କୋଣାର୍କରେ ହେବ ଜି-୨ଠ ବୈଠକ

ନୂଆଦିଲ୍ଲୀ, ୨୩ା୧୦: ପ୍ରଥମ ଥର ପାଇଁ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବ । ଆସନ୍ତା ଡିସେମ୍ବର ୧ରୁ ୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ବର୍ଷବ୍ୟାପୀ ଭାରତ ଜି-୨୦ର ଅଧ୍ୟକ୍ଷ ରହିବ । ଏହି ଅବଧିରେ ଜି-୨୦ର ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ତଥା ପ୍ରସିଦ୍ଧ ଐତିହାସିକ ପୀଠ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ କରାଯାଇଛି । ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଆଧାରିତ ହେବ । ଏହାଦ୍ୱାରା ଭାରତର ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ ।
କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟରେ ଜି-୨୦ର ୫ଟି ବୈଠକ ଆୟୋଜିତ ହେବ । ଏହିସବୁ ଐତିହ୍ୟ ସ୍ଥଳଗୁଡିକ ହେଲା କୋଣାର୍କ ସୂର୍ଯ୍ୟମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ । ଜି-୨୦ର ଶିଖର ସମ୍ମିଳନୀ ୨୦୨୩ ସେପ୍ଟେମ୍ବରରେ ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ । ତା ପୂର୍ବରୁ ପୂର୍ବୋକ୍ତ ସ୍ଥାନଗୁଡିକରେ ମନ୍ତ୍ରିସ୍ତରୀୟ/କାର୍ଯ୍ୟାନ୍ୱୟନ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବ ।
ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନ ଥିଲେ ହେଁ ଗତ ମାର୍ଚ୍ଚରେ ବିଦେଶ ମନ୍ତ୍ରାଳୟର ୫ ଜଣିଆ ଟିମ୍ କୋଣାର୍କ ପରିଦର୍ଶନ କରିଥିଲେ ଏବଂ ଭୁବନେଶ୍ୱରର କେତେକ ଷ୍ଟାର୍ ହୋଟେଲ୍ ଅନୁଧ୍ୟାନ କରିବା ପରେ ରାଜ୍ୟ ଗୃହ, ପର୍ଯ୍ୟଟନ ଓ ସହରାଞ୍ଚଳ ବିକାଶ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଜି-୨୦ ଅଧିକାରୀମାନଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଚୂଡାନ୍ତ ରୂପରେଖ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ଜି-୨୦ ଏକ ଆନ୍ତର୍ଜାତିକ ମଞ୍ଚ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଓ ବିଶ୍ୱବ୍ୟାଙ୍କର ପ୍ରତିନିଧି ସମେତ ୧୯ ଦେଶ ଓ ୟୁରୋପୀୟ ସଂଘ ଏହାର ସଦସ୍ୟ । ଆର୍ଥôକ ସ୍ଥିରତା ରକ୍ଷା, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଓ ସତତ ବିକାଶ ସମ୍ବନ୍ଧୀୟ ପ୍ରସଙ୍ଗରେ ଜି-୨୦ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *