ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

ଓସିଏ ନିର୍ବାଚନ
କଟକ,୨୧ ।୧୦ (ବୁ୍ୟରୋ): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) କର୍ମକର୍ତ୍ତା ନିର୍ବାଚନ ପ୍ରାର୍ଥୀପତ୍ର ଦଖଲ ପ୍ରକ୍ରିୟା ଶୁକ୍ରବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି । ୬ ପଦବୀ ନିମନ୍ତେ ଆବେଦନ କରିଛନ୍ତି ମୋଟ ୬ ଜଣ ପ୍ରତିନିଧି । ଏପରିକି ଯେଉଁମାନେ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଥିଲେ ସେହି ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନରେ ସଞ୍ଜୟଙ୍କ ପ୍ୟାନେଲ ୬ଟି ପଦବି ଲାଗି ନାମାଙ୍କନ ଦାଖଲ କରିଛନ୍ତି । ତେବେ ସମସ୍ତ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବେ ବୋଲି ଅନୁମାନ କରାଯାଉଛି ।
ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ସଭାପତି ପାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ହିସାବରେ ତାଙ୍କ ଭାଇ ନାମାଙ୍କନ ଦାଖଲ କରିଥିଲେ । ସେହପିରି ଉପସଭାପତି ଭାବେ ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ଭାବେ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରତିଦ୍ୱନ୍ଦ୍ୱିତାକୁ କରିବାକୁ ଓହ୍ଲାଇଥିବା ନବରଞ୍ଜନ ପଟ୍ଟନାୟକଙ୍କ ପ୍ୟାନେଲ ଏକ ପ୍ରକାର ସମର୍ଥନ ଜଣାଇଛନ୍ତି । ଫଳରେ ଓସିଏର ପଦବୀ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବ ବୋଲି ନିଶ୍ଚିତ ହୋଇଛି । ନୂତନ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ଓସିଏର ନୂଆ ମୁହଁ ଭାବେ ଉଭା ହୋଇଛନ୍ତି । ସମସ୍ତେ ମା’ କଟକଚଣ୍ଡୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ସହିତ ଓଡିଶା କ୍ରିକେଟର ସର୍ବାଙ୍ଗୀନ ବିକାଶ ଲାଗି ସଂକଳ୍ପବଦ୍ଧ ବୋଲି ଦୋହରାଇଛନ୍ତି । ତେବେ ସମ୍ପାଦକ ପଦବୀ ପୁଣି ଥରେ ସଞ୍ଜୟଙ୍କ କବ୍ଜାରେ ରହିବ । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ଦାସ ଓସିଏର ନୂତନ ସଭାପତି ଭାବେ ନୂଆଁ ମୁହଁ ଭାବେ ଓହ୍ଲାଇଥିବା ବେଳେ ପ୍ରାର୍ଥୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୂର୍ବରୁ ଓସିଏ ନିର୍ବାଚନକୁ ନେଇ ଚାଲିଥିବା ଆକଳନର ନୂତନ ମୋଡ଼ ବଦଳାଇ ଦେଇଥିଲା । ଅନ୍ୟପକ୍ଷରେ ତାଙ୍କୁ ବିରୋଧ କରି ନିର୍ବାଚନ ଲଢିବା ଲାଗି ପ୍ରସ୍ତୁତି ହେଉଥିବା ପ୍ରତିଦ୍ୱନ୍ଦୀଙ୍କ ଶିବିରରେ ଚିନ୍ତା ବଢିଯାଇଥିଲା । ସନ୍ସାଇନ କ୍ଲବର ସଦସ୍ୟ ନବରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦୀ ସାମ୍ନା କରିବେ ବୋଲି ଶୁଣିବାକୁ ମିଳୁଥିଲା । ଏପରିକି ନାମାଙ୍କନ ପତ୍ର ନିଶ୍ଚିତ ଭାବେ ଦାଖଲ କରିବି ବୋଲି ନବରଞ୍ଜନ କହୁଥିଲେ । ହେଲେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ସର୍ତ୍ତବିହୀନ ସମର୍ଥନ ଜଣାଉଛୁ ବୋଲି ସେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେଉଛନ୍ତି । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଅନେକ ବିକାଶମୂଳକ କାର୍ଯ୍ୟ କରୁଛି । ଏହି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କୁ ସମର୍ଥନ କରୁଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ । ସେହିପରି ରାଇଜିଂ ଷ୍ଟୁଡେଣ୍ଟ କ୍ଲବର ସଦସ୍ୟ ସଞ୍ଜୟ ବେହେରା ପୁଣିଥରେ ଓସିଏର ସମ୍ପାଦକ ପଦବୀରେ ରହିବେ । ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ । ୨୦୧୯ରେ ସେ ପ୍ରଥମଥର ନିମନ୍ତେ ଓସିଏ ନିର୍ବାଚନରେ ସମ୍ପାଦକ ପଦବୀରେ ବିଜୟୀ ହୋଇଥିଲେ । କୋଷାଧ୍ୟକ୍ଷ ପଦବୀରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ବିକାଶ ପ୍ରଧାନଙ୍କୁ ପୁଣିଥରେ ଦେଖିବାକୁ ମିଳିବ । ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାତ କୁମାର ଭୋଳ ଯୁଗ୍ମ ସମ୍ପାଦକ ଏବଂ ଅନୁଗୋଳ ଜିଲ୍ଲାର ପ୍ରତାପ ଚନ୍ଦ୍ର ପ୍ରଧାନ ଆପେକ୍ସ କାଉନସିଲ ସଦସ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଥିବା ବିଭିନ୍ନ କ୍ରୀଡା ସଂଘର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲାବେଳେ କ୍ରିକେଟରେ ସମସ୍ତେ ମିଳିମିଶି ଆଗକୁ ଆସିବା ଦରକାର ବୋଲି କହିଛନ୍ତି ଆଶୀର୍ବାଦ ବେହେରା । ଅନ୍ୟପଟେ ସିଧାସଳଖ ଓସିଏ ନିର୍ବାଚନରୁ ଓହରି ଯାଇଥିବା ଓସିଏ ବିରୋଧୀ ପ୍ୟାନେଲ ଆଜି ସଭାପତି ପାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପୂରା ପ୍ୟାନେଲକୁ ଅଭିନନ୍ଦନ ଜଣାଇଛନ୍ତି । ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାବେଳେ ରବିବାର ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଏହାପରେ ଆସନ୍ତା ୨୮ରେ ଓସିଏର ନୂତନ କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *