କେବେ ଲାଗୁ ହେବ ଡ୍ରେସ୍ କୋଡ୍?

ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି । ଏପରିକି ଆମିକସ୍ କୁ୍ୟରୀଙ୍କଠାରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ କଟକଣା ଜାରି କରିଥିଲେ ସୁଦ୍ଧା ଶ୍ରୀମନ୍ଦିର ଶୃଙ୍ଖଳା ସ୍ଥିତିରେ ପରିବର୍ତ୍ତନ ନାହିଁ । କିନ୍ତୁ ଦିନକୁ ଦିନ ଏବେ ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି । ଏକପ୍ରକାର ଶ୍ରୀମନ୍ଦିର ପ୍ରଶାସନ ସ୍ଥାଣୁ ପାଲଟିଛି । କେବଳ ଲୋକଦେଖାଣିଆ ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକଙ୍କ ସମେତ ଅନ୍ୟ ଅଧିକାରୀମାନେ ରହିଥିଲେ ସୁଦ୍ଧା ଶ୍ରୀମନ୍ଦିରର ଶୃଙ୍ଖଳା କାହାର ନଜିର ନାହିଁ । କେବଳ କାର୍ଯ୍ୟାଳୟକୁ ଆସି କିଛି କାର୍ଯ୍ୟସାରି ମୋଟାଅଙ୍କର ଅର୍ଥକୁ ଦରମା ଆକାରରେ ନେବା ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ନାହିଁ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଯାନିଯାତ୍ରା ସମୟରେ ଗଣମାଧ୍ୟମକୁ ସୂଚନା ଦିଅନ୍ତି ଶ୍ରଦ୍ଧାଳୁମାନେ କିପରି ଆସିବେ ସଠିକ୍ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହେଲେ ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଓଲଟା । କେବଳ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ହୋଇଛି ଏକମାତ୍ର ବାହାନା । ଫଳରେ ଶ୍ରୀମନ୍ଦିରର ସ୍ଥିତି ପରଖିବାକୁ କେହିନାହାନ୍ତି । ଫଳରେ ଦିନକୁ ଦିନ ଶ୍ରୀମନ୍ଦିର ପରିସରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଏବେ ଅଣସେବାୟତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଶ୍ରଦ୍ଧାଳୁ । ସେମାନେ ଶ୍ରୀମନ୍ଦିରରୁ ଅସନ୍ତୋଷ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଅଣସେବାୟତଙ୍କ ଦୌରାତ୍ମ୍ୟ ବଢୁଥିବାବେଳେ ଯାତନା ସହୁଛନ୍ତି ଶ୍ରଦ୍ଧାଳୁ ।
୨୦୨୧ମସିହା ଅକ୍ଟୋବରରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେବାୟତ, ଜେଟିପି ଓ କର୍ମଚାରୀମାନଙ୍କ ପାଇଁ ଖୁବ୍ଶୀଘ୍ର ଡ୍ରେସକୋଡ୍ ଲାଗୁ କରାଯିବ ବୋଲି ଘୋଷଣା ହୋଇଥିଲା । ହେଲେ ଘୋଷଣାକୁ ଏକବର୍ଷ ବିତିବା ସହ ମୁଖ୍ୟ ପ୍ରଶାସକ ବଦଳି ଯାଇଥିଲେ ବି ଡ୍ରେସ୍କୋଡ୍ ଲାଗୁ ହୋଇପାରିଲା ନାହିଁ । ତେବେ ବାରମ୍ବାର ଶ୍ରୀମନ୍ଦିର ପରିସରରେ ଅଣସେବାୟତଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ତେଣୁ ଶ୍ରୀମନ୍ଦିର ପରିସରରେ ଶୃଙ୍ଖଳା ଆଣିବାକୁ ହେଲେ ଡ୍ରେସକୋଡ୍ ବ୍ୟବସ୍ଥା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଚାର ବିମର୍ଷ ଜାରି ରହିଛି । ଅତିଶୀଘ୍ର ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ଭିତରେ ଡ୍ରେସକୋଡ୍ ବ୍ୟବସ୍ଥା ହେଲେ ସେବାୟତଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଆଚରଣରେ ପରିବର୍ତ୍ତନ ଆସିବ ବୋଲି ମତପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *