ପୁଲିସ ନୁହେଁ, ଏବେ ମାତୃଶକ୍ତିଙ୍କୁ ଦେଖି ଛାନିଆ
ସହରରେ ନିଶା ବ୍ୟବସାୟୀ ଡାକିଲେଣି ତ୍ରାହି ତ୍ରାହି
ପୁରୀ (ବୁ୍ୟରୋ): ପୁରୀ ସହରକୁ ନିଶାମୁକ୍ତ କରିବା ଲାଗି ପୁଲିସ ପକ୍ଷରୁ ପ୍ରକି୍ରୟା ଆରମ୍ଭ ହୋଇଥିଲା । ଏପରିକି ପ୍ରତ୍ୟେକ ଦିନ ବିଭିନ୍ନ ଥାନା ଅଞ୍ଚଳରୁ ନିଶାଡ଼ି ଓ ବ୍ୟବସାୟୀଙ୍କୁ ଠାବ କରି ଗିରଫ କରି କୋର୍ଟଚାଲାଣ କରୁଥିଲା ପୁଲିସ । ହେଲେ ପୁଲିସକୁ ବୋକା ବନାଇବା ଲାଗି ନିଶା ବ୍ୟବସାୟୀମାନେ ନିଜ ନିଜ ସ୍ତ୍ରୀମାନଙ୍କୁ ଢାଲ କରି ଘରେ ଘରେ ବ୍ୟବସାୟ ଆରମ୍ଭ କଲେ । ଫଳରେ ବ୍ୟବସାୟ ମଧ୍ୟ ଭଲ ଚାଲିଲା । ହେଲେ ମହିଳାଙ୍କୁ ଠାବ କରି ଗିରଫ କରିବା ବିଳମ୍ବ ହେଉଥିଲା । ତେଣୁ ମହିଳା ନିଶାଡ଼ିଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସାବାଡ୍ କରିବା ଲାଗି ଏସ୍ପି କନୱାର ବିଶାଲ ସିଂହ ପ୍ରଥମ କରି ପୁରୀରେ ମାତୃଶକ୍ତି ଯୋଜନାର ଶୁଭାରମ୍ଭ କରିଥିଲେ । କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ସମାବେଶ କରି ମହିଳାମାନେ ଚାହିଁଲେ ନିଶାମୁକ୍ତ ସହର ହୋଇପାରିବ ବୋଲି ଆହ୍ୱାନ କରିଥିଲେ ।
ଅନ୍ୟପକ୍ଷରେ ନିଶା ବ୍ୟବସାୟ ବା ସେବନ ବନ୍ଦ ହେଲେ ସହରରେ ଶତପ୍ରତିଶତ ପରିବାର ଖୁସିରେ ଚଳିପାରିବ । ଏସ୍ପିଙ୍କ ଏଭଳି ପ୍ରୟାସକୁ ମହିଳାମାନେ ସ୍ୱାଗତ କରିଥିଲେ । ପରେ ପରେ ସହରର ବିଭିନ୍ନ ସାହିରେ ରହୁଥିବା ମହିଳାମାନଙ୍କୁ ନେଇ ଗଠିତ ହେଲା ମାତୃଶକ୍ତି । ଏହି ମାତୃଶକ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ମଧ୍ୟ କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ବିପୁଳ ପରିମାଣର ନିଶା ଜବତ କରାଯାଇଥିଲା ।
ମାତୃଶକ୍ତିଙ୍କ ସୂଚନାନୁଯାୟୀ ପୁଲିସ ନିଶା ବ୍ୟବସାୟୀଙ୍କୁ ଠାବ କରିବାରେ ସଫଳ ହେଲା । ଫଳରେ ଉକ୍ତ ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସହରରେ ଥିବା ନିଶା ବ୍ୟବସାୟୀ ଓ ନିଶାଡ଼ିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏପରିକି ସେମାନେ ଏବେ ତ୍ରାହି ତ୍ରାହି ଡାକିଲେଣି । ପୂର୍ବରୁ ପୁଲିସ ପିସିଆର୍ ବା ଥାନା ଗାଡ଼ି ଆସିଲେ ସାବଧାନ୍ ହୋଇଯାଉଥିଲେ ନିଶାଡ଼ି । ଏବେ ସାହିସାହିରେ ମାତୃଶକ୍ତିରେ କାର୍ଯ୍ୟ କରୁଥିବା ମହିଳା ସଦସ୍ୟମାନଙ୍କୁ ଦେଖି ଛାନିଆ ହେଲେଣି ନିଶା ବ୍ୟବସାୟୀ । ପୁଲିସ ପକ୍ଷରୁ ମାତୃଶକ୍ତିଙ୍କୁ ସାକ୍ଷାତ୍ କରିବା ଲାଗି ସେମାନଙ୍କ ଘର ନିକଟରେ ପହଞ୍ଚୁଛନ୍ତି ମହିଳା ପୁଲିସ କର୍ମଚାରୀ । ସାହିର ଭଲମନ୍ଦଠାରୁ ନିଶା ସମେତ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ଟିକିନିଖି ଖବର ସଂଗ୍ରହ କରୁଛନ୍ତି । ପୁଲିସର ଏଭଳି ପ୍ରୟାସକୁ ଦେଖି ସବୁଠାରେ ଚର୍ଚ୍ଚା ଜୋର୍ ଧରିଛି । ସବୁସ୍ଥାନରେ ଶୁଣିବାକୁ ମିଳୁଛି ପୁଲିସ ନୁହେଁ, ଏବେ ମାତୃଶକ୍ତିଙ୍କୁ ଦେଖି ଛାନିଆ ହେଲେଣି ନିଶାଡ଼ି । ଅନ୍ୟପଟରେ ଏସ୍ପି ଶ୍ରୀ ସିଂହଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରିକି ପୁଲିସର ନିଆରା ପଦକ୍ଷେପ ଯୋଗୁଁ ଅନେକ ପରିବାର ଏବେ ଖୁସିର ସହ ଜୀବନଯାପନ କରିପାରିବେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।