୨୪ରେ ଡକାଯିବ ବଡ଼ବଡ଼ିଆ
ସୂର୍ଯ୍ୟପରାଗ ଲାଗି ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ
ପୁରୀ (ବୁ୍ୟରୋ): ଆସନ୍ତା ୨୫ ତାରିଖ ଅର୍ଥାତ୍ ଦୀପାବଳୀ । ଏହି ଦିନ ସୂର୍ଯ୍ୟପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ସ୍ଥାନୀୟ ନୀଳାଦି୍ର ଭକ୍ତନିବାସ ପରିସରରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଶେଷ ଭାବେ ଦୀପାବଳୀର ନୀତିକାନ୍ତି କିଭଳି ଶୃଙ୍ଖଳିତ ସମାପନ ହେବ ସେ ନେଇ ଆଲୋଚନା କରାଯାଇଥିଲା । ୨୫ ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ୨୪ ତାରିଖ ରାତିରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବ । ତତ୍ସହିତ ଭୋର ୪ଟା ୫୫ ସୁଦ୍ଧା ମହାପ୍ରସାଦ ମଧ୍ୟ ପ୍ରସ୍ତୁତି ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ସେହିଭଳି ୨୫ ତାରିଖ ନୁହେଁ ୨୪ ତାରିଖ ଦିନକୁ ଦୀପାବଳୀ ଭାବେ ପାଳନ କରାଯିବ । ସେଥିଲାଗି ପ୍ରଶାସନ ପକ୍ଷରୁ କାକୁଡିଖାଇ ମନ୍ଦିରଠାରୁ ମଙ୍ଗୁ ମଠ ମଧ୍ୟରେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି ।
ଅନ୍ୟପକ୍ଷରେ ଯେଭଳି ଭାବେ ସୂର୍ଯ୍ୟପରାଗ ପୂର୍ବରୁ ମହାପ୍ରସାଦ ପ୍ରସ୍ତୁତି ଶେଷ ହେବା ସହ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବ ସେଥିଲାଗି ସେବାୟତମାନଙ୍କୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ନଚେତ ଭୋଗ ଯେପରି ମାରା ନ ହେବ ସେଥିପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ସେବା ୟତମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସେବାୟତ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।