ବର୍ଷା ଆଶଙ୍କାରେ ଆଜି ଭାରତ-ପାକ୍ ଲଢ଼େଇ
ଟି-୨୦ ବିଶ୍ୱକପ୍ ୨୦୨୨
ମେଲ୍ବର୍ଣ୍ଣ, ୨୨ା୧୦ (ଏଜେନ୍ସି): ଟି-୨୦ ବିଶ୍ୱକପ୍ ୨୦୨୨ରେ ରବିବାର ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ୍ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଉଭୟ ଦେଶର କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ସମେତ ଆଇସିସିର ଆଶା ବର୍ଷାରେ ଧୋଇ ଯାଇପାରେ । ଏବେ ସେଠାରେ ପ୍ରବଳ ବର୍ଷା ହେଉଛି ଏବଂ ପାଣିପାଗ ବିଭାଗ ଛୋଟ ଧରଣର ବନ୍ୟାର ଆଲର୍ଟ ବି ଜାରି କରିଛି । ଏହି କାରଣରୁ ଭାରତୀୟ ଟିମ୍ ଶନିବାର ଇନ୍ଡୋର୍ ଅଭ୍ୟାସ କରିଥିଲା । ଭାରତୀୟ ସମୟାନୁସାରେ ରବିବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ମ୍ୟାଚ୍ ହେବ ।
୧୯୯୨ରୁ ନେଇ ଏ ଯାବତ୍ ଦିନିକିଆ ଓ ଟି-୨୦ ବିଶ୍ୱକପ୍କୁ ମିଶାଇ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ମ୍ୟାଚ୍ ଖେଳାଯାଇଛି; ହେଲେ ଗୋଟିଏ ବି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇ ନାହିଁ । ତେବେ ଆସନ୍ତା ୨୩ରେ ମେଲ୍ବର୍ଣ୍ଣରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଥିବାରୁ ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଭାରତ-ପାକ୍ ମ୍ୟାଚ୍ ବାତିଲ୍ ହୋଇଯାଇପାରେ ।
ମ୍ୟାଚ୍ ବାତିଲ୍ ହେଲେ ଉଭୟଙ୍କୁ ୧-୧ ପଏଣ୍ଟ
ସୁପର୍-୧୨ରେ ପ୍ରତି ଟିମ୍ ପାଞ୍ଚ ମ୍ୟାଚ୍ ଖେଳିବେ । ମ୍ୟାଚ୍ ଜିତିବା ସ୍ଥଳେ ୨ ପଏଣ୍ଟ ମିଳିବ ଏବଂ ପରାଜୟ ସ୍ଥଳେ କୌଣସି ପଏଣ୍ଟ ମିଳିବନି । ଟି-୨୦ ବିଶ୍ୱକପ୍ରେ ଯୋଗ୍ୟତା ପର୍ଯ୍ୟାୟ ଓ ସୁପର୍-୧୨ ପର୍ଯ୍ୟାୟ ପାଇଁ ରିଜର୍ଭ ଦିବସ ନାହିଁ । ଏହାର ଅର୍ଥ ଯଦି ବର୍ଷା ଓ ଅନ୍ୟ କୌଣସି କାରଣରୁ ମ୍ୟାଚ୍ ସମ୍ଭବ ହୁଏ ନାହିଁ, ତାହା ହେଲେ ଉଭୟ ଟିମ୍କୁ ୧-୧ ପଏଣ୍ଟ ଲେଖାଏଁ ମିଳିବ । ଅବଶ୍ୟ ଯଦି ବର୍ଷା କିଛି ସମୟ ପାଇଁ ବାଧା ଉପୁଜାଏ, ତାହା ହେଲେ ମ୍ୟାଚ୍ରେ କିଛି ଓଭର୍ କମାଯାଇପାରେ । ଅତି କମ୍ରେ ଏହା ୫-୫ ଓଭର୍ ବିଶିଷ୍ଟ ହୋଇପାରିବ ।
କ’ଣ ରହିବ ସେମିଫାଇନାଲ୍ ଗଣିତ
ଏହି ମ୍ୟାଚ୍ ଜିତି ପୂରା ୨ ପଏଣ୍ଟ ହାସଲ କରୁଥିବା ଟିମ୍ର ସେମିଫାଇନାଲ୍ରେ ପହଞ୍ଚିବାର ଆଶା ଅଧିକ ରହିବ । ଏପରି ନ ହେବା ସ୍ଥଳେ ଅବଶିଷ୍ଟ ମୁକାବିଲାଗୁଡ଼ିକ କର ବା ମର ଭଳି ହୋଇପାରେ ଏବଂ ଏସବୁ ମ୍ୟାଚ୍ରେ ବିଜୟ ହାସଲ ସତ୍ତ୍ୱେ ସେମିଫାଇନାଲ୍ର ଗ୍ୟାରେଣ୍ଟି ନ ଥିବ । ପୂର୍ବ ବିଶ୍ୱକପ୍ରେ ଆମେ ଦେଖିଥିଲୁ ଯେ ଦକ୍ଷିଣ ଆଫ୍ରିକା ଟିମ୍ ସୁପର୍-୧୨ରେ ପାଞ୍ଚରୁ ଚାରି ମ୍ୟାଚ୍ ଜିତିବା ସତ୍ତ୍ୱେ ସେମିଫାଇନାଲ୍ରେ ପହଞ୍ଚିପାରି ନ ଥିଲା ।
ଭାରତ-ପାକିସ୍ତାନ ଗ୍ରୁପ୍ରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଜିମ୍ବାୱେ ଓ ନେଦରଲାଣ୍ଡ୍ସ ଟିମ୍ ରହିଛନ୍ତି । ଛଅରୁ ମାତ୍ର ଦୁଇ ଟିମ୍ ଅନ୍ତିମ-୪ରେ ସ୍ଥାନ ପାଇବେ । ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରୁ କୌଣସି ଟିମ୍ ଚାହିଁବନି ଯେ ମ୍ୟାଚ୍ ବାତିଲ୍ ହେଉ । ମ୍ୟାଚ୍ ଜିତି ଦୁଇ ପଏଣ୍ଟ ହାସଲ କରିବା ପାଇଁ ଉଭୟଙ୍କର ପ୍ରୟାସ ରହିବ, ଯାହା ଫଳରେ ସେମାନଙ୍କ ଦାବିଦାରୀ ମଜଭୁତ ହୋଇପାରିବ ।
ତେବେ ଏକ ଭଲ ଖବର ହେଉଛି ଯେ ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ସିଡ୍ନୀରେ ଶନିବାର ହୋଇଥିବା ମ୍ୟାଚ୍ରେ ମଧ୍ୟ ବର୍ଷା ଆଶଙ୍କା ଥିଲା । ଶୁକ୍ରବାର ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । କିନ୍ତୁ ଶନିବାର ଆକାଶ ମେଘାଚ୍ଛନ୍ନ ରହିବା ସତ୍ତ୍ୱେ ବର୍ଷା ହୋଇ ନ ଥିଲା ଏବଂ ଗ୍ରାଉଣ୍ଡ ଷ୍ଟାଫ୍ମାନେ ପଡ଼ିଆକୁ ଶୁଖାଇ ଦେଇଥିଲେ ।
ଟି-୨୦ ବିଶ୍ୱକପ୍ରେ ଭାରତର ପଲା ଭାରୀ
ଉଭୟ ଟିମ୍ ଟି-୨୦ ବିଶ୍ୱକପ୍ରେ ଏ ଯାବତ ଛଅ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ପାଞ୍ଚ ଥର ବାଜି ମାରିନେଇଥିବା ବେଳେ ପାକିସ୍ତାନ ଗୋଟିଏ ମ୍ୟାଚ୍ ଜିତିଛି । ଟି-୨୦ ଆନ୍ତର୍ଜାତିକରେ ଓଭର୍ଅଲ୍ ରେକର୍ଡକୁ ଦେଖିଲେ, ଉଭୟ ଟିମ୍ ମଧ୍ୟରେ ୧୧ ମ୍ୟାଚ୍ ହୋଇଛି । ୭ ମ୍ୟାଚ୍ ଭାରତ ଜିତିଥିବା ବେଳେ ୩ ମ୍ୟାଚ୍ ପାକିସ୍ତାନ ଜିତିଛି । ଅନ୍ୟ ଏକ ମ୍ୟାଚ୍ ଟାଇ ରହିଥିଲା ଏବଂ ବୋଲ୍ ଆଉଟ୍ରେ ଭାରତ ବିଜୟ ହାସଲ କରିଥିଲା ।
ଏତଦ୍ଭିନ୍ନ, ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ର ଅଷ୍ଟ୍ରେଲିଆରେ ଉତ୍ତମ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ଏଠାରେ ୧୨ ମ୍ୟାଚ୍ ଖେଳିଥିବା ବେଳେ ୭ରେ ଜିତିଛି ଏବଂ ୪ରେ ପରାଜିତ ହୋଇଛି । ଅନ୍ୟ ଗୋଟିଏ ମ୍ୟାଚ୍ ଫଳାଫଳରହିତ ଥିଲା । ଭାରତ ଏହି ସମସ୍ତ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଛି ।
ମେଲ୍ବର୍ଣ୍ଣ ପିଚ୍ କେମିତି?
ମେଲ୍ବର୍ଣ୍ଣରେ ପୂର୍ବ ପାଞ୍ଚ ମ୍ୟାଚ୍ରେ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ୍ ବାଜିମାତ୍ କରିଛି । ଏହି ପାଞ୍ଚ ମ୍ୟାଚ୍ ମଧ୍ୟରେ ସର୍ବୋଚ୍ଚ ଟିମ୍ ସ୍କୋର୍ ଥିଲା ୧୭୫ ରନ୍, ଯାହା ଅଷ୍ଟ୍ରେଲୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲା । ଭାରତ ଏହି ଗ୍ରାଉଣ୍ଡରେ ଗୋଟିଏ ଇନିଂସ୍ରେ ସର୍ବାଧିକ ୧୮୪ ରନ୍ରେ ରେକର୍ଡ ସ୍କୋର୍ କରିଛି । ଏଠାରେ ପାକିସ୍ତାନର ଆଭରେଜ୍ ସ୍କୋର୍ ୧୨୫ ରନ୍ । ଏଠାକାର ପିଚ୍ ପେସର୍ ବୋଲର୍ଙ୍କୁ ସୁହାଏ । ଏଠାରେ ୫୯ ୱିକେଟ୍ ପେସ୍ ବୋଲର୍ ନେଇଛନ୍ତି ।