ପୁନରୁଦ୍ଧାର ହେବ ବ୍ରିଟିଶ ଅମଳର ଟିପିସର ସେତୁ

ଆସିକା (ଆପ୍ର): ଆସିକା ଏନଏସି ଅଧୀନ ୧୩ନଂ ୱାର୍ଡର ଲକ୍ଷ୍ମୀବଜାର ଓ ବିନାୟକ ବଜାରକୁ ସଂଯୋଗ କରୁଥିବା ଟିପିସର ସେତୁର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଆର୍ଥିକ ଅନୁଦାନରେ ବ୍ରିଟିଶ୍ ଶାସନ ସମୟରୁ ନିର୍ମିତ ଏହି ଟିପିସର ସେତୁକୁ ପୁନରୁଦ୍ଧାର କରାଯିବାକୁ ଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି ।
ସହରବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ବିନେତା ସ୍ୱାଇଁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଯୁଦ୍ଧକାଳୀନ ଭିତ୍ତିରେ ସେତୁର ପୁନରୁଦ୍ଧାର ଲାଗି ଆର୍ଥିକ ଅନୁଦାନ ମଞ୍ଜୁର ସକାଶେ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିଥିଲେ । ଗତକାଲି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ବିନେତା ସ୍ୱାଇଁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ସଞ୍ଜୟ ସାମନ୍ତରା, ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ପୌର ଯନ୍ତ୍ରୀ ଇଂ ସୁବାସ ଚନ୍ଦ୍ର ସ୍ୱାଇଁ, ଏନ୍ଏସି କନିଷ୍ଠଯନ୍ତ୍ରୀ ଇଂ ଲକ୍ଷ୍ମୀ ସିଂ, ଏନ୍ଏସି କର୍ମଚାରୀ ସୁମନ୍ତ ସେନପତି, ବିଜେଡି ନେତା ସୀମାଞ୍ଚଳ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ବିପଦସଙ୍କୁଳ ସେତୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷରେ ଆସିକା ଏନ୍ଏସିର ଲକ୍ଷ୍ମୀ ବଜାର ଓ ବିନାୟକ ବଜାରକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ଟିପିସର ସେତୁର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ଲାଗି ଏନଏସି ପକ୍ଷରୁ ଆରମ୍ଭ ହୋଇଥିବା ଜନକଲ୍ୟାଣକାରୀ ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *