୭୫ ହଜାର ଆଶାୟୀଙ୍କୁ ମିଳିଲା ନିଯୁକ୍ତିପତ୍ର

ଯୁବଗୋଷ୍ଠୀଙ୍କୁ ମୋଦିଙ୍କ ଦୀପାବଳି ଭେଟି
ନୂଆଦିଲ୍ଲୀ (ଏଜେନ୍ସି): ପ୍ରତିଶ୍ରୁତି ପାଳନ ପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ୧ଠ ଲକ୍ଷ ନିଯୁକ୍ତି ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ରୋଜଗାର ମେଳାର ଆରମ୍ଭ କରାଯାଇଛି । କରୋନା କାଳରେ ମାନ୍ଦା ପଡ଼ିଯାଇଥିବା ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ମୋଦି ଉଲ୍ଲେଖ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି । ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୋଦି ନିଜ ସମ୍ବୋଧନରେ କହିଛନ୍ତି, ୧ଠଠ ବର୍ଷର ସମସ୍ୟାକୁ ୧ଠଠ ଦିନ ମଧ୍ୟରେ କଦାପି ସମାଧାନ କରାଯାଇପାରିବ ନାହିଁ । ତଥାପି ତାଙ୍କ ସରକାର ଗତ ୮ ବର୍ଷ ମଧ୍ୟରେ ଦେଶରେ ରୋଜଗାର ଓ ସ୍ୱରୋଜଗାର ପାଇଁ ଅଭିଯାନ ଜାରି ରଖିଛି । ଏଥିରେ ରୋଜଗାର ମେଳା ଆଉ ଏକ ଅଧ୍ୟାୟ ଭାବେ ଯୋଡି ହୋଇଛି । ଆଜି କେନ୍ଦ୍ର ସରକାର ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାରେ ଅସୀମ ଖୁସି ଅନୁଭବ କରୁଛନ୍ତି । ଏହି ଅବସରରେ ମୋଦି, କର୍ମନିଯୁକ୍ତି ସୁଯୋଗ ଦିଗରେ, ଆତ୍ମନିର୍ଭର ଦିଗରେ ନିଜ ସରକାରଙ୍କ ଭିନ୍ନ ଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରଙ୍କ କାର୍ଯ୍ୟାଳୟ (ପିଏମଓ)ର ଏକ ବିବୃତ୍ତି ଅନୁଯାୟୀ, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେହିପରି ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଅନୁମୋଦିତ ପଦବୀଗୁଡିକରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ତେବେ ଶନିବାର ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ନିଯୁକ୍ତି ପତ୍ର ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ / ବିଭାଗରେ ଖାଲି ପଡିଥିବା ପଦ ପାଇଁ ଉଦ୍ଦିଷ୍ଟ ବୋଲି ପିଏମ୍ଓ ସ୍ପଷ୍ଟ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *