ସଂଖ୍ୟା ୫ ହଜାର ଟପିଲା

ସହରୀ ଅଞ୍ଚଳରେ ଡେଙ୍ଗୁ କାୟା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଥିବାବେଳେ ଖୋର୍ଦ୍ଧା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଜିଲ୍ଲାରେ ସରକାରୀ ତାଲିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୨ ରେକର୍ଡ ହୋଇଥିବାବେଳେ ବାସ୍ତବ ସଂଖ୍ୟା କିନ୍ତୁ ଏହାଠାରୁ ଢେର ଅଧିକ ବୋଲି କୁହାଯାଉଛି । ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୧୫୭ରେ ପହଞ୍ଚି ଥିବାବେଳେ ଖୋର୍ଦ୍ଧା ସବୁଠାରୁ ଆଗରେ ରହିଛି ।
ଡେଙ୍ଗୁ ତାଲିକାରେ ରାଜଧାନୀ ଭୁବନେଶ୍ୱରର ଢେର ଅବଦାନ ରହିଛି । ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁ ଆକ୍ରାନ୍ତମାନେ କେବଳ କ୍ୟାପିଟାଲ ହସ୍ପିଟାଲ, ଏମ୍ସ କିମ୍ବା ଆରଏମ୍ଆରସି ରକ୍ତ ନମୂନା ପରୀକ୍ଷାରୁ ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେମାନେ ହିଁ ସରକାରୀ ତାଲିକାରେ ସ୍ଥାନ ପାଉଛନ୍ତି । ଘରୋଇ ସଂସ୍ଥାରେ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ଆକ୍ରାନ୍ତ ବୋଲି ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ଢେର ଅଧିକ ବୋଲି ପ୍ରକାଶ ପାଇଛି ।
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କ୍ୟାପିଟାଲ ହସ୍ପିଟାଲ ମେଡିସିନ୍ ୱାର୍ଡରେ ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିଛି । ହେଲେ ଏଠାରେ ଡେଙ୍ଗୁ ଆକ୍ରାନ୍ତମାନେ ଅନ୍ୟ ରୋଗୀଙ୍କ ଭଳି ବିନା ମଶାରୀରେ ରହୁଥିବାରୁ ଏଠାରୁ ଡେଙ୍ଗୁ ବ୍ୟାପିବା ଆଶଙ୍କାରେ ଅନ୍ୟ ରୋଗୀମାନେ ଛାନିଆ ହେଉଛନ୍ତି । ବିଏମ୍ସିର ଡ୍ରାଏ ଡେ ପାଳନ ସହ ଅଳିଆ ବୁହା ଗାଡିରେ ଯେତେ ସଚେତନତା ବାର୍ତ୍ତା ବଜାଇଲେ ବି ଡେଙ୍ଗୁ କାବୁ ହେଉନାହିଁ । ସହରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଉପଦ୍ରବ ଦେଖିବାକୁ ମିଳୁଛି । ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷାପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ସନ୍ଦିଗ୍ଧ ରୋଗୀମାନେ ଘରୋଇ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା କରିବା ସହ ଘରେ ରହି ଚିକିତ୍ସିତ ହେଉଛନ୍ତି । ଯାହାର ଅବସ୍ଥା ବିଗୁଡୁଛି ସିଏ ଡାକ୍ତରଖାନା ଆସୁଛି । ଗତବର୍ଷ ଡେଙ୍ଗୁ କାୟାବିସ୍ତାର ସମୟରେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଥିଲେ ବି କୌଣସି ସୁଫଳ ମିଳିନାହିଁ ।
ଅନ୍ୟପଟେ କୋରାପୁଟରେ ୪୩୩ ଡେଙ୍ଗୁ ଆକ୍ରାନ୍ତ ଥିବାବେଳେ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ ଜିଲ୍ଲା ପାଲଟିଛି । ସେହିପରି ରାୟଗଡା ୪୨୫ ଆକ୍ରାନ୍ତଙ୍କ ସହ ତୃତୀୟ, ମାଲକାନଗିରି ୨୪୪, ବାଲେଶ୍ୱର ୨୩୪, ନୟାଗଡ ୧୭୯, ଜଗତସିଂହପୁର ୧୬୭, ଗଞ୍ଜାମ ୧୦୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଝାରସୁଗୁଡା, ନୂଆପଡା ଓ ଦେବଗଡ ଜିଲ୍ଲାରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାବେଳେ ୫ ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ବୌଦ୍ଧ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ରାଜ୍ୟରେ ୫୪୨୬ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ଥିଲା । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁରେ ଏବେ ସୁଦ୍ଧା କୌଣସି ମୃତୁ୍ୟ ହୋଇନଥିବା ଉଲ୍ଲେଖ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *