କଟକରେ ଗୋଦାମ, ଭୁବନେଶ୍ୱରରେ ଫ୍ୟାକ୍ଟ୍ରି
ନକଲି ସସ୍ କାରଖାନା ଠାବ
କଟକ (ବୁ୍ୟରୋ): କଟକ ମାଲଗୋଦାମ ଅଞ୍ଚଳର ପୁଣି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢ଼ଉ କରାଯାଇଛି । ଚଢ଼ଉବେଳେ ନିମ୍ନମାନର ଟମାଟୋ ସସ୍, ଚକଲେଟ, ବିସ୍କୁଟ ଓ ଆଚାର ଜବତ କରାଯାଇଛି । ଏହାସହ ଜଣେ ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ, ମାଲଗୋଦାମ ପରିସରରେ ଥିବା ଭାବଗ୍ରାହୀ ଭଣ୍ଡାର ନାମକ ଏକ ପାଇକାରୀ ଗୋଦାମରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ନେଇ ପୁଲିସକୁ ସୂଚନା ମିଳିଥିଲା । ତଦନୁଯାୟୀ ଆଜି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୁଲିସ ମିଳିତ ଭାବେ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲା । ଚଢ଼ଉ ବେଳେ ଗୋଦାମରୁ ପ୍ରତି ପେଟିରେ ୧୨ଟି ବୋତଲ ଥିବା ୫ ପେଟି ଟମାଟୋ, ୪ ପେଟି ଚିଲି ସସ୍, କିଲେ ଲେଖାଏଁ ୬ଟି ଆଚାର ପ୍ୟାକେଟ ଏବଂ ୧୩ ବୋତଲ ଭିନେଗାର ମିଳିଥିଲା । ଏ ସବୁ ଫଟ୍ରିଟ ବ୍ରାଣ୍ଡର ସସ୍ ଏବଂ କୁ୍ୟରେନ ବ୍ରାଣ୍ଡର ଆଚାର ଓ ଭିନେଗାର ଥିବା ପ୍ୟାକେଟରେ ଲେଖାଥିଲା । ଉକ୍ତ ସସ ବୋତଲ ଗୁଡିକରେ ବିକ୍ରି ନେଇ କୌଣସି ପ୍ରକାର ବୈଧତା ତାରିଖ ନଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡିଲା ଯେ, ବିକ୍ରି ହେବାକୁ ଥିବା ସସ, ଆଚାର ଏବଂ ଭିନେଗାର ସବୁ ଖାଦ୍ୟ ଅନୁପଯୋଗୀ । ସସ୍ରେ ପ୍ରଚୁରମାତ୍ରାରେ କେମିକାଲ ଓ ରଙ୍ଗ ମିଶାଯାଇଛି । ତେଣୁ ପୁଲିସ ସମସ୍ତ ଖାଦ୍ୟ ସାମଗ୍ରୀ ଜବତ କରିଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ହେବ ।
ଗୋଦାମର ମାଲିକ ଭାବଗ୍ରାହୀ ପଣ୍ଡାକୁ ଆଣି କାରବାର ସଂକ୍ରାନ୍ତରେ ପୁଲିସ ପଚରାଉଚରା କରିଥିଲା । ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିବା ଯାଜପୁରର ଭାବଗ୍ରାହୀ ଦୀର୍ଘ ବର୍ଷ ଧରି ଏହି ବ୍ୟବସାୟ କରି ଆସୁଛନ୍ତି । ସେ ଖଣ୍ଡଗିରି ପାତ୍ରପଡା ଶିଳ୍ପାଞ୍ଚଳରୁ ଉକ୍ତ ସାମଗ୍ରୀ ସବୁ ଆସୁଥିବା ନେଇ ଜେରା ବେଳେ ସେ କହିଥିଲେ । ଏହାପରେ ଥାନାଧିକାରୀ ରଜନୀକାନ୍ତ ଦାସଙ୍କ ନିଦେ୍ର୍ଦଶରେ ଏକ ଟିମ୍ ତୁରନ୍ତ ପାତ୍ରପଡା ଯାଇ ଉକ୍ତ କାରଖାନାରେ ଚଢଉ କରିଥିଲା । ଚଢ଼ଉ ବେଳେ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ସେଠାରେ କଖାରୁ ଓ ଆଳୁ ସହ କେମିକାଲ ଓ ରଙ୍ଗରେ ସସ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ତେଣୁ ପୁଲିସ ଉକ୍ତ କାରଖାନାକୁ ସିଲ୍ କରିବା ସହ ସେଠାରୁ କିଛି ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଏ ନେଇ ମାଲଗାଦାମ ଥାନାରେ ମାମଲା ରୁଜୁ ହୋଇଛି ।