ନଭେମ୍ବର ୨୬ରୁ ପୁଣି ଦେଶବ୍ୟାପୀ ଚାଷୀ ଆନେ୍ଦାଳନ

ନୂଆଦିଲ୍ଲୀ, ୨୫ା୧୦: ୩ କୃଷି ଆଇନ ବିରୋଧରେ ଚାଷୀ ଆନେ୍ଦାଳନର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା (ଏସ୍କେଏମ୍) ଦେଶସାରା ନଭେମ୍ବର ୨୬ ତାରିଖ ଦିନ ‘ରାଜଭବନ ମାର୍ଚ୍ଚ’ ଆହ୍ୱାନ ଦେଇଛି । କେନ୍ଦ୍ର ସରକାର ଏହି ୩ ଆଇନକୁ ଅଚଳ କରିଥିଲେହେଁ ସଂଗଠନ ପକ୍ଷରୁ ରାଜଭବନ ମାର୍ଚ୍ଚ କରାଯାଇ ଦାବିପତ୍ର ଦିଆଯିବ ବୋଲି ମଙ୍ଗଳବାର କୁହାଯାଇଛି । ନଭେମ୍ବର ୧୪ ତାରିଖ ଦିନ ଦିଲ୍ଲୀରେ ଏକ ବଡ଼ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି ।
ଏସ୍କେଏମ୍ ସମନ୍ୱୟ କମିଟିର ଏକ ଅନ୍ଲାଇନ୍ ବୈଠକ ଅନୁଷ୍ଠିତ ହୋଇଛି । ସେଥିରେ କୃଷକ ନେତା ହନ୍ନାନ ମୌଲା, ଦର୍ଶନ ପାଲ୍, ମେଧା ପାଟକର୍, ଯୁଦ୍ଧବୀର ସିଂହ, ରାଜାରାମ ସିଂହ ପ୍ରମୁଖ ଯୋଗଦେଇଥିଲେ । କୃଷକ ନେତାମାନେ ବୈଠକରେ ମତ ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ ସଂରକ୍ଷଣ ଅଧିନିୟମର ନିୟମାବଳୀରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ନିନ୍ଦନୀୟ । ନଭେମ୍ବର ୧୫ରେ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ସଂଗଠନ ପକ୍ଷରୁ ଚାଷୀଙ୍କ ଅଧିକାର ପାଇଁ ଲଢ଼ୁଥିବା ଆଦିବାସୀ ସଂଗଠନଙ୍କ ସହ ଯୋଗାଯୋଗ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ସଂଗଠନର ପ୍ରମୁଖ ଦାବି ମଧ୍ୟରେ ୨୦୨୧ ମସିହାର ଆନେ୍ଦାଳନ ବେଳେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମ୍ଏସ୍ପି ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଏବଂ ଆନେ୍ଦାଳନ ସମୟରେ ପ୍ରାଣ ହରାଇଥିବା ଚାଷୀମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଅନ୍ୟତମ । ଗତ ଡିସେମ୍ବରରେ ଚାଷୀମାନଙ୍କ ଅନ୍ୟାନ୍ୟ ପୁରୁଣା ଦାବି ଉପରେ ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ । ଏହି କାରଣରୁ ଏସ୍କେଏମ୍ ପକ୍ଷରୁ ଆନେ୍ଦାଳନ ସ୍ଥଗିତ ରଖାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *