ମେଟାକୁ ରିପୋର୍ଟ ମାଗିଲା ଆଇଟି ମନ୍ତ୍ରଣାଳୟ
ହ୍ୱାଟ୍ସ୍ଆପ୍ ୯୬ ମିନିଟ୍ ଡାଉନ୍
ନୂଆଦିଲ୍ଲୀ: ମଙ୍ଗଳବାର ହ୍ୱାଟ୍ସ୍ଆପ୍ ସେବା ଭାରତ ସମେତ ଅନେକ ଦେଶରେ ପ୍ରାୟ ଦେଢ଼ଘଣ୍ଟା ଅଚଳ ହୋଇଯାଇଥିଲା । ଅପରାହ୍ଣ ସାଢ଼େ ୧୨ଟାରୁ ‘ଆଉଟେଜ୍’ ଆରମ୍ଭ ହେଲା । ପ୍ରାୟ ଦେଢ଼ ଘଣ୍ଟା ବନ୍ଦ ରହିବା ପରେ ଅପରାହ୍ଣ ୨.୦୬ ମିନିଟ୍ରେ ପୁନର୍ବାର ସଚଳ ହେଲା । ଭାରତ ସରକାର ଏ ପ୍ରକାର ବିଭ୍ରାଟ ସମ୍ପର୍କରେ ହ୍ୱାଟ୍ସ୍ଆପ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ଠାରୁ ରିପୋର୍ଟ ମାଗିଛନ୍ତି ।
ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ୟୁଜରମାନେ ମେଟା-ଓଣ୍ଡ ମେସେଞ୍ଜର୍ ସର୍ଭିସ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ୟୁକେ, ପାକିସ୍ତାନ, ଇଟାଲୀ ଓ ତୁର୍କୀର ସୋସାଲ୍ ମିଡିଆ ୟୁଜରମାନେ ମେସେଜ୍ ପଠାଇ ପାରୁନାହାନ୍ତି ବୋଲି ମେସେଜ୍ ଦେଇଥିଲେ । ୱେବ୍ସାଇଟ୍ ଟ୍ରାକର ‘ଡାଉନ୍ ଡିଟେକ୍ଟର’ ପକ୍ଷରୁ ମେସେଞ୍ଜର ସର୍ଭିସ୍ ବନ୍ଦ ରହିଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ପୃଥିବୀସାରା ୨୦୦ କୋଟିରୁ ଅଧିକ ହ୍ୱାଟ୍ସ୍ଆପ୍ ୟୁଜର ଅଛନ୍ତି । ଭାରତରେ ହ୍ୱାଟ୍ସ୍ଆପ୍ ୟୁଜର ସଂଖ୍ୟା ସର୍ବାଧିକ (୩୯ କୋଟିରୁ ଅଧିକ) ।
ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ୪ ତାରିଖ ଦିନ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟ୍ସ୍ଆପ୍ ପ୍ଲାଟ୍ଫର୍ମ ୬ ଘଣ୍ଟା ବନ୍ଦ ରହିଥିଲା । ଏହାର ପ୍ରଭାବ ଏତେ ଅଧିକ ଥିଲା ଯେ ଆମେରିକାରେ ଫେସ୍ବୁକ୍ ସେୟାର ୬ ପ୍ରତିଶତ କମିଗଲା ।