ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷା ଆଶଙ୍କା

ଟି-୨ଠ ବିଶ୍ୱକପ୍
ମେଲ୍ବର୍ଣ୍ଣ, ୧୯ା୧୦ (ଏଜେନ୍ସି): ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟ୍ପ୍ରେମୀ ଅକ୍ଟୋବର ୨୩କୁ ଅପେକ୍ଷା କରିଛନ୍ତି । ସେହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମୁକାବିଲା ହେବାକୁ ଯାଉଛି । ଏହି ମ୍ୟାଚ୍ର ଟିକେଟ୍ ବୁକିଂ ଆରମ୍ଭ ହେବାର ୧୦ ମିନିଟ୍ ମଧ୍ୟରେ ସୋଲ୍ଡ ଆଉଟ୍ ହୋଇଯାଇଥିଲା । ଉଭୟ ଦେଶର ଅନେକ ପ୍ରଶଂସକ ଏହି ମ୍ୟାଚ୍ ଦେଖିବା ପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି; କିନ୍ତୁ ପ୍ରଶଂସକଙ୍କ ସମେତ ଆଇସିସିର ଆଶା ବର୍ଷାରେ ଧୋଇ ଯାଇପାରେ ।
୧୯୯୨ରୁ ନେଇ ଏ ଯାବତ୍ ଦିନିକିଆ ଓ ଟି-୨୦ ବିଶ୍ୱକପ୍କୁ ମିଶାଇ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ମ୍ୟାଚ୍ ଖେଳାଯାଇଛି; ହେଲେ ଗୋଟିଏ ବି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇ ନାହିଁ । ତେବେ ଆସନ୍ତା ୨୩ରେ ମେଲ୍ବର୍ଣ୍ଣରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ଯଦି ଏମିତି ହୁଏ, ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଭାରତ-ପାକ୍ ମ୍ୟାଚ୍ ବାତିଲ୍ ହୋଇଯିବ ।
ଦ୍ଭ ରବିବାର ଦିନତମାମ୍ ବର୍ଷା ଆଶଙ୍କା
ଭାରତୀୟ ସମୟାନୁଯାୟୀ ମ୍ୟାଚ୍ ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ସେତେବେଳକୁ ସ୍ଥାନୀୟ ସମୟ ରାତି ସାତଟା ହୋଇଥିବ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଏହି ମୁକାବିଲା ବର୍ଷା ଯୋଗୁଁ ଧୋଇ ଯାଇପାରେ ।
ରବିବାର ମେଲ୍ବର୍ଣ୍ଣରେ ସକାଳେ ୮୫ ପ୍ରତିଶତ, ସନ୍ଧ୍ୟାରେ ୭୫ ପ୍ରତିଶତ ଓ ରାତିରେ ୭୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏପରିସ୍ଥଳେ ଭାରତ ଓ ପାକିସ୍ତାନ ସମେତ ବିଶ୍ୱତମାମ୍ କୋଟି କୋଟି ପ୍ରଶଂସକଙ୍କ ମ୍ୟାଚ୍ ଦେଖିବା ଆଶା ଆଶାରେ ରହିଯାଇପାରେ । ଅଷ୍ଟ୍ରେଲିଆର ସରକାରୀ ପାଣିପାଗ ବିଭାଗ ଅନୁଯାୟୀ ରବିବାର ମୋଟ୍ ୮୦ ପ୍ରତିଶତ ବର୍ଷା ହୋଇପାରେ ।
ଦ୍ଭ ମ୍ୟାଚ୍ର ତିନି ଦିନ ଆଗରୁ ବର୍ଷା ହୋଇପାରେ
ବିଓମ୍ ୱେବ୍୍ସାଇଟ୍ ଅନୁଯାୟୀ ମ୍ୟାଚ୍ର ତିନି ଦିନ ଆଗରୁ ବର୍ଷା ଆରମ୍ଭ ହୋଇଯାଇପାରେ । ରବିବାର ସନ୍ଧ୍ୟାରେ ୧୫ରୁ ୨୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଦକ୍ଷିଣକୁ ପ୍ରବାହିତ ହେବ । ୮୦ ପ୍ରତିଶତ ବର୍ଷାର ସମ୍ଭାବନା ରହିଛି ।
ୱେବ୍ସାଇଟ୍ର କହିବାନୁଯାୟୀ ମେଲ୍ବର୍ଣ୍ଣରେ ଶୁକ୍ରବାର ସକାଳେ ଝଡ଼ବର୍ଷା ହେବାର ୯୫ ପ୍ରତିଶତ ସମ୍ଭାବନା ରହିଛି । ଶନିବାର ବି ଦିନତମାମ୍ ଆକାଶ ମେଘାଚ୍ଛନ୍ନ ରହିପାରେ ଏବଂ ବର୍ଷା ବି ହୋଇପାରେ । ଏହା ସହିତ ପବନ ଦକ୍ଷିଣରୁ ପଶ୍ଚିମ ଆଡ଼କୁ ଏବଂ ୧୫ରୁ ୨୫ କିମି ପ୍ରତି ଘଣ୍ଟା ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି ଯେତେବେଳେକି ସକାଳେ ଓ ଅପରାହ୍ଣରେ ପବନ ଦକ୍ଷିଣ ଦିଗକୁ ୧୫ରୁ ୨୦ କିମି ପ୍ରତି ଘଣ୍ଟା ବେଗରେ ପ୍ରବାହିତ ହୋଇପାରେ ।
ଦ୍ଭ ମ୍ୟାଚ୍ ବାତିଲ୍ ହେବା ସ୍ଥଳେ ଉଭୟଙ୍କୁ ୧-୧ ପଏଣ୍ଟ
ଟି-୨୦ ବିଶ୍ୱକପ୍ରେ ଯୋଗ୍ୟତା ପର୍ଯ୍ୟାୟ ଓ ସୁପର୍-୧୨ ପର୍ଯ୍ୟାୟ ପାଇଁ ରିଜର୍ଭ ଦିବସ ନାହିଁ । ଏହାର ଅର୍ଥ ଯଦି ବର୍ଷା ଓ ଅନ୍ୟ କୌଣସି କାରଣରୁ ମ୍ୟାଚ୍ ସମ୍ଭବ ହୁଏ ନାହିଁ, ତାହା ହେଲେ ଉଭୟ ଟିମ୍କୁ ୧-୧ ପଏଣ୍ଟ ଲେଖାଏଁ ମିଳିବ । ଅବଶ୍ୟ ଯଦି ବର୍ଷା କିଛି ସମୟ ପାଇଁ ବାଧା ଉପୁଜାଏ, ତାହା ହେଲେ ମ୍ୟାଚ୍ରେ କିଛି ଓଭର୍ କମାଯାଇପାରେ । ଅତି କମ୍ରେ ଏହା ୫-୫ ଓଭର୍ ବିଶିଷ୍ଟ ହୋଇପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *