ଶିଳାନ୍ୟାସକୁ ବିତିଲା ୧୩ ବର୍ଷ, କାର୍ଯ୍ୟାରମ୍ଭ କେବେ?
ଆକ୍ୱାରିୟମ୍ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟନଗରୀ । ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ପୁରୀରେ ଦେଖିବେ ଦେଶବିଦେଶର ଛାପ । ସେଥିଲାଗି ଶ୍ରୀକ୍ଷେତ୍ରରେ ଜାରି ରହିଛି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଶ୍ରୀସେତୁ, ରାସ୍ତା ପ୍ରଶସ୍ତୀକରଣ ସମେତ ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ପୁରୀରେ ପର୍ଯ୍ୟଟକଙ୍କୁ ଦୁବାଇ ଭଳି ଅନୁଭୂତି ଦେବାକୁ କାଚଘରେ ସାମୁଦି୍ରକ ଜୀବ ରଖିବା ଭଳି ଏକ ମେରାଇନ୍ ଆକ୍ୱାରିୟମ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏପରିକି ଗତ ୨୦୦୯ରେ ବଳିଆପଣ୍ଡା ଅଞ୍ଚଳରେ ଏହାର ଶିଳାନ୍ୟାସ କରିଥିଲେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ଲାଗି ହାଇଦ୍ରାବାଦ୍ର ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରିଥିଲା ଓଟିଡିସି । ହେଲେ ଏହାରି ମଧ୍ୟରେ ପ୍ରକଳ୍ପର ଶିଳାନ୍ୟାସ ହେବାର ୧୩ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନି । ଏପରିକି ଖଣ୍ଡେ ଇଟା ମଧ୍ୟ ଯୋଡ଼ା ଯାଇନାହିଁ । ଫଳରେ ଏହାକୁ ନେଇ ପୁରୀର ହୋଟେଲ ଶିଳ୍ପପତିଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଏନେଇ ଜଣେ ହୋଟେଲିୟର ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି । ବିଶେଷ ଭାବେ ରାଜ୍ୟରେ ପ୍ରଥମ ପୁରୀରେ ଶ୍ରୀସେତୁ ନିର୍ମାଣ ହେଉଛି । ଫଳରେ ପର୍ଯ୍ୟଟକମାନେ ସିଧାସଳଖ ଜାତୀୟ ରାଜପଥରୁ ଆସି ଜଗନ୍ନାଥବଲ୍ଲଭରେ ପହଞ୍ଚିବେ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅନ୍ୟ ଭିତ୍ତିଭୂମିର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଉଥିବାବେଳେ ବଳିଆପଣ୍ଡାରେ ହେବାକୁ ଥିବା ମେରାଇନ୍ ଆକ୍ୱାରିୟମ୍ ପ୍ରକଳ୍ପ କାର୍ଯ୍ୟ ୨୦୦୯ରେ ଶିଳାନ୍ୟାସ ହୋଇଥିଲା । ହେଲେ ଏହି ପ୍ରକଳ୍ପ କାର୍ଯ୍ୟ ଆଜିପର୍ଯ୍ୟନ୍ତ ଆରମ୍ଭ ହେଲା ନାହିଁ । ଏଥିଲାଗି ମଧ୍ୟ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ୨୦୦୯ରେ ୩ କୋଟି ଓ ୨୦୧୦ରେ ୨ କୋଟିକୁ ମିଶାଇ ମୋଟ ୫କୋଟି ଟଙ୍କା ଓଟିଡିସିକୁ ପ୍ରଦାନ କରାଯାଇଛି । କିନ୍ତୁ ଓଟିଡିସି ପକ୍ଷରୁ ଆଜିପର୍ଯ୍ୟନ୍ତ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନି । ଫଳରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ଓଟିଡିସି ବାଧା ସୃଷ୍ଟି କରିଛି । ଯାହାଦ୍ୱାରା ଆଜି ପ୍ରକଳ୍ପ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଶିଳାନ୍ୟାସକୁ ୧୩ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନ ହେବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ପୁରୀକୁ ବାହାର ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶାପ୍ରକଟ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ କହିଛନ୍ତି ଯେ, ଏହି ପ୍ରକଳ୍ପ ନେଇ ପ୍ଲାନ୍ ତିଆରି କରିବାରେ ଆର୍କିଟେକ୍ ବିଳମ୍ବ କରିବାରୁ କାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଛି ।