୍ୟା ସେତେ ସେତେ ବୃଦ୍ଧି ପାଇ ଚାଲିଛି । ଏସବୁ କାରଣରୁ ଅଧିକରୁ ଅଧିକ ଲୋକ ଏବେ ମୃତୁ୍ୟମୁଖରେ ପଡ଼ିବାରେ ଲାଗିଛନ୍ତି । କୋଇଲା, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମାତ୍ରାଧିକ ଚାହିଦା ବୃଦ୍ଧି ଅନାୟାସରେ ଏପ୍ରକାର ବିପଦକୁ ଆହ୍ୱାନ କରିବା ଭଳି ହୋଇଛି ।
ଦ୍ଭ ବେଳହୁଁ ସାବଧାନ ନହେଲେ ପରିଣତି ଭୟଙ୍କର ହେବ
ଲାନ୍ସେଟ୍ ରିପୋର୍ଟ ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶଗୁଡ଼ିକୁ ସତର୍କ ଚେତାବନୀ ଦେବା ଭଳି ହୋଇଛି କହିଲେ ଅତୁ୍ୟକ୍ତି ହେବନି । ବେଳହୁଁ ସାବଧାନ ନହେଲେ ପରିଣତି ଭୟଙ୍କର ହେବାର ପୂର୍ବାନୁମାନ କରିଛି ରିପୋର୍ଟ । ଏତଦ୍ବ୍ୟତୀତ ଏବେ ଠାରୁ ହିଁ ସ୍ୱାସ୍ଥ୍ୟ ସମ୍ପର୍କୀତ କାର୍ଯ୍ୟକ୍ରମକୁ ଯଥାସମ୍ଭବ ମଜବୁତ୍ କରିବାକୁ ମଧ୍ୟ ପରାମର୍ଶ ଦେଇଛି । ଜୀବାଶ୍ମ ଇନ୍ଧନର ବ୍ୟବହାର ଦିଗରେ ଉପଭୋକ୍ତାଙ୍କୁ ଦିଆଯାଉଥିବା ସବ୍ସିଡି ଏବଂ ପ୍ରାଥମିକତା ଖାଦ୍ୟ ନିରାପତ୍ତା, ସଂକ୍ରାମକ ରୋଗ ସଂକ୍ରମଣ, ଉତ୍ତାପ ଜନିତ ରୋଗ, ଶକ୍ତି ଦାରିଦ୍ର୍ୟ ତଥା ବାୟୁ ପ୍ରଦୂଷଣ ଆଦି କାରଣରୁ ହେବାକୁ ଥିବା ନିଶ୍ଚିତ ମୃତୁ୍ୟ ଆଶଙ୍କାକୁ ବହୁଗୁଣିତ କରୁଥିବା ରିପୋର୍ଟ ଉଲ୍ଲେଖ କରିଛି । ଲାନ୍ସେଟ୍ ରିପୋର୍ଟ ଉଲ୍ଲେଖ କରିଛି ଯେ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁଧାରିବା ରାଜନୈତିକ ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ । ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ କରିବାରେ ବୈଶ୍ୱିକ ସାମୂହିକ ବିଫଳତା ସମ୍ପୂର୍ଣ୍ଣ ଭାବେ ରାଜନୈତିକ, ଯାନ୍ତ୍ରିକ ନୁହେଁ ।
ଆଗାମୀ ଦିନରେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ, ସିଓପି୨୭ ଇଜିପ୍ଟର ମିଶର ସହରରେ ଆୟୋଜିତ ହେବାକୁ ଯାଉଛି । ସମ୍ମିଳନୀ ପୂର୍ବରୁ ଏପ୍ରକାର ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ବିଶ୍ୱସ୍ତରୀୟ ନେତାସମୂହ ଏହା ଉପରେ ଆଲୋଚନା କରିବେ ବୋଲି ଆଶା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *