ଜହ୍ନିକୁଦାରେ ସ୍ଥାନୀୟ ବାସିନ୍ଦାଙ୍କ ଜଳ ସତ୍ୟାଗ୍ରହ
ଚିଲିକାରେ ବ୍ରିଜ୍ ନିର୍ମାଣ ଦାବି: ତେଜିଲା ଆନେ୍ଦାଳନ
ପୁରୀ (ବୁ୍ୟରୋ): ଚିଲିକାର ସାତପଡ଼ା ଓ ଜହ୍ନିକୁଦା ଘାଟ ମଧ୍ୟରେ ବ୍ରିଜ୍ ନିର୍ମାଣ କରିବା ଲାଗି ଦୀର୍ଘଦିନ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ । ଏପରିକି ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ବିତି ଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି । ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ସାଧାରଣଲୋକଙ୍କ ଯାତାୟାତ ନିମନ୍ତେ ବ୍ରିଜ୍ ନିର୍ମାଣ କରିଛନ୍ତି । କିନ୍ତୁ ପରିତାପର ବିଷୟ ପୁରୀରୁ ସାତପଡ଼ା, ସାତପଡ଼ାରୁ ଜହ୍ନିକୁଦା ଯିବା ଲାଗି ଏକମାତ୍ର ମାଧ୍ୟମ ସାଜିଛି ଭସାପୋଲ ଓ ଡଙ୍ଗା । ଚିଲିକା ମଝିରେ ବାରମ୍ବାର ଭସାପୋଲ ଯାନ୍ତ୍ରିକ ତ୍ରୁଟି ଦେବାଦେବା ସହ ଡଙ୍ଗା ବୁଡ଼ି ପର୍ଯ୍ୟଟକ ମରିବାର ମଧ୍ୟ ନଜିର ରହିଛି ।
ବାରମ୍ବାର ଚିଲିକା ମଝିରେ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ସେଥିପ୍ରତି ସରକାରଙ୍କର ନିଘା ନାହିଁ । ଫଳରେ ସାତପଡ଼ାରୁ ଜହ୍ନିକୁଦା ୫ କିମି ଜଳରାଶିରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ନିଜ ଜୀବନକୁ ବାଜି ଲଗାଇ ଯା’ଆସ କରୁଛନ୍ତି । ସେହିଭଳି ପୁରୀରୁ-ବ୍ରହ୍ମପୁରକୁ ଯୋଗାଯୋଗର ଏକମାତ୍ର ରାସ୍ତା ହେଉଥିବା ବେଳେ ଭସାପୋଲ ନ ଥିଲେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥାନ୍ତା । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ଗର୍ଭବତୀଙ୍କଠାରୁ ଆରମ୍ଭ କରି ଅନ୍ୟ ରୋଗୀମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ଆଣିବାରେ ବଡ଼ କଷ୍ଟସାଧ୍ୟ ହେଉଛି । ଯାହାଫଳରେ ରୋଗୀର ଜୀବନ କେତେବେଳ ଚାଲିଯାଉଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ତେଣୁ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଅବଗତ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଶନିବାର ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚିଲିକା ଜଳରାଶି ଭିତରେ ବିକ୍ଷୋଭ କରି ତୁରନ୍ତ ସାତପଡ଼ାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ବ୍ରିଜ୍ ନିର୍ମାଣ କରିବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ସରକାର ବ୍ରିଜ୍ ନିର୍ମାଣ ପାଇଁ ପଦକ୍ଷେପ ନ ନେଲେ ଆନେ୍ଦାଳନ ତୀବ୍ର କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।