୧୧ ଜିଅନ୍ତା ଜଳିଗଲେ
ଦୃଷ୍ଟିବାଧିତଙ୍କ ସ୍କୁଲରେ ନିଆଁ
କାମ୍ପାଲା (ଏଜେନ୍ସି): ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏକ ଭିନ୍ନକ୍ଷମ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୧ ଜଣ ଜଳିଯାଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଦୃଷ୍ଟି ବାଧିତ ଛୋଟ ପିଲା ଥିବା କୁହାଯାଇଛି ।
ସୋମବାର ବିଳମ୍ବିତ ରାତିରେ ନିଆ ଲାଗିଥିଲେ ମଧ୍ୟ ପ୍ରକୃତ କାରଣ ଜଣାପଡ଼ିନାହିଁ । ଉଗାଣ୍ଡା ପୁଲିସ୍ କହିଛି ଯେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । କିନ୍ତୁ ୧୧ଜଣ ଜିଅନ୍ତା ଜଳିଯାଇଛନ୍ତି । ୧୦ରୁ ଅଧିକ ଆହତ ହୋଇଛନ୍ତି ଓ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇପାରେ । ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ବେଳେ ମୁକୋନୋ ଜିଲ୍ଲାରେ ଥିବା ସାଲାମା ଦୃଷ୍ଟିବାଧିତ ସ୍କୁଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ରାଜଧାନୀ କାମ୍ପାଲାର ପୂର୍ବରେ ଅବସ୍ଥିତ । ଘଟଣା ପରେ ସ୍କୁଲକୁ କର୍ଡନ କରାଯାଇଛି । ସରକାର ଘଟଣାର ପୂର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ (ନିଜେ ଦୃଷ୍ଟି ବାଧିତ) କହିଛନ୍ତି, ପିଲାମାନେ ଶୋଇଥିବା ବେଳେ ଡର୍ମିଟୋରିରୁ ନିଆଁ ଲାଗି ପୁରା ସ୍କୁଲକୁ ବ୍ୟାପି ଯାଇଥିଲା । ଏହି ଘଟଣା ପରେ ସରକାରଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।