ଇଂଲଣ୍ଡକୁ ହରାଇଲା ଆୟରଲାଣ୍ଡ

ଟି-୨ଠ ବିଶ୍ୱକପ୍ରେ ବିପର୍ଯ୍ୟୟ
ମେଲ୍ବର୍ଣ୍ଣ, ୨୬ା୧୦ (ଏଜେନ୍ସି): ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍ରେ ବୁଧବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୦୧୦ ବିଜେତା ଇଂଲଣ୍ଡ ଟିମ୍କୁ ଆୟରଲାଣ୍ଡ ଡକ୍ୱର୍ଥ ଲୁଇସ୍ ପଦ୍ଧତି ଆଧାରରେ ୫ ରନ୍ରେ ପରାସ୍ତ କରିଛି । ଟି-୨୦ ଆନ୍ତର୍ଜାତିକ ମାନ୍ୟତାରେ ଆୟରଲାଣ୍ଡ ୧୨ତମ ଓ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି । ଆୟରଲାଣ୍ଡ ଟିମ୍ର ଅଧିନାୟକ ଆଣ୍ଡି ବଲବିର୍ନି ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆୟରଲାଣ୍ଡ ଟିମ୍ ୧୯.୨ ଓଭର୍ରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଇଂଲଣ୍ଡ ଟିମ୍ ୧୪.୩ ଓଭର୍ରେ ୫ ୱିକେଟ୍ ହରାଇ ୧୦୫ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ମୋଇନ୍ ଅଲୀ ୧୨ ବଲ୍ରୁ ୨୪ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୧ ରନ୍ କରି ଅପରାଜିତ ଥିଲେ । ଏହାପରେ ଆଉ ଖେଳ ସମ୍ଭବପର ହୋଇ ନ ଥିଲା । ଶେଷରେ ଡି/ଏଲ୍ ପଦ୍ଧତିରେ ଫଇସଲା ହୋଇଥିଲା । ୧୪.୩ ଓଭର୍ ସୁଦ୍ଧା ଇଂଲଣ୍ଡ ପାଇଁ ୧୧୧ ରନ୍ ଆବଶ୍ୟକ ଥିଲା; କିନ୍ତୁ ଟିମ୍ ଏହାଠାରୁ ୫ ରନ୍ କମ୍ କରିଥିଲା ।
ଦୁଇ ଟିମ୍ ୧୨ ବର୍ଷ ପରେ ଟି-୨୦ ବିଶ୍ୱକପ୍ରେ ମୁହାଁମୁହିଁ ହୋଇଥିଲେ । ୨୦୧୦ରେ ହୋଇଥିବା ସେହି ମ୍ୟାଚ୍ରେ ବି ବର୍ଷା ହୋଇଥିଲା । କିନ୍ତୁ ତାହାର ଫଳାଫଳ ବାହାରି ପାରି ନ ଥିଲା । ଏହାପରେ ୨୦୧୧ ଦିନିକିଆ ବିଶ୍ୱକପ୍ରେ ଉଭୟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା । ସେତେବେଳେ ଆୟରଲାଣ୍ଡ ଟିମ୍ ଇଂଲଣ୍ଡକୁ ହରାଇଥିଲା ।
୧୫୮ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ଟିମ୍ ମାତ୍ର ୨୯ ରନ୍ରେ ୩ ୱିକେଟ୍ ହରାଇଥିଲା । ଅଧିନାୟକ ଜୋସ୍ ବଟ୍ଲର୍ ଇନିଂସ୍ର ଦ୍ୱିତୀୟ ବଲ୍ରେ ଖାତା ଖୋଲି ନ ପାରି ଜୋଶ୍ ଲିଟିଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର୍ ଆଲେକ୍ସ ହେଲ୍ସ ୭ ରନ୍ କରି ଲିଟିଲ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ବେନ୍ ଷ୍ଟୋକ୍ସ (୬) ମଧ୍ୟ ନିରାଶ କରିଥିଲେ । ତାଙ୍କ ୱିକେଟ୍ ଫିଅନ୍ ହାଣ୍ଡଙ୍କ ଖାତାକୁ ଯାଇଥିଲା ।
ଏହାପରେ ଡେୱିଡ୍ ମଲାନ୍ ଓ ହାରୀ ବ୍ରୁକ୍ସ ମିଶି ଇନିଂସ୍ ସମ୍ଭାଳିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୩୮ ରନ୍ ଯୋଗ କରିଥିଲେ । ବ୍ରୁକ୍ ୧୮ ରନ୍ କରି ଜର୍ଜ ଡକ୍ରେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ମଲାନ୍ ୩୫ ରନ୍ର ଇନିଂସ୍ ଖେଳି ବାରୀ ମ୍ୟାକ୍କାର୍ଥୀଙ୍କ ଶିକାର ହୋଇଥିଲେ ।
ଏହା ପୂର୍ବରୁ ଆୟରଲାଣ୍ଡ ଟିମ୍ର ଅଧିନାୟକ ଆଣ୍ଡି ବଲବିର୍ନି (୪୭ ବଲ୍ରୁ ୬୨ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର୍ ଛିଡ଼ା କରିଥିଲା । ବଲ୍ବିର୍ନିଙ୍କ ଇନିଂସ୍ରେ ୫ ଚୌକା ଓ ୨ ଛକା ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ଲୋର୍କାନ୍ ଟକର ୩୪, କୁର୍ତିସ୍ କାମ୍ଫର୍ ୧୮, ପଲ୍ ଷ୍ଟର୍ଲିଂ ୧୪ ରନ୍ କରିଥିଲେ । ବଲ୍ବିର୍ନି ଓ ଟକର୍ଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୮୨ ରନ୍ର ଭାଗୀଦାରୀ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୩ ଲେଖାଏଁ, ସାମ୍ କରାନ୍ ୨ଟି ଓ ବେନ୍ ଷ୍ଟୋକ୍ସ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *