ବଙ୍ଗମୁହାଁ ସିତ୍ରାଙ୍ଗ
ବାତ୍ୟା ରୂପ ନେଲା ଗଭୀର ଅବପାତ
ଭୁବନେଶ୍ୱର, ୨୩ା୧୦ (ବୁ୍ୟରୋ): ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ସିତ୍ରାଙ୍ଗ । ଗତକାଲି ସୃଷ୍ଟି ହୋଇଥିବା ଅବପାତ ରବିବାର ସମକାଳେ ଗଭୀର ଅବପାତ ଓ ପରେ ସନ୍ଧ୍ୟାରେ ବାତ୍ୟା ରୂପ ନେଇଛି । ଏହା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବାବେଳେ ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହା ବାଂଲାଦେଶର ତିନ୍କୋନା ଓ ସାନଦୀପ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ଅଛି । ଆସନ୍ତା ୨୫ ତାରଖରେ ଏହା ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ୨୩ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବଢ଼ିବ । ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର । ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ୩ ଜିଲ୍ଲା- ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବୋହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର ।