ନିର୍ବାଚନ ଲଢ଼ିବେ ସୁନକ୍, କ୍ୟାମ୍ପେନ୍ ଆରମ୍ଭ

କିଏ ହେବେ ବି୍ରଟିଶ ପ୍ରଧାନମନ୍ତ୍ରୀ?
ଲଣ୍ଡନ୍ (ଏଜେନ୍ସି): ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାଂସଦ ଋଷି ସୁନକ୍ ପୁଣି ଥରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଆବଶ୍ୟକ ଦଳଗତ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ସମ୍ପ୍ରତି ବିପର୍ଯ୍ୟସ୍ତ ହୋଇପଡିଥିବା ବ୍ରିଟେନର ଅର୍ଥ ବ୍ୟବସ୍ଥାକୁ ସେ ସୁଧାରିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ପଦ ଲାଗି ଦୌଡରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଇତି ମଧ୍ୟରେ ନିଜ ଦଳ କଞ୍ଜରଭେଟିଭ ପାର୍ଟିର ପ୍ରାୟ ୧ଠଠ ସାଂସଦଙ୍କ ସମର୍ଥନ ତାଙ୍କ ପ୍ରତି ରହିଥିବା ଦାବି କରୁଥିବା ସୁନକ୍ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିବା ସହ ରବିବାର ଠାରୁ ନିଜ ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ।
ସୁନକ୍ଙ୍କ କହିବାନୁସାରେ ସେ ନିଜ ଦଳ କଞ୍ଜରଭେଟିଭ ପାର୍ଟିକୁ ଏକଜୁଟ୍ କରିବାକୁ ଚାହୁଁଛନ୍ତି । ସେହିପରି ଦେଶବାସୀଙ୍କ ପାଇଁ ମଧ୍ୟ ସେ ଅନେକ କିଛି ସ୍ୱପ୍ନ ଦେଖିଛନ୍ତି । ଏସବୁ କରିବା ପାଇଁ ସର୍ବପ୍ରଥମେ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ପଡ଼ିବ । ଏଥିଲାଗି ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପୁନଃ ଅନୁଷ୍ଠିତ ହେବାକୁ ଯାଉଥିବା ଦଳଗତ ନିର୍ବାଚନରେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ଯେଉଁଥିରେ ସେ ନିଜ ନିଜ ମନର କଥା କହିଛନ୍ତି ।
କଞ୍ଜରଭେଟିଭ୍ ପାର୍ଟିର ବରିଷ୍ଠ ନେତା ବୋରିସ୍ ଜନ୍ସନ୍ଙ୍କ ଇସ୍ତଫା ପରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ପଦ ଖାଲି ପଡିଥିବା ବେଳେ ଦଳର ଦୁଇ ନେତା ଋଷି ସୁନକ୍ ଏବଂ ଲିଜ୍ ଟ୍ରସ୍ ଏହି ପଦ ପାଇଁ ମୁଖ୍ୟ ଦାବିଦାର ଭାବେ ଉଭା ହୋଇଥିଲେ । ଫଳରେ ଏହି ଦୁଇ ନେତାଙ୍କ ମଧ୍ୟରେ ଦଳଗତ ନିର୍ବାଚନ କରାଇବା ପୂର୍ବକ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେବାକୁ କଞ୍ଜରଭେଟିଭ୍ ପାର୍ଟି ଚିନ୍ତା କରିଥିଲା । ତେବେ ଟିକସ ବ୍ୟବସ୍ଥାରେ ସୁଧାର ପ୍ରତିଶ୍ରୁତି ଦେଇ ଲିଜ୍ ଟ୍ରସ୍ କଞ୍ଜରଭେଟିଭ ପାର୍ଟି ନେତା ପଦ ଲାଗି ହୋଇଥିବା ନିର୍ବାଚନରେ ବିଜୟୀ ହୋଇଥିଲେ । ଲିଜ୍ ପାର୍ଟି ନେତା ପଦ ହାସଲ କରିବା ସହ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । ଏସବୁ ସତ୍ତ୍ୱେ ନିଜ ଦଳୀୟ ନେତାଙ୍କ ସମର୍ଥନ ହାସଲ କରିବାରେ ଲିଜ୍ ଟ୍ରସ୍ ବିଫଳ ରହିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଆର୍ଥିକ ସଂସ୍କାର ଲାଗି ସେ ନେଇଥିବା ନିଷ୍ପତ୍ତିକୁ ନେଇ ଦଳର ଅନେକ ସାଂସଦ ତାଙ୍କୁ ବିରୋଧ କରିଥିଲେ ଏବଂ ତାଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବାକୁ ଦାବି କରିଥିଲେ । ଫଳରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୪୫ଦିନ ପରେ ଲିଜ୍ ଟ୍ରସ୍ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସୁତରାଂ ଏବେ ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।
ଅନ୍ୟପକ୍ଷେ ଲିଜ୍ଙ୍କ ପରେ ଏବେ ଋଷି ସୁନକ୍ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି । ପ୍ରଚାର କାଳରେ ସେ ୨ଠ୧୯ ଘୋଷଣାପତ୍ର ଅନୁସାରେ କାମ କରିବେ ବୋଲି ସୁନକ୍, ବି୍ରଟେନ୍ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ, ସୁନକ୍ଙ୍କ ବିପକ୍ଷରେ ଦଳର ଅନ୍ୟତମ ନେତା ପେନ୍ନି ମର୍ଡୁଆଣ୍ଟ ଦ୍ୱିତୀୟ ପ୍ରାର୍ଥୀ ଭାବେ ଏହି ନିର୍ବାଚନ ଲଢ଼ୁଛନ୍ତି । ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *