ଧାମରାରୁ ୨ଠଠ କିମି ଦୂରରେ ଯିବ ସିତ୍ରାଙ୍ଗ
ଭୁବନେଶ୍ୱର, ୨୧ା୧୦ (ବୁ୍ୟରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଏହା ଓଡ଼ିଶା ଛୁଇଁବାର ନାହିଁ । ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦କିମି ଦୂରରେ ସମୁଦ୍ର ଭିତରେ ସମାନ୍ତରାଳ ହୋଇ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବ । ତେଣୁ ସାଧାରଣ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଗଣମାଧ୍ୟମ ବି ବାତ୍ୟା ସଂକ୍ରାନ୍ତରେ ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରୁ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏକ ଭିଡିଓ ବାର୍ତ୍ତାରେ ଗୁରୁବାର ଏଭଳି ଆଶ୍ୱସନା ଦେଇଛନ୍ତି ।
ଶ୍ରୀ ଜେନା ଗଣମାଧ୍ୟମ ଉଦେ୍ଦଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଓ ସେମାନଙ୍କର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତ ଓ ୨୩ତାରିଖ ସୁଦ୍ଧା ତୀବ୍ର ଅବପାତ ଏବଂ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳର ୨୦୦କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ୨୫ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶରେ ଉପକୂଳ ଛୁଇଁବ । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରିବାକୁ ଶ୍ରୀ ଜେନା ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହା ସହ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି ।
ସେ କହିଛନ୍ତି ଯେ, ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ରାଜ୍ୟ ସରକାର ପ୍ରାକୃତିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକୀୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ପ୍ରବେଶ କରିବ ନାହିଁ ସତ, କିନ୍ତୁ ଏହା ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବାବେଳେ ଧାମରାର ପୂର୍ବ ଦିଗରେ ଏହା ସବୁଠୁ କମ୍ ୨୦୦କିମି ଦୂର ବ୍ୟବଧାନରେ ଅତିକ୍ରମ କରିବ ।
ପାଣିପାଗର ବିଭାଗର ପୂର୍ବାନୁମାନ ଅନୁସାରେ ଏହାର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଘଣ୍ଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ବୋହିବ ଓ ଅନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।
ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସ, କୋଷ୍ଟ ଗାର୍ଡ ଓ ଇଣ୍ଡିଆନ ନାଭିର ଅଧିକାରୀଙ୍କ ସହ ଏସଆରସି ଶ୍ରୀ ଜେନା ନିଜେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି କରିଛନ୍ତି । କେତେକ ସ୍ଥାନରେ ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସର ଯବାନଙ୍କୁ ମୁତୟନ କରାଯିବ । ଯାହାଫଳରେ ତତ୍କାଳ ମୁକାବିଲା ସମ୍ଭବପର ହୋଇପାରିବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ଜିଲ୍ଲାପାଳଙ୍କୁ ନିଜ ନିଜ ସ୍ତରରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୨ତାରିଖ ସକାଳ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ଓ ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି ।
ଶ୍ରୀ ଜେନା ବଜାରରେ ଅଯଥା ଭିଡ଼ ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ପ୍ରବେଶ କରୁନଥିବାରୁ ଦୋକାନବଜାର ସ୍ୱାଭାବିକ ଖୋଲା ରହିବ । ତେଣୁ ବାତ୍ୟାକୁ ନେଇ ଅଯଥା ଦୋକାନବଜାର ଭିଡ଼ ନକରିବା ଓ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ବାତ୍ୟା ଯୋଗୁ ଆଗାମୀ ୨୩ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିଦେ୍ର୍ଦଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେବେ ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୨୫ ତାରିଖ ରାତିରୁ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ ଓ ପୁରୀରେ ବି ପ୍ରବଳ ବର୍ଷା ହେବ । ସେହିଭଳି ୨୬ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ସେ କହିଛନ୍ତି ।
ଅନ୍ୟପଟେ ରାଜ୍ୟରୁ ଫେରିଗଲା ମୌସୁମୀ । ଆକଳନ ଥିଲା ପାଗ ଶୁଖିଲା ହେଲେ ଅନୁକୂଳ ହେବ ମୌସୁମୀ ଅପସାରଣ ପାଇଁ । ଆକଳନ ମୁତାବକ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା କମିବା ପରେ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗତ ଜୁନ ୧୬ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।