ଲୋକଙ୍କ ହସ, ଆମ ପୁରସ୍କାର
କେନ୍ଦ୍ରାପଡ଼ା ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦ା୧୦ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି । ଏହି ଚିକିତ୍ସାଳୟ କମ୍ପ୍ଲେକ୍ସରେ ୨୦୦ ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, ଜରୁରୀକାଳୀନ ଓ ୫ ଶଯ୍ୟା ଟ୍ରମା କେୟାର, ଏମାରଆଇ, ସିଟି ସ୍କାନସୁବିଧା, ଉନ୍ନତ ଧରଣର ଓଟି କମ୍ପ୍ଲେକ୍ସ, ୧୫ ଶଯ୍ୟା ବିଶିଷ୍ଟ ଏସଏନ୍ୟୁ ସହ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି ।
ଭର୍ଚୁଆଲରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ଆଧୁନିକ ହସ୍ପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜିଲ୍ଲାର ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ କଟକ ବା ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ । ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ଆମ ପାଇଁ “ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ।
ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଡାକ୍ତର ଓ ପାରାମେଡିକ୍ସଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ନିଷ୍ଠାର ସହ ରୋଗୀର ସେବା କରନ୍ତୁ । ରୋଗୀର ମୁହଁରେ ହସ ଓ ମନରେ ବିଶ୍ୱାସ ହିଁ ଆପଣଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ଓ ଆମ ପାଇଁ ସନ୍ତୋଷ ଆଣିପାରିବ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବିନା ପଇସାରେ ଭଲ ଚିକିତ୍ସା ପାଇପାରୁଛନ୍ତି । ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ଏହାଦ୍ୱାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି ବୋଲି ସେ କହିଥିଲେ ।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଗୁରୁବାର କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ, ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲ୍ଥ ସେଣ୍ଟରର ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାପାଳ ଅମୃତ ଋତୁରାଜ ସ୍ୱାଗତ ଭାଷଣ ଦେଇଥିଲେ ।