ଅଯୋଧ୍ୟାରେ ମହାଦୀପୋତ୍ସବ
ଜଳିଲା ୧୮ଲକ୍ଷ ଦୀପ, ରାମଲଲାଙ୍କ ରାଜ୍ୟାଭିଷେକ କଲେ ମୋଦି
ଅଯୋଧ୍ୟା (ଏଜେନ୍ସି): ପବିତ୍ର ଦୀପାବଳି ପରିପ୍ରେକ୍ଷୀରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଦୀପୋତ୍ସବ ସମାରୋହର ଶୁଭାରମ୍ଭ ହୋଇଯାଇଛି । ସରଜୁ ନଦୀ କୂଳରେ ଆୟୋଜିତ ଭବ୍ୟ ଦୀପୋତ୍ସବ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରବିବାର ଉଦ୍ଘାଟନ କରିଛନ୍ତି । ମୋଦି ଏଠାରେ ପହଞ୍ଚôବା ପରେ ପ୍ରଥମେ ରାମଲଲାଙ୍କ ଦର୍ଶନ କରିଥିଲେ । ପରେ ସେ ସେ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ କରିଥିଲେ । ମୋଦି ଏହି ଅବକାଶରେ ସରଜୁ ନଦୀ କୂଳରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
ପରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ ଯେ, ଅଯୋଧ୍ୟାରେ ଏଭଳି ଆୟୋଜନ ଆମ ସାଂସ୍କୃତିକ ଜାଗରଣର ପ୍ରତିବିମ୍ବ । ଅଯୋଧ୍ୟାର ଏପ୍ରକାର ମହାନ୍ ତଥା ଈଶ୍ୱରୀୟ ରୂପ ଦେଖିବାର ଅବକାଶ ମିଳିଥିବାରୁ ଆମେ ସମସ୍ତେ ନିଜକୁ ଗୌରବାନ୍ୱିତ ମନେ କରିବା ଉଚିତ୍ । ପୂର୍ବରୁ ରାମଲାଲାଙ୍କ ଅସ୍ଥିତ୍ୱ ଉପରେ ହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ସବୁଆଡେ ରାମଲାଲାଙ୍କ ଗୁଣକୀର୍ତ୍ତନ କରାଯାଉଛି । ସେହିପରି ଲେଜର ଲାଇଟ୍ ସୋ’ ମାଧ୍ୟରେ ପ୍ରଦର୍ଶିତ ହୋଇଥିବା ସମ୍ପୂର୍ଣ୍ଣ ରାମାୟଣ ଦେଖିବାର ସୁଯୋଗକୁ ମଧ୍ୟ ମୋଦି ହାତଛଡା କରିନାହାନ୍ତି ।
ମୋଦି ଏଠାରେ ପହଞ୍ଚôବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ତାଙ୍କୁ ସ୍ୱାଗତ କରିବା ପୂର୍ବକ ପାଛୋଟି ନେଇଥିଲେ । ଅଗଷ୍ଟ ୨ଠ୨ଠରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅୟୋଜିତ ହୋଇଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏହା ମୋଦିଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ ।
ପ୍ରକାଶ, ଦୀପୋତ୍ସବ ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଅଯୋଧ୍ୟା ନଗରୀକୁ ଦୀପରେ ସଜାଇଦିଆଯାଇଛି । ବିଶେଷକରି ରାମଲାଲାଙ୍କ ପୀଠରେ ପ୍ରାୟ ୧୮ଲକ୍ଷରୁ ଊଦ୍ଧ୍ୱର୍ ଦୀପ ପ୍ରଜ୍ୱଳିତ କରାଯାଇଛି । ସୁନ୍ଦର ଆଲୋକମାଳା ସହ ପ୍ରଜ୍ୱଳିତ ଦୀପ ଏବଂ ସୁମଧୁର କଣ୍ଠରେ ଉଚ୍ଚାରିତ ମନ୍ତ୍ରଧ୍ୱନୀ ସମଗ୍ର ଅଯୋଧ୍ୟାର ପରିବେଶକୁ ବେଶ୍ ମନ୍ତ୍ରମୁଗ୍ଧ କରିଦେଇଛି ।