ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ
ାା ସଂଘବଦ୍ଧ ଆକ୍ରମଣରେ ୮ ଗୁରୁତର ।ା
ବାରିପଦା (ଆପ୍ର): ଟାଉନ୍ଥାନା ଅଧୀନ ରଘୁନାଥପୁର ଠାରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ ସହ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳାମାନେ ବାରିପଦା ଟାଉନ ଥାନା ଘେରାଉ କରିଛନ୍ତି । ବୁଧବାର ପ୍ରାୟ ୭୦ରୁ ୮୦ ସ୍ଥାନୀୟ ମହିଳା ଥାନା ସମ୍ମୁଖରେ ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଆକ୍ରମଣକାରୀ ବାଇକ ଯୋଗେ ବିଭିନ୍ନ ମାରଣାସ୍ତ୍ର ସହ ଆସି ରଘୁନାଥପୁରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ରାସ୍ତାକଡ଼ ବୁଦାମୂଳକୁ ଫିଙ୍ଗି ଫେରାର ହୋଇଯାଇଥିଲେ । ଏସ୍କେ ଜମିର, ଏସ୍କେ ଇଶାକ, ଏସ୍କେ ବାବୁ, ଏସ୍କେ ରାଜା, ଆଜାଦ ହସନ, ଏସ୍କେ ରଜାକ, ଏସ୍କେ ନାସିର, ଏସ୍କେ ସୁଗାଇ ପ୍ରମୁଖ ଗୁରୁତରଙ୍କୁ ଉଦ୍ଧାର କରି ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ତେଜିତ ଜନତା ରାସ୍ତାରୋକ କରିବାରୁ ପୁଲିସ ପହଞ୍ଚି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ପ୍ରତିଶ୍ରୁତି ମୁତାବକ ପୁଲିସ୍ କେବଳ ସୌମ୍ୟରଞ୍ଜନ ସାହୁ ଓ ଦୀପୁ ଦାସକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗରେ ମହିଳାମାନେ ବୁଧବାର ଥାନା ଘେରାଉ କରିଛନ୍ତି । ଅନ୍ୟ ଆକ୍ରମଣକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ମହିଳାମାନେ ଚେତାବନୀ ଦେଇଥିବା ବେଳେ ଥାନା ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଏକ ଦୁର୍ଘଟଣାକୁ ନେଇ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଗୋଷ୍ଠୀଭିତ୍ତିକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ବିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।