ମୁର୍ଶିଦାବାଦରୁ ଆସି ଲୁଟୁଛନ୍ତି ଟଙ୍କା, ଗହଣା
ମୟୂରଭଞ୍ଜରେ ପଶ୍ଚିମବଙ୍ଗ ଅପରାଧୀ ସକ୍ରିୟ
ବୈଶିଙ୍ଗା (ଆପ୍ର) : ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କଲେଣି ପଶ୍ଚିମବଙ୍ଗ ମୁର୍ଶୀଦାବାଦ ଅଞ୍ଚଳର ଅପରାଧୀ । ନିଜକୁ ଭିନ୍ନ ଭିନ୍ନ ପରିଚୟ ଦେଇ ଭଡା ସୂତ୍ରରେ ଅଞ୍ଚଳରେ ରହିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଏବଂ ପରେ ସ୍ଥାନ ପରିବର୍ତ୍ତନ କରି ଦେଉଛନ୍ତି । ନିକଟରେ ପ୍ରତି ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଭଡ଼ାଟିଆମାନେ ସେମାନଙ୍କ ଘର ମାଲିକଙ୍କୁ ସମସ୍ତ ତଥ୍ୟ ପ୍ରଦାନ ପାଇଁ ପୁଲିସ୍ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ କିଛି ଘର ମାଲିକ ସାମାନ୍ୟ ଅର୍ଥ ଲୋଭରେ ତଥ୍ୟ ଲୁଚାଉଛନ୍ତି । ଫଳରେ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ଅପରାଧୀଙ୍କ ଟେର ପାଉନି ପୁଲିସ୍ । ଏଭଳି କ୍ରମାଗତ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ଅଞ୍ଚଳରେ ।
ସୂଚନା ମୁତାବକ ଆଗ୍ରିଆ-ନଡପୁର ରାସ୍ତା ପାଶ୍ୱର୍ରେ ଥିବା ଏକ ଅବସରପ୍ରାପ୍ତ ଶିକ୍ଷକ ୧୭ ତାରିଖ ଦିନ ତାଙ୍କ ପରିବାର ସଦସ୍ୟଙ୍କ ସହ ବେତନଟୀ ଲକ୍ଷ୍ମୀନାରାୟଣ ମନ୍ଦିରକୁ ପୂଜା ପାଇଁ ଯାଇଥିଲେ । ଏହାର ସୁଯୋଗ ନେଇ ଡକାୟତମାନେ ସ୍ପଷ୍ଟ ଦିବାଲୋକରେ ଝରକା ଗ୍ରୀଲ୍ ଭାଙ୍ଗି ୫ଲକ୍ଷ ଟଙ୍କାର ଗହଣା ସହ ୬୦,୦୦୦ ଟଙ୍କା ଲୁଟି ଚମ୍ପଟ ମାରିଥିଲେ । ଘଟଣାରେ ମଙ୍ଗଳବାର ବୈଶିଙ୍ଗା ଥାନାଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ବାରିପଦାର ଭଞ୍ଜପୁର ଅଞ୍ଚଳରୁ ୬ ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଥିଲେ । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶୀଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତମାନେ ମୁର୍ଶୀଦାବାଦରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦାର ଭଞ୍ଜପୁର ୱାର୍ଡ ନମ୍ବର ୧୭ରେ ନିଜକୁ କାଠମିସ୍ତ୍ରୀ ଏବଂ ପକ୍କାମିସ୍ତ୍ରୀ ଭାବେ ପରିଚୟ ଦେଇ ଘର ଭଡ଼ା ନେଇ ରହୁଥିଲେ । ଦିନରେ ବିଭିନ୍ନ ଅଞ୍ଚଳକୁ କାର୍ଯ୍ୟ ଅନ୍ୱେଷଣ ବାହାନାରେ ଯାଇ ଡକାୟତି କରୁଥିଲେ । ଏହାସହ ଚୋରି ସାମଗ୍ରୀ ଗୁଡିକୁ ନେଇ ପଶ୍ଚିମବଙ୍ଗ ର ମୁର୍ଶୀଦାବାଦ ଅଞ୍ଚଳରେ ବିକ୍ରି କରି ଟଙ୍କା ଆଣୁଥିଲେ ବୋଲି ମୟୁରଭଞ୍ଜ ଏସ୍ପିଙ୍କ ନେତୃତ୍ୱରେ ଜିଲ୍ଲା ସାଇବର ସେଲ୍ରେ ଏହାକୁ ବିଶ୍ଳେଷଣ କରି ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବା ନେଇ ବେତନଟୀ ଏସ୍ଡିପିଓ ସୁଦର୍ଶନ ଦାସ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।