ଟପ୍-୫କୁ ଫେରିଲେ ସିନ୍ଧୁ
ବିଡବ୍ଲୁ୍ୟଏଫ୍ ମାନ୍ୟତା
ନୂଆଦିଲ୍ଲୀ, ୨୫ା୧୦ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକଧାରିଣୀ ପିଭି ସିନ୍ଧୁ ଓ ଥୋମାସ୍ କପ୍ ବିଜେତା ଏଚ୍ଏସ୍ ପ୍ରଣୟ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ମହିଳା ଓ ପୁରୁଷ ଏକକରେ ପଞ୍ଚମ ଓ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି ।
ଅଗଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ବଳାଗଣ୍ଠି ଯନ୍ତ୍ରଣା ଯୋଗୁଁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ନ ଥିବା ସିନ୍ଧୁଙ୍କ ପଏଣ୍ଟ ଏବେ ୨୬ ଟୁର୍ଣ୍ଣାମେଣ୍ଟରୁ ୮୭୨୧୮ ରହିଛି । ତିନି ବର୍ଷ ପରେ ପୂର୍ବତନ ଦୁଇ ନମ୍ବର ଖେଳାଳି ସିନ୍ଧୁ ଟପ୍-୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପୂର୍ବତନ ବିଶ୍ୱ ବିଜୟିନୀ ଆଘାତରୁ ସୁସ୍ଥ ହେବା ପରେ ସୋମବାର ହାଇଦରାବାଦ ଠାରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି ।
ପୁରୁଷ ଏକକରେ ପ୍ରଣୟ ଡେନ୍ମାର୍କ ଓପନ୍ ସୁପର ୭୫୦ରେ ପ୍ରି-କ୍ୱାର୍ଟର୍ଫାଇନାଲ୍ ଫିନିଶ୍ ପରେ ଆରୋହଣ ଜାରି ରଖିଛନ୍ତି । ୨୬ ଟୁର୍ଣ୍ଣାମେଣ୍ଟରୁ ତାଙ୍କ ପଏଣ୍ଟ ଏବେ ୬୪,୩୩୦ ରହିଛି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍ ଓ କାଂସ୍ୟ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଯଥାକ୍ରମେ ଅଷ୍ଟମ ଓ ୧୧ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।
ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ବର୍ମିଂହାମ୍ ଠାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଯୋଡ଼ି ପୁରୁଷ ଯୁଗଳରେ ଅଷ୍ଟମ ମାନ୍ୟତା ବଜାୟ ରଖିଛନ୍ତି । ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଦୁଇ ସ୍ଥାନ ଉଠି ୧୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ମହିଳା ଯୁଗଳରେ ତ୍ରୀସା ଜୋଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ମିଶ୍ରିତ ଯୁଗଳରେ ଈଶାନ ଭଟନାଗର ଓ ତନିଶା କ୍ରାଷ୍ଟୋ ଯଥାକ୍ରମେ କ୍ୟାରିଅର-ଶ୍ରେଷ୍ଠ ୨୭ତମ ଓ ୨୯ତମ ସ୍ଥାନରେ ପହଞ୍ଚିଛନ୍ତି ।
ଅନ୍ୟପଟେ, ଅଶ୍ୱିନୀ ପୋନପ୍ପା ଓ ଏନ୍. ସିକ୍କି ରେଡ୍ଡୀଙ୍କ ମହିଳା ଯୁଗଳ ଯୋଡ଼ି ୨୪ତମ ସ୍ଥାନକୁ ଖସି ଆସିଥିବା ବେଳେ ଦୁଇ ଥର ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ସାଇନା ନେହୱାଲ ମହିଳା ଏକକରେ ଗୋଟିଏ ସ୍ଥାନ ଖସି ୩୩ତମରେ ପହଞ୍ଚିଛନ୍ତି ।