ଜିନ୍ପିଙ୍ଗ୍ ଆଜୀବନ ରାଷ୍ଟ୍ରପତି
ଚୀନ୍ରେ ଅବାଧ ଏକଛତ୍ରବାଦ
ବିଜିଂ, ୨୨ା୧୦: ଚୀନ୍ ରାଜଧାନୀ ବିଜିଂରେ ୭ ଦିନ ଧରି ଚାଲିଥିବା ଚାଇନିଜ୍ କମୁ୍ୟନିଷ୍ଟ ପାର୍ଟି (ସିସିପି)ର ମହାସମ୍ମିଳନୀ (କଂଗ୍ରେସ) ଶନିବାର ଶେଷ ହୋଇଛି । ଏହି ଅବସରରେ ଦଳର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରି ଦିଆଯାଇଛି । ଫଳତଃ ୬୯ ବର୍ଷୀୟ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍୍ ତୃତୀୟବାର ତଥା ଆଜୀବନ ରାଷ୍ଟ୍ରପତି ପଦରେ ରହିବେ । ସିସିପି ପୂର୍ଣ୍ଣରୂପେ ତାଙ୍କ କବ୍ଜାରେ ରହିବ । ମୋଟ ଉପରେ ଶି ଜିନ୍ପିଙ୍ଗ୍ ଏବେ ଚୀନ୍ର ସର୍ବଶକ୍ତିଶାଳୀ ନେତା । ରବିବାର ଏ ସମ୍ବନ୍ଧୀୟ ଆନୁଷ୍ଠାନିକ ଘୋଷଣା କରାଯିବ ।
ସିସିପି କଂଗ୍ରେସ ପ୍ରତି ୫ବର୍ଷରେ ଅନୁଷ୍ଠିତ ହୋଇଥାଏ । ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ବିଂଶତିତମ କଂଗ୍ରେସରେ ଜିନ୍ପିଙ୍ଗ୍ଙ୍କ ‘ରାଜକୁମାର ଗ୍ୟାଙ୍ଗ୍’ର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା । ତାଙ୍କ ବିରୋଧୀ ଶିବିରରେ ଯେତେ ନେତା ଥିଲେ ସମସ୍ତଙ୍କୁ ଦଳରୁ ବାହାର କରି ଦିଆଯାଇଛି । ଏପରିକି ୭୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ସମ୍ମିଳନୀ ସ୍ଥଳରୁ ସର୍ବସମ୍ମୁଖରେ ବଳପୂର୍ବକ ବହିଷ୍କାର କରାଯାଇଛି ।
ସମ୍ମିଳନୀରେ ଦଳର ସଦସ୍ୟମାନେ ନୂଆ ସେଣ୍ଟ୍ରାଲ କମିଟି ପାଇଁ ଭୋଟ ଦେଇଥିଲେ । ସେଥିରେ ଅଛନ୍ତି ୨୦୫ ସଦସ୍ୟ । ସେଥିରୁ ୧୧ଜଣ ମହିଳା । ସେଣ୍ଟ୍ରାଲ କମିଟି ପୋଲିତବୁ୍ୟରୋ ମେମ୍ବର ଓ ଷ୍ଟାଣ୍ଡିଂ କମିଟି ମେମ୍ବର ବାଛିବ । ଏଥିରେ କେଉଁମାନେ ସଦସ୍ୟ ହେବେ ତାହା ରବିବାର ଘୋଷିତ ହେବ ।
ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କ ବିରୋଧୀ କୁହାଯାଉଥିବା ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ।
ଏହା ସହିତ ତାଙ୍କ ରାଜନୈତିକ ଭବିଷ୍ୟତରେ ପୂର୍ଣ୍ଣଛେଦ ପଡ଼ିଥିବା କୁହାଯାଉଛି । କେକିୟାଙ୍ଗ ଥିଲେ ଜିନ୍ପିଙ୍ଗଙ୍କ ପରେ କମୁ୍ୟନିଷ୍ଟ ପାର୍ଟିର ସର୍ବୋଚ୍ଚ ଅଧିକାରୀ । ତାଙ୍କ ନାମ ନୂଆ ସେଣ୍ଟ୍ରାଲ କମିଟି ସୂଚୀରେ ନାହିଁ । ଏହାର ଅର୍ଥ କେକିୟାଙ୍ଗ୍କୁ ଅବସର ଦିଆଯାଇଛି । ଏଣିକି ଦଳରେ ତାଙ୍କର କୌଣସି ଭୂମିକା ରହିବ ନାହିଁ । ତେବେ ଅବସର ନେବାର ନିର୍ଦ୍ଧାରିତ ବୟସ ୬୮ ବର୍ଷ ହୋଇଥିବାରୁ କେକିୟାଙ୍ଗ ଆଉ ୬ ମାସ ଅର୍ଥାତ୍ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିପାରନ୍ତି ।
ଦଳର ସବୁ ପଦପଦବୀରୁ ବହିଷ୍କୃତ ଅନ୍ୟ ୩ ପ୍ରମୁଖ ନେତା ହେଉଛନ୍ତି ଜିନ୍ପିଙ୍ଗ୍ଙ୍କ ବହୁ ଦିନର ବନ୍ଧୁ ୭୨ ବର୍ଷୀୟ ଲି ଝାନ୍ଶୁ, ଦଳର ଉପଦେଷ୍ଟା କମିଟି ମୁଖ୍ୟ ତଥା ସରକାରରେ ୪ ନମ୍ବର ସ୍ଥାନରେ ଥିବା ୬୭ ବର୍ଷୀୟ ୱାଙ୍ଗ୍ ୟାଙ୍ଗ୍ ଏବଂ ଦଳର ଶଂଘାଇ ଶାଖା ମୁଖ୍ୟ ୬୮ ବର୍ଷୀୟ ହାନ୍ ଝେଙ୍ଗ୍ ।
ରବିବାର ନୂଆ ଷ୍ଟାଣ୍ଡିଂ କମିଟି ଗଢ଼ାଯିବ । ରାଷ୍ଟ୍ରପତି କମିଟି ସଦସ୍ୟଙ୍କ ନାମ ଘୋଷଣା କରିବେ ।
ସଂଶୋଧିତ ସମ୍ବିଧାନ ଅନୁଯାୟୀ ଜିନ୍ପିଙ୍ଗ୍ ଆଜୀବନ ବା ଯେତେ ଦିନ ଚାହିଁବେ ରାଷ୍ଟ୍ରପତି ପଦରେ ରହିବେ । କିନ୍ତୁ ଜିନ୍ପିଙ୍ଗ୍ଙ୍କ କାର୍ଯ୍ୟକାଳ ବଢ଼ିବା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ । କୂଟନୀତିଜ୍ଞଙ୍କ ମତରେ ଜିନ୍ପିଙ୍ଗ୍ ଚୀନ୍ରେ ଅମାପ କ୍ଷମତାର ଅଧିକାରୀ ହେବା ଦ୍ୱାରା ଭାରତ-ଚୀନ୍ ସୀମାରେ ଉତ୍ତେଜନା ବା ସଂଘର୍ଷ ବଢ଼ିପାରେ । ତା’ସହିତ ଚୀନ୍ର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟି (ବିଆର୍ଆଇ ପ୍ରୋଜେକ୍ଟ) ଏବଂ ପାକିସ୍ଥାନରେ ଚୀନ୍ର ଇକୋନମିକ୍ କରିଡର ପାଇଁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିବ ଯାହାକୁ ଭାରତ ବିରୋଧ କରି ଆସୁଛି । ପୁନଶ୍ଚ ଭାରତକୁ ତିନି ଦିଗରୁ ଅର୍ଥାତ୍ ନେପାଳ, ଶ୍ରୀଲଙ୍କା ଓ ପାକିସ୍ଥାନ ପଟୁ ଘେରିବା ରଣନୀତି ତେଜିବ । ସେହିପରି ଇଣ୍ଡୋ-ପାସିଫିକ୍ ତଥା ଭାରତ ମହାସାଗରରେ ଚୀନ୍ର ପ୍ରଭୃତ୍ୱ ମଧ୍ୟ ବୃଦ୍ଧି ପାଇବ ।