ଜୟପୁରରୁ ଉଡ଼ିବ ବିମାନ
ଭୁବନେଶ୍ୱର/ଜୟପୁର, ୨୦ା୧୦ (ବୁ୍ୟରୋ/ଆପ୍ର): ଜୟପୁରରେ ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର । ‘ଉଡାନ’ ଯୋଜନାରେ ଜୟପୁରରୁ ବିମାନ ଉଡ଼ାଣ ପାଇଁ ଗୁରୁବାର ଡିଜିସିଏ ପକ୍ଷରୁ ଅନୁମତି ମିଳିଛି । ଡିଜିସିଏ ଜୟପୁରକୁ ଏରୋଡ୍ରମ ଲାଇସେନ୍ସ ପ୍ରଦାନ କରିଥିବାବେଳେ କୋରାପୁଟ ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ସୂଚନା ମୂତାବକ, ପୂର୍ବରୁ ଡିଜିସିଏର ଯାଞ୍ଚ ଟିମ୍ ଆସି ବିମାନ ଚଳାଚଳ ନେଇ ଅନୁଧ୍ୟାନ କରିଥିଲେ । ଏନେଇ ବେସାମରିକ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ବିମାନ ବନ୍ଦରରେ ସମସ୍ତ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର କାମକରି ଆସୁଥିଲେ ।ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ଏହି ଲାଇସେନ୍ସ ଦେଇଛନ୍ତି କେନ୍ଦ୍ର ବେସାମରିକ ପରିବହନ ବିଭାଗ । ଡିଜିସିଏର ଅନୁମତି ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଆନନ୍ଦିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପାଇଁ ଦୀର୍ଘ ଦିନରୁ ଦାବି ରହିଥିଲା ।
ଏଥି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି । ଯାହା ବର୍ତ୍ତମାନ ଜୟପୁରବାସୀ ତଥା ଦକ୍ଷିଣ ଓଡ଼ିଶାରେ ଜିଲ୍ଲାର ଲୋକମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି । ପୂର୍ବରୁ ଗତ ଜୁଲାଇ ୨୧ଓ ୨୨ତାରିଖ ଦିନ ଜୟପୁର ବିମାନବନ୍ଦରରୁ ବିମାନ ଉଡାଇବା ପାଇଁ ଅନୁସଙ୍ଗିକ, ବୈଷୟିକ, ଭୌଗଳିକ ଭିତ୍ତିଭୂମି କେତେ ପ୍ରସ୍ତୁତି ସରିଛି ତାହାର ଅନୁଧ୍ୟାନ ଡିଜିସିଏ୍ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍)ର ୩ଜଣିଆ ଟିମ୍ ଯାଞ୍ଚ କରିବା ସହ ପ୍ରାୟ ୬୭ ତ୍ରୁଟି ବାହାର କରିଥିଲେ । ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତ୍ରୁଟି ଗୁଡ଼ିକୁ ସୁଧାରି ଥିଲେ । ଯାହାର ପଳାଫଳ ଗୁରୁବାର ଦେଖିବାକୁ ମିଳିଛି ।
ସେହିପରି ରଜ୍ୟସଭାରେ ମଧ୍ୟ ଜୟପୁରରୁ ବିମାନ ଉଡାଣ ପ୍ରସଙ୍ଗ ଉଠଇଥିଲା । ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବିମାନ ଚଳାଚଳରେ ବିଳମ୍ବ ହେଉଥିବରୁ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଥିଲେ । ସେ ଏକ ନୋଟିସ ଜରିଆରେ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲାକୁ ବିମାନ ଚଳାଚଳ ନିମନ୍ତେ ଦାବି କରିଥିଲେ । ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜି୍ୟକ ପ୍ରବେଶ ପଥ ବୋଲି କୁହାଯାଏ । ବାଣିଜି୍ୟକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତକେଲା ବେଶ୍ ଗୁରୁତ୍ୱବହନ କରିଥାଏ । ଏଠାରୁ ବିମାନ ସେବା ଆରମ୍ଭ ହେଲେ କେବଳ ସ୍ଥାନୀୟ ଲୋକ ନୁହନ୍ତି ବରଂ ସମଗ୍ର ରାଜ୍ୟ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ ।