ଭକ୍ତଙ୍କ ଲାଗି କେବେ ଖୋଲିବ ୪ ଦ୍ୱାର?
ମହାପ୍ରଭୁଙ୍କୁ ଦର୍ଶନ ଲାଗି ବଢୁଛି ଶ୍ରଦ୍ଧାଳୁ ସଂଖ୍ୟା
ପୁରୀ (ବୁ୍ୟରୋ): ମହାମାରୀ କରୋନା କଟକଣା ହଟିବା ପରେ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରି ଆନନ୍ଦବଜାରରେ ମହାପ୍ରସାଦ ଟିକେ ସେବନ କଲେ ଆତ୍ମାତୃପ୍ତି ହୋଇଥାଏ । ସେଥିଲାଗି ବିଗତ ଦୁଇବର୍ଷ ଭକ୍ତଙ୍କ ଲାଗି ମନ୍ଦିର ବନ୍ଦ ରହିଥିବାରୁ ଚଳିତବର୍ଷ ପ୍ରତ୍ୟେକ ଦିନ ମାତ୍ରାଧିକ ଭକ୍ତଙ୍କ ସମାଗମ ହେଉଛି ଶ୍ରୀମନ୍ଦିରରେ । ଏପରିକି ଏମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ଭକ୍ତ ରହିଛନ୍ତି । ଭକ୍ତଙ୍କ ଲାଗି କେବଳ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଖୋଲିଥିବା ବେଳେ ବାକି ଅନ୍ୟ ଦ୍ୱାର ବନ୍ଦ ରହିଛି । ଫଳରେ ସିଂହଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବଡ଼ଦାଣ୍ଡରୁ ଯାଇ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ରେ ବହୁ ସମୟ ଅପେକ୍ଷା କରିବା ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଏହି ସମୟରେ ମଧ୍ୟ ବ୍ୟାରିକେଡ୍ ଭିତରେ ରହି ଅପେକ୍ଷା କରିବାକୁ ପଡ଼ିଥାଏ । ଫଳରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆସୁଥିବା ଭକ୍ତଗଣଙ୍କ ଠେଲାପେଲାରେ ସେମାନଙ୍କ ଧର୍ମୀୟ ଭାବନା ନଷ୍ଟ ହେଉଛି । ଫଳରେ ସେମାନଙ୍କ ମନରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଛି ।
ପୂର୍ବରୁ ପୁରୀବାସୀଙ୍କ ଲାଗି କେବଳ ପଶ୍ଚିମଦ୍ୱାର ନୁହେଁ, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଦାବିରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେମାନେ ଦାବି କରିଥିଲେ ଯେ, ପୁରୀବାସୀ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ବାରମ୍ବାର ଯିବା ଆସିବା କରିଥାନ୍ତି । ଏପରିକି ଠାକୁରଙ୍କ ବିଭିନ୍ନ ବେଶ ସମୟରେ ମଧ୍ୟ ଦର୍ଶନ କରିଥାନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହେବା ପରେ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କ ଲାଗି କେବଳ ପଶ୍ଚିମଦ୍ୱାର ଖୋଲାଯାଇଥିଲା । ହେଲେ ଏବେ ପଶ୍ଚିମଦ୍ୱାର ଦେଇ ବାହାର ଭକ୍ତ ଯାଉଛନ୍ତି । କେବଳ ଦୁଇଦ୍ୱାର ନୁହେଁ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲିବା ଲାଗି ଦାବି ପୁଣି ଜୋର ଧରିଛି ।
ସେହିଭଳି ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ପକାଇ ଜବରଦଖଲ କରାଯାଇଛି । ତାହାକୁ ତୁରନ୍ତ ପ୍ରଶାସନ ଭକ୍ତଙ୍କ ଲାଗି ମୁକ୍ତ କରୁ । ଅନ୍ୟପକ୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଗଲେ ମନ୍ଦିରରେ ମାତ୍ରାଧିକ ଭିଡ଼ କମିବା ସହ ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ କରିପାରନ୍ତେ ।