ବ୍ରାଉନ୍ ସୁଗର୍, ୧୩ ଲକ୍ଷ ଟଙ୍କା ଓ ବିପୁଳ ଅଳଙ୍କାର ଜବତ
ଖୋର୍ଦ୍ଧା (ଆପ୍ର): ଖୋର୍ଦ୍ଧା ପୁଲିସକୁ ବଡ଼ଧରଣର ସଫଳତା ମିଳିଛି । ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ସ୍ୱତନ୍ତ୍ର ପୁଲିସ ଟିମ୍ ଆଦର୍ଶ ଥାନା ଠେଙ୍ଗାହାଟରେ ଚଢ଼ଉ କରି ୩ ମହିଳାଙ୍କ ସମେତ୬ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି । ମହିଳା ବେପାରୀଙ୍କ ଘରୁ ୫୦ ଗ୍ରାମ ବ୍ରାଉନ ସୁଗର ସହିତ ଅଧା କିଲୋ ସୁନା ଅଳଙ୍କାର, ୧ କିଲୋ ରୁପା, ୧୩ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଛି ।
ସାମନ୍ତରାପୁର ଠେଙ୍ଗାହାଟର ଏକ ନିର୍ଦ୍ଦିିଷ୍ଟ ସ୍ଥାନରେ ନିୟମିତ ବ୍ରାଉନ ସୁଗାର କାରବାର ହେଉଥିବା ପୁଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା । ସଦର ଥାନା ଅନ୍ତର୍ଗତ ଗୁଡ଼ୁମର ଦୁଇ ଭାଇ କୁଳମଣି ବେହେରା ଓରଫ କୁଳ (୩୦), ନୀଳମଣି ବେହେରା (୨୮) ଓ ଖୋର୍ଦ୍ଧା ଟାଉନ ଥାନା ଭାଲିଆବାଡ଼ିର ବୀରେନ୍ଦ୍ର ସାହୁ ଓରଫ ନନ୍ଦୁ (୨୭) ନିୟମିତ ଠେଙ୍ଗାହାଟର କାନି ବେହେରା ଓରଫ କାଇନକୁ ବ୍ରାଉନ ସୁଗର ଯୋଗାଉଥିଲେ । ସେଠାରୁ ଅନ୍ୟସ୍ଥାନକୁ ବ୍ରାଉନ ସୁଗର ଚାଲାଣ କରାଯାଉଥିଲା । ପୁଲିସ ଟିମ୍ କାନି ଘରେ ଚଢ଼ଉ କରି ୩୦ ଓ ତା’ ଘରେ ଥିବା ଭଉଣୀ ସ୍ୱର୍ଣ୍ଣଲତା ବେହେରା ନିକଟରୁ ୨୦ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା । ଦୁହେଁ ପଣତ କାନିରେ ବ୍ରାଉନ ସୁଗର ବାନ୍ଧିଥିଲେ । କାନି ଘର ଖାନତଲାସ ସମୟରେ ୫୧୧.୬୭୦ ଗ୍ରାମ ସୁନା ଅଳଙ୍କାର, ୮୩୦ ଗ୍ରାମ ରୁପା ଅଳଙ୍କାର ଓ ୧୩ଲକ୍ଷ ୬୮ହଜାର ଟଙ୍କା ମିଳିଥିଲା ।
ଦୁଇ ଭଉଣୀଙ୍କୁ ସହଯୋଗ କରୁଥିବା ଦମୟନ୍ତୀ ନାୟକ ଓରଫ ସେର (୪୦), ବୀରେନ୍ଦ୍ର, କୁଳମଣି ଓ ନୀଳମଣିଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗର ମୂଲ୍ୟ ୫ଲକ୍ଷ ଟଙ୍କା ହେବ । ଜବତ ସୁନାର ମୂଲ୍ୟ ପ୍ରାୟ ୨୩ଲକ୍ଷ ଟଙ୍କା ଓ ରୁପାର ମୂଲ୍ୟ ୫୦ହଜାର ଟଙ୍କା ହେବ । ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଖୋର୍ଦ୍ଧାକୁ ଡ୍ରଗ୍ସମୁକ୍ତ କରିବାକୁ ଚଢ଼ଉ ଜାରି ରହିବ । ନିଶା ବେପାରୀଙ୍କ ସମ୍ପତ୍ତିର ତଦନ୍ତ ସହିତ ଆବଶ୍ୟକ ସ୍ଥଳେ ସମ୍ପତ୍ତି ବ୍ୟାଜାପ୍ତି କରାଯିବ । ଉକ୍ତ ସମ୍ମିଳନୀରେ ଏସ୍ଡିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।