ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୯ା୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୧୭ ତାରିଖ ଦିନ ହୋଇଥିବା ନିର୍ବାଚନର ବୁଧବାର ଫଳ ଘୋଷଣା କରାଯାଇଛି । ଏଥିରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କର ବିପୁଳ ବିଜୟ ହୋଇଛି । ମୋଟ୍ ୯୩୮୫୩ ଜଣ ପିସିସି ଡେଲିଗେଟ୍ ଭୋଟ୍ ଦେଇଥିଲେ । ଖଡ଼ଗେଙ୍କୁ ୭୮୯୭ (୮୪%) ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ମାତ୍ର ୧୦୭୨ (୧୧%) ଭୋଟ୍ ମିଳିଛି । ରଦ୍ଦ ହୋଇଛି ୪୧୬ ଖଣ୍ଡ (୫%) ଭୋଟ୍ । କେତେକ ନେତା ମତପତ୍ରରେ ରାହୁଲ ଗାନ୍ଧୀଙ୍କ ନାମ ଲେଖିଥିଲେ ଯଦିଓ ସେମାନେ ଜାଣିଥିଲେ ଏ ନିର୍ବାଚନରେ ଲଢ଼ୁ ନାହାନ୍ତି । ଆଉ କିଛି ନେତା ମତପତ୍ରରେ ନିଜ ନାଁ ଓ କେତେକ ମୋବାଇଲ୍ ନମ୍ବର ଲେଖିଥିଲେ । ଏହି କାରଣରୁ ସେମାନଙ୍କ ଭୋଟ୍ ଅବୈଧ ହୋଇଛି ବୋଲି କଂଗ୍ରେସ ସଂଗଠନର ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୁଦନ ମିସ୍ତ୍ରୀ ।
ଆସନ୍ତା ୨୬ ତାରିଖ ଦିନ ଖଡ଼ଗେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ । ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରଠାରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।
ନିର୍ବାଚନରେ ବିଜୟୀ ହେବା ପରେ ଖଡ଼ଗେ କହିଛନ୍ତି କଂଗ୍ରେସ ଦଳରେ କେହି ଛୋଟ ବା ବଡ଼ ନୁହଁନ୍ତି । ସମସ୍ତେ ଏକଜୁଟ୍ ହୋଇ ଫାଶୀବାଦ ବିରୋଧରେ ଲଢ଼ିବା ପାଇଁ ସେ କଂଗ୍ରେସ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଶଶି ଥରୁର ପରାଜୟ ସ୍ୱୀକାର କରିବା ସହ ଖଡ଼ଗେଙ୍କୁ ବଧେଇ ଜଣାଇଛନ୍ତି ।
ଟ୍ୱିଟ୍ କରି ସେ ଲେଖିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ହେବା ବହୁତ ବଡ଼ ସମ୍ମାନ ଓ ଏକ ବଡ଼ ଦାୟିତ୍ୱ । ମୁଁ ଖଡ଼ଗେଜୀଙ୍କୁୂ ଅଭିନନ୍ଦନ ଜଣାଉଛି । ହଜାରେରୁ ଅଧିକ ସହଯୋଗୀଙ୍କ ସମର୍ଥନ ଲାଭ କରିବା ଓ ସମଗ୍ର ଭାରତରେ କଂଗ୍ରେସର ଏତେ ଶୁଭଚିନ୍ତକଙ୍କ ଆଶା ଆକାଂକ୍ଷାକୁୂ ଆଗେଇ ନେବା ମୋ ପାଇଁ ସୌଭାଗ୍ୟର ବିଷୟ ।
ବିଜୟ ଲାଭ ପରେ ଖଡ଼ଗେ ସୋନିଆ ଗାନ୍ଧୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ପାଇଁ ସମୟ ମାଗିଥିଲେ । କିନ୍ତୁ ୧୦, ଜନପଥ ପକ୍ଷରୁ ଅନୁମତି ମିଳି ନ ଥିଲା । ପ୍ରକୃତପକ୍ଷେ ସୋନିଆଙ୍କ ମନରେ ଭିନ୍ନ ଯୋଜନା ଥିଲା । ସେ କନ୍ୟା ପ୍ରିୟଙ୍କାଙ୍କ ସହ ୧୦, ରାଜାଜୀ ମାର୍ଗ ସ୍ଥିତ ଖଡ଼ଗେଙ୍କ ବାସଭବନକୁ ଫୁଲତୋଡ଼ା ନେଇ ଯାଇଥିଲେ । ସୋନିଆ ଓ ପ୍ରିୟଙ୍କା ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଖଡ଼ଗେ କଂଗ୍ରେସର ବରିଷ୍ଠତମ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ୮୦ ବର୍ଷୀୟ ଖଡ଼ଗେ ବହୁ ବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଆସିଛନ୍ତି । ସେ ମଧ୍ୟ ଗାନ୍ଧୀ ପରିବାରର ଖୁବ୍ ନିକଟତମ । କର୍ଣ୍ଣାଟକରେ ଜାତ ଖଡ଼ଗେ ବିଏ ଓ ଏଲ୍ଏଲ୍ବି ଡିଗ୍ରୀ ଲାଭ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରିଥିଲେ । ୧୯୭୨ରୁ ୨୦୦୯ ପର୍ଯ୍ୟନ୍ତ ସେ ୯ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୭୬ରେ ତାଙ୍କୁ କର୍ଣ୍ଣାଟକରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀପଦ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବା ପୂର୍ବରୁ ସେ ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଥିଲେ ।
କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଏପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ପାଇଁ ୬ଥର (୧୯୩୯, ୧୯୫୦, ୧୯୭୭, ୧୯୯୭, ୨୦୦୦ ଓ ୨୦୨୨ରେ) ନିର୍ବାଚନ ହୋଇଛି । ଦେଶ ସ୍ୱାଧୀନ ହେବା ପରେ ୭୪ ବର୍ଷ ଭିତରେ କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାର ହାତରେ ୩୯ ବର୍ଷ ଧରି ରହିଆସିଥିଲା । କେବଳ ସୋନିଆ ଗାନ୍ଧୀ ୨୨ ବର୍ଷ ଏହି ପଦରେ ଥିଲେ ।
ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ହେବାରେ ଦ୍ୱିତୀୟ ଦଳିତ ନେତା ୧୯୭୧ରେ ଦଳିତ ନେତା ଜଗଜୀବନରାମ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *