ସବୁ କ୍ଷେତକୁ ଯିବ ପାଣି
ଭୁବନେଶ୍ୱର (ବୁ୍ୟରୋ): ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବୃହତ ଉଠାଜଳସେଚନ ପ୍ରକଳ୍ପ ଅଧିନରେ ମୋଟ ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହା ମଧ୍ୟରୁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୧୬୦ କୋଟି ବିନିଯୋଗ ସରିଛି । ରାଜ୍ୟ ଯୋଜନା ଅନୁଯାୟୀ ସରକାର ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ପ୍ରାୟ ୫୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ବିନିମୟରେ ମୋଟ ୪ ନୂଆ କ୍ଲଷ୍ଟର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ରାଜ୍ୟର ଅଧିକରୁ ଅଧିକ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିବ ।
ରାଜ୍ୟର ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ସରକାର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଯାହାଫଳରେ ରାଜ୍ୟର ଚାଷୀ ଉପକୃତ ହେବା ସହ ଫସଲ ଉତ୍ପାଦନ ବହୁଗୁଣା ବୃଦ୍ଧି ପାଇଛି । ଅନୁରୂପ ଭାବେର ଚାଷୀ ପରିବାରର ଆୟ ମଧ୍ୟ ବୃଦ୍ଧି ପାଇଛି । ଏହିକ୍ରମରେ ବୃହତ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଯେପରି ଅଧିକରୁ ଅଧିକ ଚାଷ ଜମିରେ ପାଣି ପହଞ୍ଚିପାରିବ ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଆସନ୍ତା ଡିସେମ୍ବରରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟରେ ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ସରକାର ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ମୋଟ ୬୪ ବୃହତ ଉଠାଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଏହାଦ୍ୱାରା ୮୬ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଚାଷଜମି ପାଇଁ ସେଚ ସାମର୍ଥ୍ୟ ସୃଷ୍ଟି ହୋଇପାରିଥିଲା । ଏହି ଆୟ କଟ୍ ମଧ୍ୟରୁ ଚଳିତ ଖରିଫ୍ରେ ପ୍ରାୟ ୨୪ ପ୍ରକଳ୍ପରୁ ୨୨୫୭୦ ହେକ୍ଟରରୁ ଅଧିକ ଜଳ ଯୋଗାଣ ସମ୍ଭବ ହୋଇଛି । ଚଳିତ ଆର୍ଥିକ ବର୍ଷରେ ମୋଟ ୨ ଲକ୍ଷ ୪୧ ହଜାର ୨୫୬ ହେକ୍ଟର ଚାଷଜମିକୁ ଜଳଯୋଗାଣ ଲକ୍ଷ୍ୟ ରଖାଯାଇଥିବାବେଳେ ତନ୍ମଧ୍ୟରୁ ୧ ଲକ୍ଷ ୬୨ ହଜାର ୨୫୨ ହେକ୍ଟର ଚାଷଜମିକୁ ଜଳଯୋଗାଣ ସମ୍ଭବ ହୋଇପାରିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଳକା ଲକ୍ଷ୍ୟ ହାସଲ କରିବାକୁ ବିଭାଗୀୟ ସ୍ତରରେ ବେଶ୍ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି ।
ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ଜଳଭଣ୍ଡାରର ଜଳକୁ ଉପଯୋଗ କରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏହିକ୍ରମରେ ଆସନ୍ତା ରବି ଋତୁରେ ମୋଟ ୪୦ ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାୱାରୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ୍ଶୀଘ୍ର ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଯୋଜନାକୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।