ଚୀନ୍, ରୁଷ୍ ତୁଳନାରେ ଆମେରିକା ସେନା ଦୁର୍ବଳ

ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ
ୱାଶିଂଟନ୍ (ଏଜେନ୍ସି): ସବୁ କ୍ଷେତ୍ରରେ ନିଜକୁ ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିଆସୁଥିବା ଆମେରିକାର ବାସ୍ତବିକ ସାମର୍ଥ୍ୟ ଏବେ ପଦାରେ ପଡ଼ିଯାଇଛି । ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା, ରୁଷ୍ ଏବଂ ଚୀନ୍ ତୁଳନାରେ ଅନେକାଂଶରେ ଦୁର୍ବଳ ରହିଛି । କଞ୍ଜରଭେଟିଭ ହେରିଟେଜ୍ ଫାଉଣ୍ଡେଶନ୍ ୟୁଏସ୍ ମିଲିଟାରୀ ଶକ୍ତିର ବାର୍ଷିକ ସୂଚକାଙ୍କରେ ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ତେବେ ସାର୍ବଜନୀନ ହୋଇଥିବା ଏହି ରିପୋର୍ଟରୁ ଏହି ଖୁଲାସା ହୋଇଛି ।
ଆର୍ଥିକ କ୍ଷେତ୍ରରେ ଆମେରିକା ସବୁଠୁ ଧନୀ ରାଷ୍ଟ୍ର ହୋଇଥାଇପାରେ କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ଏହା ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ଶତ୍ରୁ ଦେଶ ରୁଷ୍ ତଥା ଚୀନ୍ ବିରୋଧରେ ସେତେ ଶକ୍ତିଶାଳୀ ନୁହେଁ । ପ୍ରତିରକ୍ଷା ମାମଲାରେ ଆମେରିକୀୟ ସେନା ଗୋଟିଏ ବି ଯୁଦ୍ଧ ଜିତିବାରେ ସକ୍ଷମ ନୁହନ୍ତି । ଆମେରିକାର ସୈନ୍ୟ ଶକ୍ତି ଉପରେ ଆଧାରିତ ଏକ ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ, ଚୀନ୍ କିମ୍ବା ରୁଷ୍ ବିପକ୍ଷରେ ଯୁଦ୍ଧ ଜିତିବା ପାଇଁ ଆମେରିକାର ପେଣ୍ଟାଗନ ସେନାକୁ ସଂଘର୍ଷ କରିବାକୁ ପଡିବ । ରିପୋର୍ଟରେ ଆମେରିକା ସେନା ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର, ସୈନ୍ୟ ଉପକରଣ ନଥିବା ବେଳେ ଏହି କାରଣରୁ ଦେଶର ୩ ସେନାବାହିନୀ ଦୁର୍ବଳ ସ୍ତରରେ ରହିଥିବା ଦର୍ଶାଯାଇଛି । ଆମେରିକା ନିଜ ଦୁର୍ବଳ ନୌସେନାର କ୍ଷମତାକୁ ଅଧିକ ବଢାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଥିବା ବେଳେ ସ୍ଥଳସେନାକୁ ଆଭରେଜ୍ ରେଟିଂ ମିଳିଛି । ସେହିପରି ଆମରେିକା ନିଜ ଆଭ୍ୟନ୍ତରୀଣ ସୁରକ୍ଷା ବଳ ଏବଂ ବାୟୁସେନାକୁ ଯଥାସମ୍ଭବ ସଶକ୍ତ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଆମେରିକା ନିଜ ପ୍ରତିରକ୍ଷା ବଜେଟ୍କୁ ବୃଦ୍ଧି କରିବା ଏକମାତ୍ର ବିକଳ୍ପ ଭାବେ ବିଶ୍ୱର ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
ପ୍ରକାଶ, ଏପରି ସମୟରେ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେତେବେଳେ ରୁଷ୍ ସହ ୟୁକ୍ରେନ୍ ପ୍ରସଙ୍ଗରେ ଏବଂ ଚୀନ୍ ସହ ତାଇୱାନ୍ ପ୍ରସଙ୍ଗରେ ଆମେରିକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ୟୁକ୍ରେନ୍ ଏବଂ ତାଇୱାନ୍କୁ ସବୁପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଉଥିବା ଆମେରିକାର ନିଜ ସୈନ୍ୟବଳ ଦୁର୍ବଳ ରହିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପେଣ୍ଟାଗନ୍ର ମୁଖପାତ୍ର ଏପ୍ରକାର ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *