ଅଦ୍ଭୁତ, ଚମକ୍ରାର

ଶେଷ ବଲ୍ରେ ହାରିଲା ପାକିସ୍ତାନ
ମେଲ୍ବର୍ଣ୍ଣ, ୨୩ା୧୦: ଟି-୨୦ ବିଶ୍ୱକପ୍ ୨୦୨୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ରେ ବିଜୟ ହାସଲ କରି ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ଦୀପାବଳୀ ଭେଟି ଦେଇଛି । ମ୍ୟାଚ୍ ଶେଷ ବଲ୍ ଯାଏଁ ଚାଲିଥିଲା । ଏଥିସହ ଭାରତୀୟ ଟିମ୍ ପାକିସ୍ତାନ ଠାରୁ ପୂର୍ବ ସଂସ୍କରଣ ପରାଜୟର ପ୍ରତିଶୋଧ ବି ନେଇଛି ।
ବିରାଟ କୋହଲି ଥିଲେ ମ୍ୟାଚ୍ର ନାୟକ, ଯିଏକି ୫୩ ବଲ୍ରୁ ୮୨ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ୧୧୩ ରନ୍ର ଭାଗୀଦାରୀ କରି ଏକଦା ପରାଜୟ-ସ୍ଥିତିରେ ଥିବା ଟିମ୍କୁ ଉତ୍ତମ ସ୍ଥିତିରେ ପହଞ୍ଚାଇଥିଲେ । ଶେଷ ଓଭର୍ରେ ବିଜୟ ପାଇଁ ଟିମ୍କୁ ୧୬ ରନ୍ ଆବଶ୍ୟକ ଥିବା ବେଳେ କୋହଲି ନୋ-ବଲ୍ରେ ଛକା ମାରି ଟିମ୍କୁ ବିଜୟ ଆଡ଼କୁ ମୁହାଁଇଥିଲେ । କୋହଲି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୯୦ ହଜାର ୨୯୩ ଏବଂ ସାରା ବିଶ୍ୱରେ ଟିଭି ଓ ଡିଜିଟାଲ୍ ପ୍ଲ୍ାଟ୍ଫର୍ମରେ ପ୍ରାୟ ୨୫ କୋଟି ଦର୍ଶକ ଏହି ମ୍ୟାଚ୍ ଦେଖିଥିଲେ । ଭାରତୀୟ ଟିମ୍ ପୂରା ୨୦ ଓଭର୍ ଖେଳି ୬ ୱିକେଟ୍ ହରାଇ ୧୬୦ ରନ୍ କରି ବିଜୟୀ ହୋଇଥିଲା । ଦୁଇ ଓପନର୍ ଲୋକେଶ ରାହୁଲ (୪) ଓ ଅଧିନାୟକ ରୋହିତ ଶର୍ମା (୪) ଯଥାକ୍ରମେ ନସୀମ ଶାହ ଓ ହାରିସ୍ ରାଉଫ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୧୦ ରନ୍ ମଧ୍ୟରେ ଦୁଇ ୱିକେଟ୍ ପଡ଼ିଥିଲା । ସୂର୍ଯ୍ୟକୁମାର ଯାଦବ (୧୫) ବି ବଡ଼ ଇନିଂସ୍ ଖେଳିପାରି ନ ଥିଲେ । ତାଙ୍କ ୱିକେଟ୍ ରାଉଫ୍ଙ୍କ ଖାତାକୁ ଯାଇଥିଲା ।
ପରବର୍ତ୍ତୀ ବ୍ୟାଟର୍ ଅକ୍ଷର ପଟେଲ୍ (୨) ରନ୍ଆଉଟ୍ ହୋଇଥିଲେ ।
୩୧ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ କୋହଲି ଓ ପାଣ୍ଡ୍ୟା ମିଶି ଇଂନିସ୍କୁ ୧୪୪ ଯାଏଁ ନେଇଥିଲେ । ଶେଷ ଓଭର୍ରେ ନୱାଜ୍ଙ୍କ ବଲ୍ରେ ହାର୍ଦ୍ଦିକ ୩୭ ବଲ୍ରୁ ୪୦ ଓ ଦିନେଶ କାର୍ତ୍ତିକ ୧ ରନ୍ କରିଥିଲେ । କୋହଲିଙ୍କ ଇନିଂସ୍ରେ ୬ ଚୌକା ଓ ୪ ଛକା ରହିଥିଲା । ସେ ୮୨ ଓ ରବିଚନ୍ଦ୍ରନ ଅଶ୍ୱିନ ୧ ରନ୍ କରି ଅପରାଜିତ ଥିଲେ ।
ଏଥି ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦୁଇ ଓପନର୍ ତଥା ଟିମ୍ର ଏକ୍ସ ଫ୍ୟାକ୍ଟର – ବାବର ଆଜମ ଓ ମହମ୍ମଦ ରିଜୱାନ୍ଙ୍କୁ ସଅଳ ହରାଇଥିଲା । ୧୫ ରନ୍ ମଧ୍ୟରେ ଉଭୟଙ୍କୁ ପାଭିଲିଅନ୍ ପଠାଇଥିଲେ ଅର୍ଶଦୀପ ସିଂହ । ଇନିଂସ୍ର ଦ୍ୱିତୀୟ ଓଭର୍ର ପ୍ରଥମ ବଲ୍ରେ ଅର୍ଶଦୀପ ଅଧିନାୟକ ଆଜମ୍ଙ୍କୁ ବିନା ସ୍କୋର୍ରେ ଆଉଟ୍ କରିଥିଲେ । ଏହାପରେ ଚତୁର୍ଥ ଓଭର୍ର ଶେଷ ବଲ୍ରେ ଅର୍ଶଦୀପଙ୍କ ଶିକାର ହୋଇଥିଲେ ରିଜୱାନ (୪) ।
ଏହାପରେ ଶାନ୍ ମସୁଦ ଓ ଇଫତିଖାର ଅହମଦ ଇନିଂସ୍ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୬ ରନ୍ ଯୋଗ କରିଥିଲେ । ୩୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଇଫତିଖାର (୩୪ ବଲ୍ରୁ ୫୧)ଙ୍କୁ ଆଉଟ୍ କରି ମହମ୍ମଦ ଶାମୀ ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ଶାଦାବ ଖାଁ (୫) ଓ ହାଇଦର ଅଲୀ (୨) ଓ ମହମ୍ମଦ ନୱାଜ୍ (୯) ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ଆସିଫ୍୍ ଅଲୀ (୨) ଅର୍ଶଦୀପ ବ୍ୟକ୍ତିଗତ ତୃତୀୟ ସଫଳତା ପାଇଥିଲେ ।
ଏହାପରେ ମସୁଦ ଓ ଶାହୀନ ଶାହ ଆଫ୍ରିଦୀ ଅଷ୍ଟମ ୱିକେଟ୍ ପାଇଁ ୩୧ ରନ୍ ଯୋଗ କରିଥିଲେ । ଶେଷ ଓଭର୍ରେ ଭୁବନେଶ୍ୱର କୁମାରଙ୍କ ବଲ୍ରେ ଆଫ୍ରିଦୀ (୧୬)ଙ୍କ ୱିକେଟ୍ ପଡ଼ିଥିଲା । ମସୁଦ ୪୨ ବଲ୍ରୁ ୫୨ ରନ୍ ଓ ହାରିସ୍ ରାଉଫ ୬ ରନ୍ କରି ଅପରାଜିତ ଥିଲେ । ପାକିସ୍ତାନୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅର୍ଶଦୀପ ଓ ପାଣ୍ଡ୍ୟା ୩ ଲେଖାଏଁ ଏବଂ ଭୁବନେଶ୍ୱର ଓ ଶାମୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *