ଦୁଇ ଥର ବିଜେତା ଇଣ୍ଡିଜ୍ ବିଦା

ଟି-୨୦ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ
ହୋବାର୍ଟ, ୨୧ା୧୦ (ଏଜେନ୍ସି): ଟି-୨୦ ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ସବୁଠାରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦୁଇ ଥର ବିଶ୍ୱ ବିଜେତା ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି । ଆୟର୍ଲାଣ୍ଡ କାରିବୀୟ ଟିମ୍କୁ ୯ ୱିକେଟ୍ରେ ମାତ୍ ଦେଇ ସୁପର୍-୧୨ରେ ସ୍ଥାନ ପାଇଛି । ୩ ୱିକେଟ୍ ନେଇଥିବା ଗାରେଥ୍ ଡେଲାନୀ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମ ଥର କୌଣସି ବିଶ୍ୱ ବିଜେତା ଟିମ୍ ବିଶ୍ୱକପ୍ର ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିପାରି ନାହିଁ । ଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ୱକପ୍ରେ ମୁକୁଟ ଜିତିଥିଲା । ଆଇସିସି ମାନ୍ୟତାରେ ଆୟର୍ଲାଣ୍ଡ ଟିମ୍ ୧୨ତମ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ସପ୍ତମ ସ୍ଥାନରେ ରହିଛି ।
ଏହି ମ୍ୟାଚ୍ରେ କାରିବୀୟ ଟିମ୍ର ନା ବ୍ୟାଟିଂ କାମ ଦେଲା ନା ବୋଲିଂ । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟର୍ଲାଣ୍ଡ ଟିମ୍ ୧ ୱିକେଟ୍ ହରାଇ ୧୭.୩ ଓଭର୍ରେ ୧୫୦ ରନ୍ କରି ବିଜୟୀ ହୋଇଥିଲା ।
ଆୟର୍ଲାଣ୍ଡ ସ୍ପିନର୍ମାନେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ୫ରୁ ୪ ୱିକେଟ୍ ସ୍ପିନର୍ ନେଇଥିଲେ । ୱେଷ୍ଟଇଣ୍ଡିଜ୍ ଟିମ୍ର ଆରମ୍ଭ ଭଲ ନ ଥିଲା । କାଇଲ୍ ମାୟର୍ସ ଓ ଜନ୍ସନ୍ ଚାର୍ଲ୍ସଙ୍କ ଓପନିଂ ଯୋଡ଼ି ମାତ୍ର ୧୦ ରନ୍ରେ ଭାଙ୍ଗିଥିଲା । ମାୟର୍ସ ୧ ରନ୍ କରି ମ୍ୟାକ୍କାର୍ଥୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଜନ୍ସନ୍ ଚାର୍ଲ୍ସ ୨୪ ରନ୍ର ଇନିଂସ୍ ଖେଳିଥିଲେ । ୨୭ ରନ୍ରେ ୨ ୱିକେଟ୍ ପଡ଼ିଥିଲା । ଏହାପରେ ବ୍ରାନ୍ଡନ୍ କିଙ୍ଗ୍ ଓ ଏଭିନ୍ ଲୁଇସ୍ ୪୪ ରନ୍ର ଭାଗୀଦାରୀ କରିଥିଲେ । ଲୁଇସ୍ ୧୩ ରନ୍ କରି ଡେଲାନୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ତେବେ କିଙ୍ଗ୍ଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ଅବ୍ୟାହତ ରହିଥିଲା । ଇତ୍ୟବସରେ ନିକୋଲାସ୍ ପୂରନ୍ ୧୩ ଓ ରୋଭମ୍ୟାନ୍ ପୱେଲ୍ ୬ ରନ୍ କରି ଡେଲାନୀଙ୍କ ଶିକାର ହୋଇଥିଲେ । କିଙ୍ଗ୍ ୪୮ ବଲ୍ରୁ ୬ ଚୌକା ଓ ୧ ଛକା ସହାୟତାରେ ୬୨ ଏବଂ ଓଡିନ୍ ସ୍ମିଥ୍ ୧୨ ବଲ୍ରୁ ୧୯ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଡେଲାନୀ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ।
୧୪୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆୟର୍ଲାଣ୍ଡ ୧୫ ବଲ୍ ବାକି ଥାଇ ବିଜୟୀ ହୋଇଥିଲା । ପଲ୍ ଷ୍ଟର୍ଲିିଙ୍ଗ୍ ଓ ଅଧିନାୟକ ଆଣ୍ଡି ବଲ୍ବିର୍ନି ଓପନିଂ ୱିକେଟ୍ରେ ୭୩ ରନ୍ର ଭାଗୀଦାରୀ କରିଥିଲେ । ବଲ୍ବିର୍ନି ୨୭ ରନ୍ କରି ଅକିଲ ହୋସେନ୍ଙ୍କ ଶିକାର ହୋଇଥିଲେ । ଏହାପରେ ଷ୍ଟର୍ଲିଙ୍ଗ୍ ନୂଆ ବ୍ୟାଟର୍ ଲୋର୍କାନ୍ ଟକର୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଏହି ଯୋଡ଼ି ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ଅପରାଜିତ ୭୭ ରନ୍ର ଭାଗୀଦାରୀ ହୋଇଥିଲା । ଷ୍ଟର୍ଲିଙ୍ଗ୍ ୪୮ ବଲ୍ରୁ ୬୬ (୬ ଚୌକା ଓ ୨ ଛକା ସହାୟତାରେ) ଓ ଟକର୍ ୩୫ ବଲ୍ରୁ ୪୫ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *