ସ୍ୱପ୍ନରେ ରହିଲା ଯୋଜନା, ରାସ୍ତା ଉପରେ ଘର

ପର୍ଯ୍ୟଟନ ସହରରେ ବସ୍ତିବାସିନ୍ଦା ଥଇଥାନ ଫେଲ୍
ପୁରୀ (ବୁ୍ୟରୋ): ରାଜ୍ୟ ସରକାର ପ୍ରଥମେ ଶ୍ରୀକ୍ଷେତ୍ରରୁ ଆରମ୍ଭ କରିଥିଲେ ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା । ସେମାନଙ୍କୁ ସରକାରଙ୍କ ତରଫରୁ ସରକାରୀ ଜମି ଯୋଗାଇ ଦିଆଯିବ ଏବଂ ସେହି ଜମି ଉପରେ ସେମାନେ ଘର ନିର୍ମାଣ କରି ରହିବେ । ଏନେଇ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ଏପରିକି କେତେଜଣ ବସ୍ତିବାସିନ୍ଦାମାନଙ୍କୁ ମଧ୍ୟ ମାଗଣାରେ ଜମି କାଗଜପତ୍ର ବିତରଣ କରାଯାଇଥିଲା । ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ଜମି ବଣ୍ଟନ ଶେଷ ହେଲା ନାହିଁ କି ସେମାନେ ଘର କରି ରହିପାରିଲେ ନାହିଁ । ଶେଷରେ ସେମାନେ କେବଳ ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରି ସେହି ତଳିଆ ଅଞ୍ଚଳରେ ପଡ଼ି ରହିଛନ୍ତି । କିନ୍ତୁ ବର୍ଷା ଆରମ୍ଭ ହେଲା ପରେ ସେମାନଙ୍କ ଦୁଃଖ ଦୁଇଗୁଣ ବଢ଼ି ଯାଉଛି । ସେମାନେ ରାତି ଅଧରେ ଘରେ ଶୋଇଥିଲା ବେଳେ ଲଘୁଚାପ ବର୍ଷାରେ ଉବୁଟୁବୁ ହୋଇଥାଏ ବସ୍ତି । ସେମାନେ ଘରଦ୍ୱାର ଛାଡ଼ି ରାଜରାସ୍ତାରେ ଜରିପାଲ ତଳେ ଆଶ୍ରୟ ନେଉଛନ୍ତି । ଫଳରେ ସେମାନଙ୍କ ପାଇଁ ସାହାଭରସା ପାଲଟିଛି ଜାତୀୟ ରାଜପଥ । ଏହା କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଏହା ହେଉଛି ଖୋଦ୍ ପର୍ଯ୍ୟଟନ ସହର ପୁରୀର ଚିତ୍ର । ଯାହାକୁ ନିଜ ଆଖିରେ ଦେଖିଲେ ବିଶ୍ୱାସ କରିହେବ ନାହିଁ ।
ଏନେଇ ଥବୀର ସିଂ କୁହନ୍ତି, ପୁରୀରେ ବସ୍ତିବାସିନ୍ଦାଙ୍କୁ ସରକାର ମାଗଣାରେ ଜମି ଯୋଗାଇବା ପାଇଁ ଘୋଷଣା କରିଥିଲେ । ଏନେଇ ମଧ୍ୟ କିଛି ଦିନ ହେଲା ତାଳବଣିଆରେ ସରକାରୀ କର୍ମଚାରୀମାନେ ଦରଖାସ୍ତ ଗ୍ରହଣ କଲେ ଏବଂ ତୁରନ୍ତ ଜମି ମିଳିବ ବୋଲି କହିଥିଲେ । ଏହା ମଧ୍ୟରେ ଅନେକ ଦିନ ବିତିଲାଣି ହେଲେ ଜମି ଦେଖା ନାହିଁ କି ଆଉ କୌଣସି ଅଧିକାରୀଙ୍କ ସାକ୍ଷାତ୍ ନାହିଁ । ଆମେ ଯେଉଁ ଅବସ୍ଥାରେ ଥିଲୁ ବର୍ତ୍ତମାନ ସେହି ଅବସ୍ଥାରେ ରହିଛୁ । ମୁଖ୍ୟମନ୍ତ୍ରୀ ପୁରୀ ଆସି ଘୋଷଣା କଲା ପରେ ବସ୍ତିବାସିନ୍ଦାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା । ସମସ୍ତଙ୍କ ମୁହଁରେ ଥିଲା ସରକାର ବହୁ ଦିନ ପରେ ଆମ ଦୁଃଖ ଶୁଣିଛନ୍ତି । ଫଳରେ ବସ୍ତିରୁ ଉଠି ଭଲ ସ୍ଥାନରେ ପରିବାରକୁ ନେଇ ରହିବୁ । କିନ୍ତୁ ସବୁ ସ୍ୱପ୍ନ ଫସର ଫାଟିଲା । ଯେଉଁ ଅବସ୍ଥାରେ ପୁର୍ବରୁ ଥିଲୁ ଆଜି ବି ସେହି ଅବସ୍ଥାରେ ରହୁଛୁ । ଗତ କିଛି ଦିନ ହେଲା ବର୍ଷା ଲାଗି ରହିବା ଫଳରେ ଆଜି ପର୍ଯ୍ୟନ୍ତ ବସ୍ତିରୁ ପାଣି କମିବାର ନାଁ ଧରୁନି । ପାଣିରେ ଉବୁଟୁବୁ ହେଉଛି ବସ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଶହ ଶହ ପରିବାର ।
ଏନେଇ ସ୍ଥାନୀୟ ପୌର କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣିବାକୁ ନାହାନ୍ତି । ତେବେ କେବେ ସରକାର ଆମ ଦୁଃଖକୁ ଶୁଣୁଛନ୍ତି ତାହା ଉପରେ ନଜର । ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର ଗଢ଼ି ତୋଳିବା ପାଇଁ ପ୍ରଶାସନ ଐତିହ୍ୟ ମଠ ଓ ମନ୍ଦିରକୁ ଭାଙ୍ଗି ଧୂଳିସାତ କରି ଜବରଦଖଲ ଉଚ୍ଛେଦ କରୁଥିଲା ବେଳେ ଏବେ ରାଜରାସ୍ତାରେ ବସ୍ତିବାସିନ୍ଦାମାନେ ଦୀର୍ଘ ଦିନ ହେଲା ଅସ୍ଥାୟୀ ଘର ନିର୍ମାଣ କରି ରହି ରାସ୍ତା ଜବରଦଖଲ ହୋଇଛି । ତାହାକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସରକାରଙ୍କ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଘୋଷଣା ହୋଇଥିଲା ବେଳେ ତାହା କାର୍ଯ୍ୟକାରୀ କରିବାରେ ସଫଳ ହୋଇ ନ ଥିଲାବେଳେ ବିଶ୍ୱସ୍ତରୀୟ ନଗରୀ ନିର୍ମାଣ କରିବାରେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *