୫ ଘଣ୍ଟାରେ ମରିବେ ୩.୪ କୋଟି ଲୋକ
ୟୁରୋପରେ ପରମାଣୁ ଯୁଦ୍ଧ ଭୟର ମାହୋଲ
କିବ୍, ୨୨ା୧୦: ୟୁକ୍ରେନ୍ ମାମଲାରେ ନାଟୋ ଦେଶମାନଙ୍କଠାରୁ ଥମକ ମିଳିବା ପରେ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ ପ୍ରଥମେ ଏପ୍ରିଲରେ ପରମାଣୁ ଅସ୍ତ୍ର ପ୍ରୟୋଗ ସୂଚନା ଦେଇଥିଲେ । ଏ ଭିତରେ ପୁତିନ୍ ଓ ତାଙ୍କ ଉପଦେଷ୍ଟାମାନେ ବହୁବାର ଅନୁରୂପ ଧମକ ଦେଇଛନ୍ତି । ରୁଷ୍ ମଧ୍ୟ ନାଟୋ ସୀମାରେ ପରିମାଣୁ ଆୟୁଧବହନକାରୀ ଫାଇଟର ଜେଟ୍ ମୁତୟନ କରିଛି । ଯଦି ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ପକ୍ଷରୁ ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯାଏ ଆମେରିକା ଓ ତା ନେତୃତ୍ୱାଧୀନ ନାଟୋ ଦେଶମାନେ ସମୁଚିତ ଯବାବ୍ ଦେବେ । ସେଭଳି ସ୍ଥିତିରେ ପରମାଣୁ ଯୁଦ୍ଧର ବୀଭିଷିକା କିଭଳି ହେବ, ପ୍ରିନ୍ଷ୍ଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ତାହାର କମ୍ପୁ୍ୟଟର ଆଧାରିତ ଏକ ମଡେଲ୍ ପ୍ରସ୍ତୁତ କରିଛନ୍ତି ।
ପରମାଣୁ ଯୁଦ୍ଧ ଯୋଜନା, କାହା ପାଖରେ କେତେ ପରମାଣୁ ଅସ୍ତ୍ର ଅଛି ଓ ପରମାଣୁ ଆୟୁଧର ଲକ୍ଷ୍ୟ ଆଧାରିତ ମଡେଲ୍ ପ୍ରସ୍ତୁତ କରି ଗବେଷକ ଡ. ଆଲେକ୍ସ ଗ୍ଲେସର୍ କହିଛନ୍ତି, ସମ୍ଭାବ୍ୟ ପରମାଣୁ ଯୁଦ୍ଧ ଯୋଗୁଁ ଶୀତଳ ଯୁଦ୍ଧ ପରେ ସବୁଠାରୁ ଗୁରୁତର ସଂକଟ ଉପୁଜିବ । ଶେଷ ମୁହୂର୍ତ୍ତରେ ଏପରି ଏକ ଯୁଦ୍ଧକୁ ଟାଳିବା ସମ୍ଭବ ହେବ ନାହିଁ । ତା’ର କାରଣ ଦ୍ୱିପାକ୍ଷିକ ଆଲୋଚନା ହୋଇ ନପାରିବାର ପରିଣତିରେ ଭୟାନକ ପରମାଣୁ ଯୁଦ୍ଧ ହୋଇଥିବା ସାକ୍ଷ୍ୟ ଇତିହାସରୁ ମିଳୁଛି । ଏବେ ରୁଷ୍ ଓ ନାଟୋ ମଧ୍ୟ ଏପରି ସ୍ଥିତି ଦେଖାଦେଇଛ । ଆଲୋଚନା ବୈଠକକୁ କେହି ଆସୁ ନାହାନ୍ତି ।
୯୦ ପ୍ରତିଶତ ପରମାଣୁ ଆୟୁଧ କେବଳ ଆମେରିକା ଓ ରୁଷ୍ ପାଖରେ ମହଜୁଦ ଅଛି । ଯଦି ପରମାଣୁ ଯୁଦ୍ଧ ଲାଗିଯାଏ ୟୁରୋପ ଓ ରୁଷ୍ର ୩୦ରୁ ଅଧିକ ସର୍ବାଧିକ ଜନବହୁଳ ସହର ଉଭୟ ପକ୍ଷର ଟାର୍ଗେଟ୍ରେ ରହିବ । ପ୍ରତି ସହରରେ ୫ରୁ ୧୦ଟି ପରମାଣୁ ବୋମା ପଡିପାରେ । ଏହାଦ୍ୱାରା ୫ ଘଣ୍ଟା ଭିତରେ ୩ କୋଟି ୪୦ ଲକ୍ଷ ଲୋକଙ୍କ ମୃତୁ୍ୟ ଘଟିବ । ୫ ଘଣ୍ଟାର ପରମାଣୁ ଯୁଦ୍ଧରେ ଆହତଙ୍କ ସଂଖ୍ୟା ୮ କୋଟି ୫୩ ଲକ୍ଷ ହୋଇଯିବ । ତେବେ ପରମାଣୁ ଆକ୍ରମଣର ଅନ୍ୟାନ୍ୟ ପ୍ରଭାବଜନିତ ମୃତୁ୍ୟ ସଂଖ୍ୟାକୁ ଏହି ମଡେଲ୍ରେ ସାମିଲ କରାଯାଇନାହିଁ ।
୭୭ ବର୍ଷ ପୂର୍ବେ ୩ ଦିନ ଅନ୍ତରରେ ଜାପାନର ହିରୋଶିମା ଓ ନାଗାସାକୀ ସହରରେ ଆମେରିକା ପରମାଣୁ ବୋମା ପକାଇଥିଲା । ହିରାଶିମାରେ ମୁହୂର୍ତ୍ତକ ମଧ୍ୟରେ ୧ ଲକ୍ଷ ୪୦ ହଜାର ଲୋକ ଟଳିପଡିଥିଲା । ନାଗାସାକୀରେ ପ୍ରାୟ ୭୪ ହଜାର ଲୋକଙ୍କ ମୃତୁ୍ୟ ହୋଇଥିଲା । ଏଥିରେ ଜାପାନର ଏତେ କ୍ଷତି ଘଟିଲା ଯେ ୧୯୪୫ ଅଗଷ୍ଟ ୧୪ ତାରିଖ ଦିନ ଜାପାନ ଆତ୍ମସମର୍ପଣ କଲା । ପରମାଣୁ ବୋମା ଆକ୍ରମଣରୁ ବର୍ତ୍ତିଯାଇଥିବା ଲୋକମାନଙ୍କୁ ଜାପାନରେ ‘ହିବାକୁଶା’ କୁହାଯାଏ । ସେମାନଙ୍କୁ ରେଡିଏସନ୍ ଓ ମନୋବୈଜ୍ଞାନିକ ରୋଗର ଶିକାର ହେବାକୁ ପଡିଥିଲା ।
ଗବେଷକମାନେ ଆହୁରି ଦର୍ଶାଇଛନ୍ତି ଯେ ପରମାଣୁ ଆକ୍ରମଣ ହେଲେ ଚିକିତ୍ସା ପ୍ରଣାଳୀ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବ । ତାହାଛଡା ଜଳବାୟୁ, ଜନସଂଖ୍ୟା ଓ ଖାଦ୍ୟ ଉତ୍ପାଦନ ଉପରେ ଦୀର୍ଘବର୍ଷ ଧରି ଏହାର ବ୍ୟାପକ ପ୍ରଭାବ ପଡିବ ।
ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ପୁମିଓ କିଶିଦା ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରୁଷ୍ ଯଦି ପରମାଣୁ ଆୟୁଧ ପ୍ରୟୋଗ କରେ ତାହା ମାନବତା ବିରୋଧରେ ଶତ୍ରୁତା ଆଚରଣ ହେବ । ବିଶ୍ୱ ସମୁଦାୟ ପ୍ରତି ତାହା ହେବ ଗୁରୁତର ବିପଦ ।