ଖର୍ଗେଙ୍କ କାନ୍ଧରେ ଚାଲେଞ୍ଜ୍ର ପାହାଡ଼
ନୂଆଦିଲ୍ଲୀ (ଏଜେନ୍ସି): କଂଗ୍ରେସକୁ ମଲ୍ଲିକାର୍ଜୁନ ଖର୍ଗେଙ୍କ ଭଳି ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ସମ୍ପନ୍ନ ନୂଆ ଅଧ୍ୟକ୍ଷ ମିଳିଯାଇଛି । ଆଗାମୀ ଦିନରେ ତାଙ୍କ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦଳ ପରିଚାଳିତ ହେବ ବୋଲି କୁହାଯାଉଛି । କିନ୍ତୁ ବାସ୍ତବତା କ’ଣ ସେସମ୍ପର୍କରେ ସମସ୍ତେ ବେଶ୍ ଭଲଭାବେ ଅବଗତ । ତେବେ ୮ଠ ବର୍ଷୀୟ ଖର୍ଗେଙ୍କ ପାଇଁ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ଏତେ ସହଜ ହେବନି ବୋଲି ଅନେକ ଦେଶର ପ୍ରମୁୂଖ ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି । ବିଶ୍ଳେଷକଙ୍କ ଅନୁସାରେ ଆସନ୍ତା ୨୬ରେ ସେ ବିଧିବଦ୍ଧ ଭାବେ କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବେ । ଏହାପରେ ତାଙ୍କ ଉପରେ ଅନେକ ଚାପ ସୃଷ୍ଟି ହେବା ଆରମ୍ଭ ହୋଇଯିବ । ସିଧାସଳଖ କହିଲେ ଖର୍ଗେଙ୍କ ପାଇଁ ନୂଆ ପଦ ବା ଦାୟିତ୍ୱ ସହ ନୂଆ ନୂଆ ଚ୍ୟାଲେଞ୍ଜ୍ ମଧ୍ୟ ଆସିବ ।
ପ୍ରଥମତଃ ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ତଥା ‘ଗାନ୍ଧୀ ପରିବାର ଦ୍ୱାରା ରିମୋଟ ପରିଚାଳିତ କଣ୍ଢେଇ’ ପରିଚୟରୁ ତାଙ୍କୁ ବାହାରିବାକୁ ପଡ଼ିବ । ଅର୍ଥାତ୍ ତାଙ୍କୁ ଏକାନ୍ତ ନିଜସ୍ୱ ଭାବେ ଦଳ ପାଇଁ ଏପରି କିଛି ନିଷ୍ପତ୍ତି ନେବାକୁ ହେବ ବା ଦଳରେ ସେସବୁକୁ କାର୍ଯ୍ୟକାରୀ କରିବାକୁ ହେବ । ଏହା ଖର୍ଗେଙ୍କ ପାଇଁ ନିଶ୍ଚିତ କଷ୍ଟକର ବ୍ୟାପାର ହେବ । ଦ୍ୱିତୀୟରେ କଂଗ୍ରେସରେ ଚାଲିଆସୁଥିବା ଆଭ୍ୟନ୍ତରୀଣ କନ୍ଦଳକୁ ସମାଧାନ କରିବା । ଦଳର ଅନେକ ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇ ଶୁଝାଇ ଦଳ ପ୍ରତି ପୁନଃ ବିଶ୍ୱସ୍ତ କରାଇବା ଭଳି କଷ୍ଟକର ବ୍ୟାପାର ଖର୍ଗେଙ୍କ କାନ୍ଧ ଉପରେ ନ୍ୟସ୍ତ ହୋଇଯାଇଛି । ତୃତୀୟରେ ତଥା ସବୁଠୁ ବଡ଼ ଚ୍ୟାଖଣ୍ଡିତ ହୋଇଯାଇଥିବା ଦଳର ଭାବମୂର୍ତ୍ତିକୁ ପୁନଃ ପରିବର୍ତ୍ତନ କରାଇବା । ଏଥିପାଇଁ ଖର୍ଗେଙ୍କୁ ତୃଣମୂଳ ସ୍ତରରୁ ଦଳକୁ ସାଂଗଠନିକ, ସଶକ୍ତ କରିବାକୁ ହେବ । ପୁରୁଣା ଶୈଳୀରୁ ବାହାରି ନୂଆ ଶୈଳୀରେ ଦଳକୁ ପରିଚାଳିକ କରିବାକୁ ହେବ । ଚତୁର୍ଥରେ ଦଳରେ ଥିବା ପୁରୁଣା ଏବଂ ନୂଆ ତଥା ଯୁବନେତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା । ରାଜସ୍ଥାନରେ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଯୁବନେତା ସଚିନ୍ ପାଇଲଟ୍ଙ୍କ ମଧ୍ୟରେ ଚାଲିଥିବା ଅନ୍ତର୍ବିବାଦ ଭଳି ସମସ୍ୟାର ସମାଧାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ ଖର୍ଗେଙ୍କ ସମ୍ମୁଖରେ । ପଞ୍ଜମ ଚ୍ୟାଲେଞ୍ଜ ଭାବେ ୨ଠ୨୪ ଲୋକସଭା ନିର୍ବାଚନରେ ଦଳକୁ ବିଜୟୀ କରାଇବା ଖର୍ଗେଙ୍କ ପାଇଁ ସର୍ବାଧିକ ମୁଣ୍ଡ ବିଧାର କାରଣ ସାଜିବ । ୨ଠ୨୪ ନିର୍ବାଚନ ପାଇଁ ସ୍ୱଳ୍ପ ସମୟ ରହିଥିବା ବେଳେ ଖର୍ଗେଙ୍କୁ ଏହି ସମୟ ସୁଦ୍ଧା ଦଳକୁ ଏକ ସ୍ତରରେ ପହଞ୍ଚାଇବାକୁ ହେବ ।
ସୂଚନାଯୋଗ୍ୟ, ୨ଠ୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଟ୍ ୧୧ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିମଧ୍ୟରୁ କିଛି ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବାକୁ ଥିବା ବେଳେ ଆଉ କିଛି ରାଜ୍ୟର ବିଧାନସଭା ନିର୍ବାଚନ ୨ଠ୨୩ରେ ଅନୁଷ୍ଠିତ ହେବ । ସୁତରାଂ ଏସବୁ ବିଧାନସଭା ନିର୍ବାଚନର ଫଳାଫଳ ଖର୍ଗେଙ୍କ ଲୋକପ୍ରିୟତା ଓ ବୁଦ୍ଧିମତ୍ତାର ପରିଚୟ ଦେବ । ସିଧାସଳଖ କହିଲେ ନିଜ ରାଜନୈତିକ ଜୀବନରେ ଜଣେ ଅପରାଜେୟ ନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଖର୍ଗେଙ୍କ ପାଇଁ ବିରୋଧୀ ଏକତା, ସାଙ୍ଗଠନିକ ସଂସ୍କାର, ନୂଆ-ପୁରୁଣା ନେତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ, ଦେଶବାସୀଙ୍କ ବିଶ୍ୱାସ ଜିତିିବା ଭଳି ଅନେକ ଚ୍ୟାଲେଞ୍ଜର ପାହାଡ ଅପେକ୍ଷା କରି ରହିଛି ।