ପ୍ରାଣୀ ଚିକିତ୍ସାଳୟରେ ୨୪ଘଣ୍ଟା ସେବା ଯୋଗାଇବାକୁ ଦାବି
ବ୍ରହ୍ମପୁର (ବୁ୍ୟରୋ): ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ୨୪ଘଣ୍ଟା ସେବା ଯୋଗାଇବା ପାଇଁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଚିକିତ୍ସାରେ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ, ଔଷଧ ବାଟମାରଣା ପ୍ରତିବାଦରେ ବୁଧବାର ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରାଙ୍କୁ ସହରର କିଛି ବୁଦ୍ଧିଜୀବୀ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବ୍ରହ୍ମପୁର ସହରରେ ପଶୁ ଚିକିତ୍ସାରେ ଗୁରୁତର ଅବହେଳା ଦେଖାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅସହାୟ ଅବସ୍ଥାରେ କୌଣସି ପଶୁକୁ ରାସ୍ତାରେ ପଡିଥିବା ଦେଖି ଯଦି କୌଣସି ବ୍ୟକ୍ତି ଡାକ୍ତରଙ୍କୁ ସୂଚନା ଦିଅନ୍ତି, ଫୋନ୍ କରିଥିବା ଲେକଙ୍କୁ ଲୋକ ଯୋଗାଡ଼ କରି ଉକ୍ତ ଦୁର୍ଘଟଣାଗ୍ରସ୍ତ ପଶୁଟିକୁ ଆଉ ଏକ ଜାଗାକୁ ଆଣିବାକୁ କୁହାଯାଉଛି । ଆମ୍ବୁଲାନ୍ସରେ ଯାଇଥିବା ପଶୁ ଡାକ୍ତର ଓ କର୍ମଚାରୀମାନେ ଉକ୍ତ ସ୍ଥାନରେ ପହଞ୍ଚୁଛନ୍ତି ଅଥଚ କର୍ମଚାରୀମାନେ ପଶୁଟିକୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ଆଗକୁ ଆସୁନାହାଁନ୍ତି । ଟୋଲଫ୍ରି ହେଲ୍ପଲାଇନ୍ ନମ୍ବରରେ ସକାଳ ୬ଟାରେ ଫୋନ୍ କଲେ ମଧ୍ୟାହ୍ନ ୧୨ଟାରେ କର୍ମଚାରୀମାନେ ପହଞ୍ଚୁଛନ୍ତି । ହସ୍ପିଟାଲ କର୍ମଚାରୀଙ୍କୁ ବା ଡାକ୍ତରଙ୍କୁ ଫୋନ୍ କଲେ କେହି ଆସିପାରିବୁ ନାହିଁ, ଟୋଲ୍ ଫ୍ରିକୁ ଜଣାନ୍ତୁ କହି ଫୋନ୍ କାଟି ଦେଉଛନ୍ତି । ଅପରାହ୍ନ ୨ଟାରୁ ୪ଟା ଯାଏଁ ପଶୁ ଚିକିତ୍ସାଳୟରେ କେହି ଡାକ୍ତର ବା କର୍ମଚାରୀ ରହୁନାହାଁନ୍ତି ଓ ରାତିରେ ସମ୍ପୂର୍ଣ୍ଣ ଭାବେ ହସ୍ପିଟାଲକୁ ବନ୍ଦ କରିଦିଆଯାଉଛି । ସହରରେ ପୁରୁଣା ବ୍ରହ୍ମପୁର, ଲାଞ୍ଜିପଲ୍ଲୀ, ଖୋଡ଼ାସିଂ, ଆଙ୍କୁଲି, ଆସିକା ରୋଡ୍ ଆଦି ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ ୫ଜଣ ଏଲ୍ଆଇ ଅଛନ୍ତି । କିନ୍ତୁ ସେମାନେ ମେଡିକାଲ୍କୁ ଆସୁଥିବା ଔଷଧ ଗୁଡିକୁ ବାହାରେ ବିକ୍ରିକରି ପକେଟ୍ ଖର୍ଚ୍ଚ କାଢ଼ିବାରେ ଲାଗିଛନ୍ତି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଗତ ୨୦ତାରିଖରେ ଜଣେ ପିଅନ ଏକ ଷଣ୍ଢକୁ ସାଲାଇନ ଦେବା ପାଇଁ ଶିରା ଖୋଜି ଖୋଜି ନୟାନ୍ତ ହୋଇଥିଲେ । ଶେଷରେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁ ଷଣ୍ଢଟିର ମୃତୁ୍ୟ ହୋଇଥିଲା । ହସ୍ପିଟାଲରେ ପୁଲର ମେଶିନ୍, ୨ଟି ଆମ୍ବୁଲାନ୍ସ ଓ ଆଧୁନିକ ସରଞ୍ଜାମର ଅଭାବ ଯୋଗୁଁ ନାନା ସମସ୍ୟା ଦେଖାଯାଉଛି । ତୁରନ୍ତ ଏଗୁଡିକ ଯୋଗାଇବା ପାଇଁ ଦାବି ହେଉଛି । ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି ।
ସମାଜସେବୀ ମନୋଜ କୁମାର ତରାଇଙ୍କ ନେତୃତ୍ୱରେ ବିକ୍ଷୋଭରେ ରୋନାଲି ପାଣିଗ୍ରାହୀ, ବିଷ୍ଣୁପ୍ରିୟା ପାତ୍ର, ଏସ୍.କେଶବ ଲିଙ୍ଗମ, ମାଗୁଣି ନାହାକ, ଆର୍.ସତ୍ୟ ନାରାୟଣ ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ହୃଷିକେଶ ପାତ୍ର, ନୀଳାଞ୍ଚଳ ନନ୍ଦ, ରାମ ପାତ୍ର, ବିଶ୍ୱଦେବ, ଗୌରୀ ଶଙ୍କର ମହାନ୍ତି, କେଦାରନାଥ ପଣ୍ଡା, କୃଷ୍ଣଚନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଖାଡଙ୍ଗା, ରାଜେଶ କୁମାର ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଦାବିପତ୍ରର ଏକ ନକଲ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା ।